ସୃଷ୍ଟି ଏକାଡେମୀରେ ଚତୁର୍ଥ ଆନ୍ତର୍ଜାତୀୟ ସମ୍ମିଳନୀ ସଫଳତାର ସହ ଅନୁଷ୍ଠିତ

ଭୁବନେଶ୍ୱର (ଓଡିଶା ତାଜା ନ୍ୟୁଜ ) ନି. ପ୍ର :- ଭୁବନେଶ୍ୱରସ୍ଥିତ ସୃଷ୍ଟି ଏକାଡେମୀ ଅଫ୍ ମ୍ୟାନେଜମେଣ୍ଟ ଆଣ୍ଡ ଟେକ୍ନୋଲୋଜି (ସ୍ୱୟଂଶାସିତ) ପକ୍ଷରୁ “ବ୍ୟବସାୟ ଏବଂ କମ୍ପ୍ୟୁଟର ପ୍ରୟୋଗରେ ଉଦୀୟମାନ ଧାରା (ICETBCA-2026): ଏକ ସ୍ଥାୟୀ ଭବିଷ୍ୟତ ପାଇଁ କୃତ୍ରିମ ବୁଦ୍ଧିମତ୍ତା – ନବସୃଜନ, ନୈତିକତା ଓ ପ୍ରଭାବ” ଶୀର୍ଷକ ଚତୁର୍ଥ ଆନ୍ତର୍ଜାତୀୟ ସମ୍ମିଳନୀ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ସମ୍ମିଳନୀର ଚତୁର୍ଥ ବୈଷୟିକ ଅଧିବେଶନ (Track-4: Artificial Intelligence, Technology and Innovation) ୨୦ ଜୁନ ୨୦୨୬ ତାରିଖରେ ସୃଷ୍ଟି ଏକାଡେମୀର ବୋର୍ଡ ରୁମ୍‌ରେ ହାଇବ୍ରିଡ୍ (ଅନଲାଇନ୍ ଓ ଅଫଲାଇନ୍) ମାଧ୍ୟମରେ ଆୟୋଜିତ ହୋଇଥିଲା ।

କାର୍ଯ୍ୟକ୍ରମର ପ୍ରାରମ୍ଭରେ ସୃଷ୍ଟି ଏକାଡେମୀର ଅଧ୍ୟକ୍ଷ ପ୍ରଫେସର ଉମାକାନ୍ତ ଦାସ ସ୍ୱାଗତ ଭାଷଣ ପ୍ରଦାନ କରି ସମ୍ମିଳନୀର ଉଦ୍ଦେଶ୍ୟ ଏବଂ କୃତ୍ରିମ ବୁଦ୍ଧିମତ୍ତାର ବର୍ତ୍ତମାନ ଯୁଗରେ ଏହାର ପ୍ରାସଙ୍ଗିକତା ସମ୍ପର୍କରେ ଆଲୋକପାତ କରିଥିଲେ।ଉଦ୍ଘାଟନୀ ଅଧିବେଶନରେ ରେଭେନ୍ସା ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଅର୍କ କୁମାର ଦାସ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ସମ୍ମିଳନୀକୁ ଉଦ୍ଘାଟନ କରିଥିଲେ । ନିଜ ବକ୍ତବ୍ୟରେ ସେ କୃତ୍ରିମ ବୁଦ୍ଧିମତ୍ତା, ନବସୃଜନ, ନୈତିକତା ଏବଂ ସ୍ଥାୟୀ ବିକାଶ କ୍ଷେତ୍ରରେ ଉଚ୍ଚମାନର ଗବେଷଣାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ।ସମ୍ମାନିତ ଅତିଥି ଭାବେ ୟୁନିଗ୍ଲୋବ କଲେଜ,

ନେପାଳର ପ୍ରଫେସର ଆର୍. ଏସ୍. ପ୍ରଧାନ ଏବଂ ସାଜା ୱେଲ୍ଥ (Saja Wealth)-ର ଭେଞ୍ଚର ପାର୍ଟନର ଶ୍ରୀ ଗୌରବ କେଡିଆ ଯୋଗଦେଇ କୃତ୍ରିମ ବୁଦ୍ଧିମତ୍ତାର ବିଶ୍ୱସ୍ତରୀୟ ପ୍ରଭାବ, ଶିଳ୍ପ-ଶିକ୍ଷାନୁଷ୍ଠାନ ସହଯୋଗ ଏବଂ ନବସୃଜନର ଗୁରୁତ୍ୱ ସମ୍ପର୍କରେ ନିଜ ମତାମତ ବ୍ୟକ୍ତ କରିଥିଲେ।ଏହି ଆନ୍ତର୍ଜାତୀୟ ସମ୍ମିଳନୀରେ ମୋଟ ଚାରିଟି ବୈଷୟିକ ଅଧିବେଶନ ଆୟୋଜିତ ହୋଇଥିଲା । ଏହି ଅଧିବେଶନଗୁଡ଼ିକରେ “ଏକ ସ୍ଥାୟୀ ଭବିଷ୍ୟତ ପାଇଁ କୃତ୍ରିମ ବୁଦ୍ଧିମତ୍ତା : ନବସୃଜନ, ନୈତିକତା ଓ ପ୍ରଭାବ” ବିଷୟବସ୍ତୁକୁ କେନ୍ଦ୍ରକରି ବ୍ୟବସାୟ ପରିଚାଳନା, କମ୍ପ୍ୟୁଟର ପ୍ରୟୋଗ, ଉଦୀୟମାନ ପ୍ରଯୁକ୍ତି, ଡିଜିଟାଲ ପରିବର୍ତ୍ତନ,

