ପ୍ରେମିକାକୁ ନପାଇ ଝିଅ ଉପରେ ଆକ୍ରମଣ : ଛୁରି ଦେଖାଇ ଅପହରଣ ଉଦ୍ୟମ, ଜଣେ ଗିରଫ

ବେଲପଡ଼ା  (ଓଡିଶା ତାଜାନ୍ୟୁଜ) (ନି. ପ୍ର) :-  ପ୍ରେମରେ ପ୍ରତ୍ୟାଖ୍ୟାତ ହେବାରୁ ଜଣେ ଯୁବକର ବର୍ବରକାଣ୍ଡ ସାମ୍ନାକୁ ଆସିଛି। ପ୍ରେମିକାକୁ ନପାଇ ତାଙ୍କ ଝିଅକୁ ଛୁରି ଦେଖାଇ ଅପହରଣ କରିବାକୁ ଉଦ୍ୟମ କରିଛି ଅଭିଯୁକ୍ତ। ବଲାଙ୍ଗୀର ଜିଲ୍ଲା ବେଲପଡ଼ା ଥାନା ଅଞ୍ଚଳରେ ଘଟିଥିବା ଏହି ଘଟଣା ଏବେ ସୋସିଆଲ୍ ମିଡିଆରେ ଭାଇରାଲ ହେଉଛି।ମୁଖ୍ୟ ଅଭିଯୁକ୍ତ ହେଉଛି ମୁରିବାହାଲ ବ୍ଲକ ଅନ୍ତର୍ଲା ଗାଁର ମୁନା ବେହେରା। ସେ ଏବେ ଫେରାର୍ ଅଛି। ତା’ର ସହଯୋଗୀ ସଇନ୍ତଳା ଥାନା ଦେଓଗାଁର ଆକାଶ ଓରଫ ରଞ୍ଜନ ନାଗକୁ ପୁଲିସ ଗିରଫ କରି କୋର୍ଟଚାଲାଣ କରିଛି I

ପୁଲିସ ସୂଚନା ଅନୁଯାୟୀ, ମୁନା ବେହେରା ଜଣେ ବ୍ୟକ୍ତିଙ୍କ ସହ ମିଶି ବ୍ୟବସାୟ କରୁଥିଲା। ଏହି ସମୟରେ ସେହି ବ୍ୟକ୍ତିଙ୍କ ସ୍ତ୍ରୀଙ୍କ ସହ ତା’ର ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ପରେ ସେହି ମହିଳା ଜଣକ ପରିବାର ଛାଡ଼ି ପ୍ରାୟ 10 ବର୍ଷ ଧରି ମୁନା ସହ ରହୁଥିଲେ। କିଛି ଦିନ ତଳେ ମହିଳା ଜଣକ ନିଜ ଝିଅ ପାଖକୁ ଫେରି ଆସିଥିଲେ। ଏହାକୁ ନେଇ ମୁନା ଉତ୍ତ୍ୟକ୍ତ ହୋଇପଡ଼ିଥିଲା। ପ୍ରଥମେ ସେ ଉଭୟଙ୍କ ବ୍ୟକ୍ତିଗତ ଫଟୋ ଓ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ କରିଥିଲା। ଏତିକିରେ ସେ ସନ୍ତୁଷ୍ଟ ନହୋଇ ଜଣେ ସହଯୋଗୀଙ୍କୁ ଧରି ବେଲପଡ଼ାରେ ଥିବା ମହିଳାଙ୍କ ଘରେ ପହଞ୍ଚିଥିଲା।

ସେଠାରେ ଘର କବାଟ ଭାଙ୍ଗି ମହିଳାଙ୍କ ଝିଅର ବେକରେ ଛୁରି ଲଗାଇ ତାଙ୍କୁ ରାସ୍ତାକୁ ଟାଣି ନେଇ ଅପହରଣ ଉଦ୍ୟମ କରିଥିଲା। ଝିଅ ଜଣକ ପ୍ରତିବାଦ କରିବାରୁ ତାଙ୍କ ହାତ କଟି ଯାଇଥିଲା। ପାଟିତୁଣ୍ଡ ଶୁଣି ସ୍ଥାନୀୟ ଲୋକେ ରୁଣ୍ଡ ହେବାରୁ ମୁନା ଓ ତା’ର ସହଯୋଗୀ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଥିଲେ। ଘଟଣା ପରେ ଆକ୍ରାନ୍ତ ମହିଳା ଓ ତାଙ୍କ ଝିଅ ବେଲପଡ଼ା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ ମାମଲା ରୁଜୁ କରି ସହଯୋଗୀ ଆକାଶ ଓରଫ ରଞ୍ଜନ ନାଗକୁ ଗିରଫ କରିଛି। ମୁଖ୍ୟ ଅଭିଯୁକ୍ତ ମୁନା ବେହେରାକୁ ଧରିବା ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି। ଆହତ ଝିଅର ଚିକିତ୍ସା ଚାଲିଛି I

Exit mobile version