ମହୀତମା ପୀଠରେ ମହାମିଳନ : ଏକାଠି ହେଲା ନଅ ରାଜ୍ୟ ଗୋପଗୋପାଳ ସମାଜ

ନଅ ରାଜ୍ୟ ଗୋପଗୋପାଳ ସମାଜ’ର ବେହେରା ସମ୍ମିଳନୀ- ୨୦୨୬

ନୟାଗଡ଼ (ଓଡିଶା ତାଜାନ୍ୟୁଜ) (ନି. ପ୍ର) :- ନୟାଗଡ଼ ଜିଲ୍ଲା ଅନ୍ତର୍ଗତ ମହୀତମା ଗ୍ରାମରେ ଅବସ୍ଥିତ ପ୍ରାଚୀନ ଶ୍ରୀ ରାଧାମାଧବ ଜୀଉଙ୍କ ପବିତ୍ର ମନ୍ଦିର ପରିସରରେ ‘ନଅ ରାଜ୍ୟ ଗୋପଗୋପାଳ ସମାଜ’ର ଏକ ବିଶାଳ ବେହେରା ସମ୍ମିଳନୀ ଅତ୍ୟନ୍ତ ସାମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀ ଗୋପାଳ ସମାଜର ଭାଇଭଉଣୀ ମାନଙ୍କ ମଧ୍ୟରେ ଏକତା ବୃଦ୍ଧି କରିବା ପାଇଁ ଏକ ମୁଖ୍ୟ ମଞ୍ଚ ସାଜିଥିଲା । ଅନୁଷ୍ଠାନର ସ୍ଥାୟୀ ସଭାପତି ରାଜକିଶୋର ବେହେରା ପ୍ରଥମେ ପ୍ରଭୁ ଶ୍ରୀରାଧାମାଧବଙ୍କ ନିକଟରେ ପବିତ୍ର ପ୍ରଦୀପ ପ୍ରଜ୍ୱଳନ କରି ଏହି ଦୁଇ ଦିନିଆ ସଭାକାର୍ଯ୍ୟର ଶୁଭାରମ୍ଭ କରିଥିଲେ ।

ସମ୍ମିଳନୀର ପ୍ରଥମ ଦିନରେ ସମାଜର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ ସାମିଲ ଥିବା ସମସ୍ତ କାର୍ଯ୍ୟକର୍ତ୍ତାମାନଙ୍କୁ ଉତ୍ସାହିତ କରିବା ପାଇଁ ସେମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଦ୍ୱିତୀୟ ଦିନଟି ସମ୍ପୂର୍ଣ୍ଣ ରୂପେ ସାହି ବେହେରାମାନଙ୍କ କର୍ମଶାଳା ପାଇଁ ଉଦ୍ଦିଷ୍ଟ ଥିଲା। ନିଜ ନିଜ ସାହି ଏବଂ ଗାଁରେ ସମାଜର ସଂଗଠନକୁ କିପରି ଅଧିକ ଶକ୍ତିଶାଳୀ ତଥା ମଜବୁତ କରାଯାଇପାରିବ, ସେହି ବିଷୟରେ ଉପସ୍ଥିତ ପ୍ରତିନିଧିମାନେ ଖୋଲାଖୋଲି ଭାବରେ ବିସ୍ତୃତ ଆଲୋଚନା କରିଥିଲେ।

ଏହି ବିଶାଳ କାର୍ଯ୍ୟକ୍ରମରେ କେବଳ ସ୍ଥାନୀୟ ପ୍ରତିନିଧି ନୁହନ୍ତି, ବରଂ ବିଭିନ୍ନ ସର୍କଲ, ରାଜ୍ୟ ଏବଂ କେନ୍ଦ୍ର ସ୍ତରର ବହୁ କାର୍ଯ୍ୟକର୍ତ୍ତା ଅତ୍ୟନ୍ତ ଉତ୍ସାହର ସହ ଯୋଗ ଦେଇଥିଲେ। ପରିଚାଳନା କମିଟିର ସ୍ଥାୟୀ ସଭାପତି ରାଜକିଶୋର ବେହେରାଙ୍କ ନେତୃତ୍ୱରେ ସମ୍ପାଦକ ତାରେଶ୍ୱର ବେହେରା, ଉପସଭାପତି ଶୋଭନ ମହାଖୁଡ଼ ଏବଂ ଭାଗ୍ୟରଥୀ ବେହେରା ମଧ୍ୟ ନିଜର ବକ୍ତବ୍ୟ ରଖିଥିଲେ। କାର୍ଯ୍ୟକ୍ରମକୁ ସୁରୁଖୁରୁରେ ପରିଚାଳନା କରିବା ପାଇଁ ସହସମ୍ପାଦକ ବସନ୍ତ କୁମାର ଗୌଡ଼ ଏବଂ ଅଶୋକ କୁମାର ବେହେରା ସମ୍ପୂର୍ଣ୍ଣ ସହଯୋଗ କରିଥିଲେ ।