ସ୍ଥାୟୀ ବିକାଶ ଓ ନବସୃଜନ ସମ୍ପର୍କିତ ବିଭିନ୍ନ ସମସାମୟିକ ବିଷୟ ଉପରେ ଦେଶ ଓ ବିଦେଶର ବିଶେଷଜ୍ଞ, ଗବେଷକ ଏବଂ ଶିକ୍ଷାବିତମାନେ ଗଭୀର ଆଲୋଚନା ଓ ମତ ବିନିମୟ କରିଥିଲେ।ଏହି ଆନ୍ତର୍ଜାତୀୟ ସମ୍ମିଳନୀରେ ଭାରତର ବିଭିନ୍ନ ବିଶ୍ୱବିଦ୍ୟାଳୟର ମ୍ୟାନେଜମେଣ୍ଟ ବିଭାଗର ପ୍ରଫେସର, ଉଚ୍ଚଶିକ୍ଷାନୁଷ୍ଠାନର ଗବେଷକ ଓ ଶିକ୍ଷାବିତମାନେ କୃତ୍ରିମ ବୁଦ୍ଧିମତ୍ତା, ସ୍ଥାୟୀ ବିକାଶ, ସ୍ମାର୍ଟ ପ୍ରଯୁକ୍ତି, ସାଇବର ସୁରକ୍ଷା, ସପ୍ଲାଇ ଚେନ୍ ପରିଚାଳନା, ବର୍ଜ୍ୟ ପରିଚାଳନା ଏବଂ ବିକଶିତ ଭାରତ-୨୦୪୭ ଭଳି ସମସାମୟିକ ବିଷୟ ଉପରେ ସେମାନଙ୍କର ଗବେଷଣା ପ୍ରବନ୍ଧ ଉପସ୍ଥାପନ କରିଥିଲେ।

ଉପସ୍ଥାପିତ ଗବେଷଣାପତ୍ରଗୁଡ଼ିକରେ AI-ଆଧାରିତ ନବସୃଜନ, ଶିଳ୍ପ ଓ ସମାଜ ଉପରେ ପ୍ରଯୁକ୍ତିର ପ୍ରଭାବ ଏବଂ ସ୍ଥାୟୀ ବିକାଶରେ କୃତ୍ରିମ ବୁଦ୍ଧିମତ୍ତାର ଭୂମିକା ସମ୍ପର୍କରେ ଗଭୀର ଆଲୋଚନା କରାଯାଇଥିଲା।ଅଧିବେଶନ ଶେଷରେ ପ୍ରଶ୍ନୋତ୍ତର ପର୍ବ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ଦେଶର ବିଭିନ୍ନ ବୈଷୟିକ ଶିକ୍ଷାନୁଷ୍ଠାନର ଗବେଷକ, ଅଧ୍ୟାପକ ଏବଂ ଛାତ୍ରଛାତ୍ରୀମାନେ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ। ସମ୍ମିଳନୀରେ ଉପସ୍ଥିତ ସମସ୍ତ ଅତିଥି, ଗବେଷକ ଓ ଅଂଶଗ୍ରହଣକାରୀଙ୍କୁ ସୃଷ୍ଟି ଏକାଡେମୀର ପ୍ରତିଷ୍ଠାତା ଇଞ୍ଜିନିୟର ସରୋଜ କୁମାର ସାହୁ କୃତଜ୍ଞତା ଜ୍ଞାପନ କରିଥିଲେ ।

ସମ୍ମିଳନୀର ସଫଳ ପରିଚାଳନାରେ ପ୍ରଫେସର ଅନୁରାଧା ମିଶ୍ର, ଡଃ ଜ୍ୟାକି ସମୀର ଖାନ, ସନ୍ଧ୍ୟାଦର୍ଶନ ଦାଶ, ସସ୍ମିତା ଦାସ, ରୋଜି ବାରିକ, କଲ୍ୟାଣୀ ସେନାପତି ଓ ଦ୍ରୌପଦୀ ମିଶ୍ର ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ ।ଶେଷରେ ଡଃ ଅର୍ପଣ ମହାପାତ୍ର ସମସ୍ତ ଅତିଥି, ଗବେଷକ, ଅଂଶଗ୍ରହଣକାରୀ ଏବଂ ଆୟୋଜକମାନଙ୍କୁ ଧନ୍ୟବାଦ ଜଣାଇ ସମ୍ମିଳନୀର ସମାପନ ଘୋଷଣା କରିଥିଲେ । ଏହି ଆନ୍ତର୍ଜାତୀୟ ସମ୍ମିଳନୀ କୃତ୍ରିମ ବୁଦ୍ଧିମତ୍ତା, ପ୍ରଯୁକ୍ତି ଓ ନବସୃଜନ କ୍ଷେତ୍ରରେ ନୂତନ ଗବେଷଣା ଧାରାକୁ ପ୍ରୋତ୍ସାହିତ କରିବା ସହିତ ଶିକ୍ଷାନୁଷ୍ଠାନ, ଶିଳ୍ପ ଓ ଗବେଷଣା ଜଗତ ମଧ୍ୟରେ ଜ୍ଞାନ ବିନିମୟର ଏକ ଉତ୍କୃଷ୍ଟ ମଞ୍ଚ ଭାବେ ପରିଗଣିତ ହୋଇଛି ।

Exit mobile version