ମଦ ଦୋକାନରେ ଗୁଣ୍ଡାରାଜ : କଣ୍ଟାବାଞ୍ଜିରେ ଗ୍ରାହକଙ୍କୁ ନିସ୍ତୁକ ମାଡ଼

କଣ୍ଟାବାଞ୍ଜି (ଓଡିଶା ତାଜାନ୍ୟୁଜ) (ନି. ପ୍ର) :- ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ସହରରେ ପୁଣିଥରେ ବାହାର ରାଜ୍ୟର ମଦ ବ୍ୟବସାୟୀଙ୍କ ଦାଦାଗିରି ସାମ୍ନାକୁ ଆସିଛି।ସୂଚନା ଅନୁଯାୟୀ, କଣ୍ଟାବାଞ୍ଜି ସହରର ଇନ୍ଦିରା ଛକ ନିକଟରେ ଥିବା ଏକ ଲାଇସେନ୍ସପ୍ରାପ୍ତ ମଦ ଦୋକାନକୁ ନୂଆପଡ଼ା ସହରର ପୂରୁନ ହାତୀ ମଦ କିଣିବାକୁ ଯାଇଥିଲେ । ଦୋକାନୀ ମଦ ବୋତଲ ଦେବା ପରେ ସେଥିରେ ୨୦୨୨ ମସିହାର ଉତ୍ପାଦନ ତାରିଖ ଲେଖାଥିବା ଦେଖି ପୂରୁନ ପ୍ରତିବାଦ କରିଥିଲେ । ଏହାକୁ ନେଇ ବଚସା ହେବାରୁ ଦୋକାନର ମ୍ୟାନେଜର ଓ ଅନ୍ୟ କର୍ମଚାରୀମାନେ ମିଶି ପୂରୁନଙ୍କୁ ନିସ୍ତୁକ ମାଡ଼ ମାରିଥିଲେ ।

ମାଡ଼ରେ ତାଙ୍କ ମୁଣ୍ଡ ଓ ଶରୀରର ବିଭିନ୍ନ ସ୍ଥାନରେ ଗଭୀର ଆଘାତ ଲାଗିଛି । ଘଟଣା ପରେ ଆହତ ପୂରୁନ କଣ୍ଟାବାଞ୍ଜି ଥାନାରେ ପହଞ୍ଚି ବିହାରର ମ୍ୟାନେଜର ଓ କର୍ମଚାରୀଙ୍କ ବିରୋଧରେ ଲିଖିତ ଅଭିଯୋଗ କରିଥିଲେ । ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲେ ମଧ୍ୟ ସଠିକ୍ ଦିଗରେ ତଦନ୍ତ କରିବା ବଦଳରେ ଅଭିଯୁକ୍ତମାନଙ୍କ ସହ ସଲାସୁତୁରା କରି ପୀଡ଼ିତଙ୍କୁ ଟଙ୍କା ଲୋଭ ଦେଖାଇ ଘଟଣାକୁ ଚାପି ଦେବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି ।

ଅନ୍ୟପଟେ, ଗୁରୁତର ଆହତ ପୂରୁନଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତି କରାଯାଇଛି। ସେ ବର୍ତମାନ ଚିକିତ୍ସାଧୀନ ଅଛନ୍ତି । ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି ଯେ ପୁଲିସ ପୀଡ଼ିତଙ୍କୁ ନ୍ୟାୟ ଦେବା ବଦଳରେ ଅଭିଯୁକ୍ତଙ୍କୁ ସୁରକ୍ଷା ଦେଉଛି । ସଂପୃକ୍ତ ମ୍ୟାନେଜର ଓ କର୍ମଚାରୀଙ୍କ ବିରୋଧରେ ଆଇନ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଲୋକେ ଦାବି କରିଛନ୍ତି । ସ୍ଥାନୀୟ ପୁଲିସର ଭୂମିକାକୁ ନେଇ ପ୍ରଶ୍ନ ଉଠିଥିବାରୁ ଜିଲ୍ଲା ଏସ୍‌ପି ନିଜେ ହସ୍ତକ୍ଷେପ କରି ନିରପେକ୍ଷ ତଦନ୍ତ କରିବାକୁ ଜନସାଧାରଣ ଦାବି କରିଛନ୍ତି ।

Exit mobile version