ବିଭିନ୍ନ ଅଞ୍ଚଳରୁ ଆସିଥିବା ରାଜ୍ୟ ସଭାପତିମାନେ ଯେପରିକି ନୟାଗଡ଼ରୁ ଦେବରାଜ ବେହେରା, ଦଶପଲ୍ଲାରୁ ପ୍ରଫୁଲ୍ଲ କୁମାର ବେହେରା, ଘୁମୁସରରୁ ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ମଠତଳରୁ ଭାରତ ଚନ୍ଦ୍ର ବେହେରା, ଖଣ୍ଡପଡ଼ାରୁ ସୁବାଷ ଚନ୍ଦ୍ର ବେହେରା ଏବଂ ନରସିଂହପୁରରୁ ଅର୍ଜୁନ ବେହେରା ଏହି ସମ୍ମିଳନୀରେ ସକ୍ରିୟ ଅଂଶଗ୍ରହଣ କରି ସମାଜର ଦିଗଦର୍ଶନ ଉପରେ ଆଲୋକପାତ କରିଥିଲେ । ସମ୍ମିଳନୀ ସ୍ଥଳ ଅର୍ଥାତ୍ ମହୀତମା ଗାଁରେ ଥିବା ଶ୍ରୀ ରାଧାମାଧବ ମନ୍ଦିରର ଇତିହାସ ଅତ୍ୟନ୍ତ ରୋଚକ ଏବଂ ପ୍ରାଚୀନ ଅଟେ। ସ୍ଥାନୀୟ ବାସିନ୍ଦାଙ୍କ କହିବା ଅନୁଯାୟୀ ଏହି ମନ୍ଦିର ପ୍ରାୟ ୪୦୦ ବର୍ଷ ତଳର।

ଏହି ମନ୍ଦିର ଏବଂ ଗାଁର ନାମକରଣ ପଛରେ ଏକ ସୁନ୍ଦର କିମ୍ବଦନ୍ତୀ ରହିଛି । ଅନେକ ବର୍ଷ ପୂର୍ବେ ଆଖପାଖର ଗାଁ ଯେପରିକି ଶିଖରଗୋଚ୍ଛା, ଆଚୁପଡ଼ା, ଚଞ୍ଚରାପଲ୍ଲୀ ଏବଂ ମିନାଗାଡ଼ିଆରୁ ଗୋପାଳ ସମ୍ପ୍ରଦାୟର ଲୋକମାନେ ଏଠାକୁ ଆସୁଥିଲେ। ସେମାନେ ଗୋଠ କରି ଗାଈ ଏବଂ ମଇଁଷିମାନଙ୍କୁ ଚରାଉଥିଲେ। ଜଙ୍ଗଲ ମଧ୍ୟରେ ଥିବାରୁ ସେମାନେ ନିଜର ଦୈନନ୍ଦିନ ଖାଦ୍ୟକୁ ସୁରକ୍ଷିତ ରଖିବା ପାଇଁ ଏକ ନିଆରା ଉପାୟ ଆପଣେଇଥିଲେ । ସେମାନେ ମାଟି ହାଣ୍ଡି ଏବଂ ଶୁଖିଲା ଲାଉ ତୁମ୍ବାରେ ଖାଦ୍ୟ ଭର୍ତ୍ତି କରୁଥିଲେ ।

ଏହାପରେ ଦଉଡ଼ି ବାନ୍ଧି ସେହି ଖାଦ୍ୟପୂର୍ଣ୍ଣ ତୁମ୍ବା ଗୁଡ଼ିକୁ ଏକ ବିରାଟ ‘ମଇ’ ଗଛର ଡାଳରେ ଓହଳାଇ ରଖୁଥିଲେ । ମଇ ଗଛ ଏବଂ ତୁମ୍ବା – ଏହି ଦୁଇଟି ଶବ୍ଦ ମିଶି ସ୍ଥାନର ନାମ ‘ମହିତମ୍ବା’ ହୋଇଥିଲା ବୋଲି ବିଶ୍ୱାସ କରାଯାଏ । ପରବର୍ତ୍ତୀ କାଳରେ ଏହି ମହିତମ୍ବା ନାମଟି ଲୋକମୁଖରେ ଧୀରେ ଧୀରେ ପରିବର୍ତ୍ତିତ ହୋଇ ଆଜିର ‘ମହିତମା’ ଗାଁରେ ପରିଣତ ହୋଇଛି । ଏହି ପବିତ୍ର ସ୍ଥାନର ଆଧ୍ୟାତ୍ମିକ ଯାତ୍ରା ସେବେ ଆରମ୍ଭ ହେଲା, ଯେବେ ଅନୁଗୁଳ, ହିନ୍ଦୋଳ ଏବଂ ନେମାଳ ଗାଦୀରୁ କେତେକ ମହାନ୍ ସାଧୁସନ୍ଥ ଏହି ସ୍ଥାନକୁ ଆସିଲେ। ସେହି ସାଧୁମାନେ ଥିଲେ ଭଗବାନ ଶ୍ରୀରାଧାମାଧବଙ୍କର ପରମ ଭକ୍ତ ।

