ତୁରେକେଲା-କଣ୍ଟାବାଞ୍ଜି ରାସ୍ତାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ନାବାଳକ ମୃତ, ଅନ୍ୟ ଜଣେ ଗୁରୁତର

କଣ୍ଟାବାଞ୍ଜି (ଓଡିଶା ତାଜାନ୍ୟୁଜ) (ନି. ପ୍ର) :- ବଲାଙ୍ଗୀର ଜିଲ୍ଲା ତୁରେକେଲା-କଣ୍ଟାବାଞ୍ଜି ରାସ୍ତାରେ ନୂଆପଡ଼ା ଗାଁ ବୁଲାଣିଠାରେ ମଙ୍ଗଳବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ଜଣେ ନାବାଳକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି । ମୃତକ ଜଣକ କଣ୍ଟାବାଞ୍ଜି ସହରର ଦେବ ଛତ୍ରିଆ ବୋଲି ଜଣାପଡିଛି । ଗୁରୁତର ଆହତ ହୋଇଥିବା ନାବାଳକ ହେଉଛନ୍ତି ଆଦି ଭୋଇ ।

ସୂଚନା ଅନୁସାରେ, ଦେବ ଛତ୍ରିଆ ଓ ଆଦି ଭୋଇ ଦୁଇ ନାବାଳକ କୌଣସି କାମରେ ବାଇକ୍ ଯୋଗେ ତୁରେକେଲା ଯାଇ ଘରକୁ ଫେରୁଥିଲେ । ନୂଆପଡ଼ା ଗାଁ ବୁଲାଣିଠାରେ ବାଇକ୍ ଟି ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇଯାଇଥିଲା । ଦୁର୍ଘଟଣା ପରେ ଉଭୟ ରାସ୍ତାରେ ପଡ଼ିଯାଇଥିଲେ।ସ୍ଥାନୀୟ ଲୋକମାନେ ଦୁହିଁଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ କଣ୍ଟାବାଞ୍ଜି ଡାକ୍ତରଖାନାକୁ ଚିକିତ୍ସା ପାଇଁ ପଠାଇଥିଲେ ।

ହେଲେ ସେଠାରେ ଡାକ୍ତର ଦେବ ଛତ୍ରିଆଙ୍କୁ ମୃତ ଘୋଷଣା କରିଥିଲେ । ଆଦି ଭୋଇଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ବଲାଙ୍ଗୀର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।ତୁରେକେଲା ପୁଲିସ ମୃତ ଦେବ ଛତ୍ରିଆଙ୍କ ଶବ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି । ଘଟଣାର ଅଧିକ ତଦନ୍ତ ଜାରି ରହିଛି ।

Exit mobile version