ଖୋର୍ଦ୍ଧାରୋଡ଼ ମଣ୍ଡଳ ଦ୍ୱାରା ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଖୋରଧା-ଜଟଣୀ (ଓଡିଶା ତାଜା ନ୍ୟୁଜ ) ନି. ପ୍ର :- ଖୋର୍ଦ୍ଧା ରୋଡ଼ ମଣ୍ଡଳ ପକ୍ଷରୁ “ସୁସ୍ଥ ବାର୍ଦ୍ଧକ୍ୟ ପାଇଁ ଯୋଗ” ବିଷୟବସ୍ତୁ ଆଧାରରେ ଖୋର୍ଦ୍ଧା ରୋଡ଼ ସ୍ଥିତ ପୂର୍ବତଟ ରେଳବାଇ କ୍ରୀଡ଼ା ସଂଘ ଷ୍ଟାଡିୟମଠାରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି । ସ୍ୱାସ୍ଥ୍ୟ, ମାନସିକ କଲ୍ୟାଣ ଏବଂ ସୁସ୍ଥ ବାର୍ଦ୍ଧକ୍ୟକୁ ପ୍ରୋତ୍ସାହିତ କରିବାରେ ଯୋଗର ଭୂମିକା ଉପରେ ଏହି ବିଷୟବସ୍ତୁ ଗୁରୁତ୍ୱାରୋପ କରେ ।

ଏହି ସମାରୋହରେ ଖୋର୍ଦ୍ଧା ରୋଡ଼ର ମଣ୍ଡଳ ରେଳ ପ୍ରବନ୍ଧକ (ଡି ଆର୍ ଏମ୍ ) ଶ୍ରୀ ଡି. ସୁନୀଲଙ୍କ ସହ ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ (ଭିତ୍ତିଭୂମି) ଶ୍ରୀ ରାଜଧାରୀ ଯାଦବ, ବିଭିନ୍ନ ଶାଖା ଅଧିକାରୀ ଏବଂ କର୍ମଚାରୀମାନେ ଅଂଶଗ୍ରହଣ କରିଥିଲେ । ଶାରୀରିକ ସୁସ୍ଥତା, ମାନସିକ ଶାନ୍ତି ଏବଂ ସାମଗ୍ରିକ କଲ୍ୟାଣ ବଜାୟ ରଖିବା ପାଇଁ ଯୋଗକୁ ଏକ ନିୟମିତ ଅଭ୍ୟାସ ଭାବରେ ଆପଣେଇବାକୁ ଅଂଶଗ୍ରହଣକାରୀମାନଙ୍କୁ ଉତ୍ସାହିତ କରାଯାଇଥିଲା ।

 

ଯୋଗ ଜୀବନରେ ସନ୍ତୁଳନ, ସ୍ପଷ୍ଟତା, ଏକାଗ୍ରତା ଏବଂ ସକାରାତ୍ମକତା ଆଣିବାରେ ସାହାଯ୍ୟ କରେ । ବାଜପୁର, ଖୋର୍ଦ୍ଧାର ପି.ଜି.ଟି, ଯୋଗ ଚିକିତ୍ସକ ତଥା ଧ୍ୟାନ ପ୍ରଶିକ୍ଷକ ଶ୍ରୀ ସ୍ୱପ୍ନେଶ୍ୱର ପରମଗୁରୁ ଏବଂ ପୁରୀ ସ୍ଥିତ ଦିବ୍ୟ ଯୋଗ ପ୍ରଶିକ୍ଷଣ ଓ ଚିକିତ୍ସା କେନ୍ଦ୍ରର ସ୍ୱାସ୍ଥ୍ୟ ଓ ଆରୋଗ୍ୟ ପରାମର୍ଶଦାତା ଶ୍ରୀମତୀ ମଧୁସ୍ମିତା ଦାଶ ଏକ ସୁସ୍ଥ ଜୀବନଶୈଳୀ ବଜାୟ ରଖିବାରେ ଯୋଗର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ ।

ସେମାନେ ବିଭିନ୍ନ ଯୋଗ ଆସନ ଏବଂ ପ୍ରାଣାୟାମ କୌଶଳ ମଧ୍ୟ ପ୍ରଦର୍ଶନ କରିଥିଲେ । ଏହି ଅବସରରେ ଅଂଶଗ୍ରହଣକାରୀମାନେ ନିୟମିତ ଯୋଗ ଅଭ୍ୟାସ କରିବା ସହ ଏକ ସୁସ୍ଥ ସମାଜ ଓ ସୁସ୍ଥ ରାଷ୍ଟ୍ର ଗଠନରେ ଯୋଗଦାନ କରିବାକୁ ଶପଥ ନେଇଥିଲେ । ଖୋର୍ଦ୍ଧାରୋଡ଼ ଠାରେ ଅନୁଷ୍ଠିତ ମୁଖ୍ୟ କାର୍ଯ୍ୟକ୍ରମ ବ୍ୟତୀତ ବ୍ରହ୍ମପୁର, କଟକ, ପାରାଦୀପ, ତାଳଚେର, ଅନୁଗୁଳ, ଭଦ୍ରକ, କେନ୍ଦୁଝରଗଡ଼ ଏବଂ

ପୁରୀ ଷ୍ଟେସନ ସମେତ ମଣ୍ଡଳର ରେଳବାଇ ବିଦ୍ୟାଳୟ ଏବଂ ଭାରତ ସ୍କାଉଟ୍ସ ଆଣ୍ଡ ଗାଇଡ୍ସ ରେ ମଧ୍ୟ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଇଥିଲା, ଯେଉଁଥିରେ ରେଳ ଅଧିକାରୀ, କର୍ମଚାରୀ ଏବଂ ଛାତ୍ର,ଛାତ୍ରୀ ମାନେ ବେଶ୍ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ । ଖୋର୍ଦ୍ଧା ରୋଡ଼ ମଣ୍ଡଳର ବରିଷ୍ଠ ମଣ୍ଡଳ କାର୍ମିକ ଅଧିକାରୀ ଶ୍ରୀ ପୋନ୍ନା ଭେଙ୍କଟେଶଙ୍କ ଦ୍ୱାରା ଏହି କାର୍ଯ୍ୟକ୍ରମ ସଂଯୋଜିତ ହୋଇଥିଲା ।

Exit mobile version