ସେମାନେ ଏଠାରେ ଗୋରୁ ଚରାଉଥିବା ସରଳ ଗୋପାଳମାନଙ୍କ ସହିତ ସମୟ ବିତାଇଲେ ଏବଂ ସେମାନଙ୍କୁ ଶ୍ରୀ ରାଧାମାଧବଙ୍କ ଅପାର ମହିମା ବିଷୟରେ ବୁଝାଇଲେ । ସାଧୁମାନଙ୍କର ପ୍ରେରଣାଦାୟକ କଥା ଶୁଣି ଗୋପାଳମାନଙ୍କ ମନରେ ପ୍ରଭୁଙ୍କ ପ୍ରତି ଗଭୀର ଭକ୍ତି ଏବଂ ସମର୍ପଣ ଭାବ ସୃଷ୍ଟି ହେଲା। ସେହି ଅତୁଟ ଭକ୍ତିଭାବରୁ ହିଁ ଶ୍ରୀରାଧାମାଧବ ମଠ ପ୍ରତିଷ୍ଠା କରିବାର ସ୍ୱପ୍ନ ଆକାର ନେଲା। ଏହି ଉଦ୍ଦେଶ୍ୟକୁ ସାକାର କରିବା ପାଇଁ ନୟାଗଡ଼, ଦଶପଲ୍ଲା, ମଠତଳ, ଘୁମୁସର, ଖଣ୍ଡପଡ଼ା, ନରସିଂହପୁର, ଅନୁଗୁଳ, ହିନ୍ଦୋଳ ଏବଂ ବୌଦ୍ଧ ଭଳି ନଅଟି ପ୍ରମୁଖ ରାଜ୍ୟ (ଅଞ୍ଚଳ) କୁ ମିଶାଇ ଏକ ବିରାଟ ସଂଗଠନ ତିଆରି କରାଗଲା, ଯାହାର ନାମ ରଖାଗଲା ‘ନଅ ରାଜ୍ୟ ଗୋପଗୋପାଳ ସମାଜ’।

ସମୟକ୍ରମେ ଗୋପାଳ ସମାଜର ଲୋକମାନେ ଏକାଠି ହୋଇ ନିଜ ଭିତରେ ଚାନ୍ଦା ସଂଗ୍ରହ କଲେ। ସେହି ଅର୍ଥରେ ସେମାନେ ପୁରୁଣା ମନ୍ଦିରର ମରାମତି କରିବା ସହିତ ଏହାର ସୌନ୍ଦର୍ଯ୍ୟକରଣ କଲେ ଏବଂ ମଠର ଅନେକ ଉନ୍ନୟନମୂଳକ କାର୍ଯ୍ୟ ସମ୍ପନ୍ନ କଲେ। ବର୍ତ୍ତମାନ ଏହି ମନ୍ଦିର ପରିସରରେ ସମାଜର ବିଭିନ୍ନ ପ୍ରକାରର ଆଧ୍ୟାତ୍ମିକ ଏବଂ ସାମାଜିକ ଉତ୍ସବ ମହାସମାରୋହରେ ପାଳନ କରାଯାଉଛି। ସମାଜର ସମସ୍ତ ଗୋପାଳ ଭାଇଭଉଣୀମାନଙ୍କ ମଧ୍ୟରେ ଏକତା ବଜାୟ ରଖିବା,

ବିପଦ ଆପଦ ସମୟରେ ପରସ୍ପରକୁ ସାହାଯ୍ୟ କରିବା ଏବଂ ସମାଜକୁ ଏକ ଶୃଙ୍ଖଳିତ ମାର୍ଗରେ ପରିଚାଳନା କରିବା ପାଇଁ ଅନେକ ସୁନ୍ଦର ନୀତି ନିୟମ ପ୍ରଣୟନ କରାଯାଇଛି ।  ସମାଜର ଏହି ଉନ୍ନତିମୂଳକ କାର୍ଯ୍ୟକୁ ଅଧିକ ବ୍ୟବସ୍ଥିତ ତଥା ସରକାରୀ ସ୍ୱୀକୃତି ପ୍ରଦାନ କରିବା ପାଇଁ ୧୯୯୬-୯୭ ମସିହାରେ ଏହି ଅନୁଷ୍ଠାନକୁ ସୋସାଇଟି ଆକ୍ଟ ୧୮୬୦ ଅଧୀନରେ ବିଧିବଦ୍ଧ ଭାବରେ ପଞ୍ଜିକୃତ କରାଯାଇଛି । ଏହି ପଞ୍ଜିକରଣ ପରେ ନଅ ରାଜ୍ୟ ଗୋପଗୋପାଳ ସମାଜ ଆହୁରି ବ୍ୟାପକ ରୂପେ ବିସ୍ତାର ଲାଭ କରି ସମାଜର କଲ୍ୟାଣ ପାଇଁ ନିରନ୍ତର କାର୍ଯ୍ୟ କରିଚାଲିଛି ।

Exit mobile version