ବେଆଇନ କେମିକାଲ ଫ୍ୟାକ୍ଟ୍ରିକୁ ସିଲ୍ କଲା ପ୍ରଶାସନ

ହିଞ୍ଜିଳିକାଟୁ (ଓଡ଼ିଶା ତାଜାନ୍ୟୁଜ) (ନିପ୍ର) :-  ହିଞ୍ଜିଳିକାଟୁ ପୌରାଞ୍ଚଳ ଆଙ୍କୋରଡା ଜାନି ନଗର ଅଞ୍ଚଳରେ ଦୀର୍ଘ ବର୍ଷ ଧରି ବେଆଇନ ଭାବେ ଗଢି ଉଠିଥିବା ଏକ ବେଆଇନ କେମିକାଲ ଫ୍ୟାକ୍ଟ୍ରିକୁ ମଙ୍ଗଳବାର ହିଞ୍ଜିଳିକାଟୁ ରାଜସ୍ୱ ଓ ପୁଲିସ ପ୍ରଶାସନ ପକ୍ଷରୁ ସିଲ୍ କରାଯାଇଛି।ଗତ ମଇ ମାସ ୧୨ ତାରିଖ ବିଳମ୍ବିତ ରାତିରେ ସଂପୃକ୍ତ କେମିକାଲ ଫ୍ୟାକ୍ଟ୍ରିରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା । ପ୍ରାୟ ୫୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ସାମଗ୍ରୀ ସମେତ ୨ଟି ଗାଡି ପୋଡି ସମ୍ପୁର୍ଣ୍ଣ ନଷ୍ଟ ହୋଇଯାଇଥିଲା । ଅଗ୍ନିକାଣ୍ଡରେ ପଡୋଶୀ ସୁକାନ୍ତି ସ୍ବାଇଁଙ୍କ ବାସଭବନରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ଆସବାବପତ୍ର ପୋଡି ନଷ୍ଟ ଯାଇଥିଲା ।

ଏ ନେଇ ପୀଡ଼ିତ ସୁକାନ୍ତି ରାଜ୍ୟ ମୁଖ୍ୟମନ୍ତ୍ରୀ, ଗଞ୍ଜାମ ଜିଲ୍ଲାପାଳ, ହିଞ୍ଜିଳି ଥାନା ଓ ହିଞ୍ଜିଳିକାଟୁ ତହସିଲଦାରଙ୍କୁ ଅଭିଯୋଗ କରିଥିଲେ। ସୋମବାର ହିଞ୍ଜିଳିକାଟୁ ବ୍ଲକ ପରିସରରେ ଆୟୋଜିତ ଗଞ୍ଜାମ ଜିଲ୍ଲାପାଳ ଓ ଏସପିଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିରରେ ସୁକାନ୍ତିଙ୍କ ପୁଅ ସିଦ୍ଧାର୍ଥ ସ୍ବାଇଁ ଆଙ୍କୋରଡା ଗ୍ରାମର ଜାନି ନଗର ଅଞ୍ଚଳରେ ଚାଲିଥିବା ବେଆଇନ କେମିକାଲ ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ ଘଟଣାରେ ଘର ଛାତ ଫାଟିବା ସହ ଲକ୍ଷାଧିକ ଟଙ୍କାର ଆସବାବପତ୍ର ପୋଡି ନଷ୍ଟ ହେବା ଘଟଣାରେ କ୍ଷତିପୂରଣ ରାଶି ପ୍ରଦାନ ଓ ବେଆଇନ ଭାବେ ଚାଲିଥିବା କେମିକାଲ ଫ୍ୟାକ୍ଟ୍ରିକୁ ବନ୍ଦ କରିବା ପାଇଁ ଜିଲ୍ଳା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ।

ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ମଙ୍ଗଳବାର ହିଞ୍ଜିଳିକାଟୁ ରାଜସ୍ୱ ବିଭାଗ ଓ ହିଞ୍ଜିଳି ପୁଲିସ ପ୍ରଶାସନ ସଂପୃକ୍ତ କେମିକାଲ ଫ୍ୟାକ୍ଟ୍ରିରେ ପହଞ୍ଚି ଆବଶ୍ୟକ ପ୍ରମାଣପତ୍ର ଯାଞ୍ଚ କରିଥିଲେ । କେମିକାଲ ଫ୍ୟାକ୍ଟ୍ରି ପ୍ରତିଷ୍ଠା ପାଇଁ ଆବଶ୍ୟକୀୟ ପ୍ରମାଣ ପତ୍ର ନଥିବାରୁ ଭାରତୀୟ ନାଗରିକ ସୁରକ୍ଷା ସଂହିତା ଧାରା ୧୫୨ ନିୟମ ଆଧାରରେ ସମ୍ପୃକ୍ତ କେମିକାଲ ଉତ୍ପାଦ ଫ୍ୟାକ୍ଟ୍ରିକୁ ସିଲ୍ କରାଯାଇଛି । ହିଞ୍ଜିଳିକାଟୁ ଅତିରିକ୍ତ ତହସିଲଦାର ସୁରଜ କୁମାର ନାୟକ ବେହେରା, ପୁରୁଷୋତ୍ତମ ବେଣିଆ, ହିଞ୍ଜିଳି ରାଜସ୍ବ ନିରୀକ୍ଷକ ବଳରାମ ପାଢ଼ୀ, ଏ ଆର ଆଇ ବଳରାମ , ହିଞ୍ଜିଳି ଥାନା ଏସଆଇ ସୁରେଶ କୁମାର ସାହୁ ଓ ରାଜସ୍ବ ବିଭାଗ କର୍ମଚାରୀ ମାନେ ଉପସ୍ଥିତ ଥିଲେ।ପରେ ଏହାର ଅଧିକ ତଦନ୍ତ କରାଯାଇ ଦୃଢ଼ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଜଣାପଡ଼ିଛି ।

Exit mobile version