ପୁରୀ (ଓଡିଶା ତାଜାନ୍ୟୁଜ) (ନି. ପ୍ର) :- ଆଜି ରଥ ନିର୍ମାଣର ୬୭ ତମ ଦିବସରେ ରଥ ନିର୍ମାଣକାରୀ ସେବକ ମାନେ ରଥ ଖଳା ଠାରେ ସକାଳ ଘ.୮.୦୦ ଟିକା ସମୟରେ ଉପସ୍ଥିତ ପୂର୍ବକ ମୁଖ୍ୟ ମହାରଣାଙ୍କ ମାର୍ଗ ଦର୍ଶନ ପ୍ରକାରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ। ରଥ ନିର୍ମାଣ ଅଗ୍ରଗତି* (ଗତକାଲି ସୁଦ୍ଧା ତିନିରଥର ବେଦୀ ସିଂହାସନ ର ନିର୍ମାଣ କାର୍ଯ୍ୟ ସହ ତିନିରଥରେ କନକ ମୁଣ୍ଡି ବସିବା ପାଇଁ ପ୍ରଥମ ଭୂଇଁ ନାହାକା ଚାରି ପାର୍ଶ୍ୱରେ ଚୁନାଟ ପଟା ବାଡ଼ିଆ ଶେଷ ହୋଇଥିଲା…)
ତିନିରଥର ସିଂହାସନ ବେଦୀ ନିର୍ମାଣ ଶେଷ ପର୍ଯ୍ୟାୟରେ:ବେଦୀରେ ପଟା ପଡ଼ିବା କାର୍ଯ୍ୟ ଜାରୀ ଗତକାଲି ସୁଦ୍ଧା ତିନିରଥର ବେଦୀ ସିଂହାସନ ନିର୍ମାଣ ପାଇଁ ଚାରି ନାହାକା ଉଭୟ ପାର୍ଶ୍ୱରେ ପଡ଼ିଥିବା ଆଗ ପଛ ଢ଼ମକ ଉପରେ ୨୦ ଫୁଟିଆ ଜଗତ ପୃଷ୍ଠ ସେଣି ପକାଯାଇ ବେଦୀ ପରିସରକୁ ବଢ଼ାଇବା ପାଇଁ ଜଗତ ପୃଷ୍ଠ ସେଣି ର ଉଭୟ ପାର୍ଶ୍ୱରେ ବାହୁଟ ଫାଳିଆ ପଡ଼ି ତିନିପାର୍ଶ୍ୱରେ ଗାଈଗୋଠ ପଟା ବାଡ଼ିଆ ଶେଷ ପରେ ବେଦୀ ଉପର ପଟା ପଡ଼ିବା ଜାରୀ ରହିଛି ।
ସିଂହାସନ ମାଲ କାଠର ଚଉପଟ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ସିଂହାସନ ମାଲ କାଠ ଚଉପଟ ପାଇଁ ରଥ ଅମୀନ ଯୋଗାଇ ଦେଇଥିବା ୩୦ ଫୁଟିଆ ଶାଳ କାଠର ଚଉପଟ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ମହାପ୍ରଭୁ ରତ୍ନସିଂହାସନରୁ ଓହ୍ଲାଇବା ପାଇଁ କୋଠ ସୁଆଁସିଆ ସେବକ ମାନେ ଏହି ଶାଳ ମାଲ କାଠରେ ଚାର ମାଲ ବାନ୍ଧିବା କାର୍ଯ୍ୟ ସମ୍ପନ୍ନ କରିବେ। ରୂପକାର ଚାଳି* ତିନିରଥର ମୁଖ୍ୟ ରୂପକାର ସେବକ ଏବଂ ସହଯୋଗୀ ରୂପକାର ସେବକ ମାନେ ମିଶି ପ୍ରଭାରେ ରୂପ ଖୋଦେଇ ଜାରୀ ରହିଛି ।
