ଓଡିଆ ପାଠ୍ୟ ପୁସ୍ତରେ ଅକ୍ଷମଣୀୟ ତ୍ରୁଟି ପାଇଁ ଗଣଶିକ୍ଷାମନ୍ତ୍ରୀ, ବିଭାଗୀୟ ସଚିବ, ନିର୍ଦ୍ଦେଶକ ଏବଂ ଅନ୍ୟାନ୍ୟ ଅଧିକାର/କର୍ମଚାରୀ ମାନଙ୍କ ବିରୁଦ୍ଧରେ ମାମଲା ରୁଜୁ

ଭୁବନେଶ୍ୱର (ଓଡିଶା ତାଜା ନ୍ୟୁଜ ) ନି. ପ୍ର :- ଓଡିଶାର ଛାତ୍ରଛାତ୍ରୀଙ୍କ ପାଇଁ ଓଡିଆ ଭାଷାରେ ପ୍ରକାଶିତ ପାଠ୍ୟପୁସ୍ତକରେ ଯେଉଁ ଅକ୍ଷମଣୀୟ ତ୍ରୁଟି ହୋଇଛି ସେଥିପାଇଁ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ,ଏଥି ସହିତ ପୁସ୍ତକ ପ୍ରକାଶନ ଦାୟିତ୍ୱରେ ଥିବା ଅଧିକାରୀ/କର୍ମଚାରୀମାନଙ୍କ ବିରୁଦ୍ଧରେ ମାମଲା ରୁଜୁ ସହିତ ସମସ୍ତ କ୍ଷତି ଅର୍ଥ ସେମାନଙ୍କ ଠାରୁ ଆଦାୟ ପାଇଁ ଦାବି କରୁଛି କଳିଙ୍ଗସେନା । ଘଟଣାରୁ ସଦ୍ୟ ପ୍ରକାଶିତ ଓଡିଆ ପାଠ୍ୟପୁସ୍ତକରେ ଯେଉଁଭଳି ଭାବେରେ ହଜାର ହଜାର ତ୍ରୁଟି ପରିଲକ୍ଷିତ ହୋଇଛି ତାହା ଓଡିଶା ଶିକ୍ଷା ଇତିହାସରେ ବିରଳ ।

ଏଥିରେ କେବଳ ବରପୁତ୍ରମାନଙ୍କ ସଂକ୍ରାନ୍ତରେ ବିଭ୍ରାନ୍ତିକର ତଥ୍ୟ ପ୍ରଦାନ କରାଯାଇଛି ତାହା ନୁହେଁ, ଓଡିଶା ବିଧାନସଭାର ଫଟୋଚିତ୍ର ସ୍ଥାନରେ କର୍ଣ୍ଣାଟକ ବିଧାନସଭାର ଫଟୋଚିତ୍ର ଲଗାଯାଇଛି । ଏଥିରୁ ଗୋଟିଏ କଥା ସ୍ପଷ୍ଟ ହେଉଛି ଯେ ଓଡିଆ ଛାତ୍ରଛାତ୍ରୀଙ୍କ ପାଇଁ ବିଭାଗୀୟ ମନ୍ତ୍ରୀ କିମ୍ବା ଅଫିସର କେହି ସମ୍ବେଦନଶୀଳ ନୁହନ୍ତି । ବହି ପିଲାଙ୍କ ପାଖକୁ ଯିବା ପୂର୍ବରୁ ଅନ୍ତତଃ ଥରୁଟିଏ ଆଖି ପକାଇ ଦେଇଥିଲେ ଏଭଳି ହୋଇନଥାନ୍ତା ।

ଯେଉଁ ସଂସ୍ଥା କିମ୍ବା ସରକାରୀ ବ୍ୟକ୍ତି ବିଶେଷ ଏହି ପୁସ୍ତକ ପ୍ରକାଶନ ଦାୟିତ୍ୱରେ ଥିଲେ ଓ ସେମାନେ କେତେ ଟଙ୍କା ନେଇଛନ୍ତି ତାହା ପୋଲିସ ତଦନ୍ତ କରି ସାର୍ବଜନୀନ କରନ୍ତୁ । ଲକ୍ଷାଧିକ ପୁସ୍ତକ ଛପେଇ ଅର୍ଥ ପାଣିରେ ପଡିଥିବାରୁ ତୁରନ୍ତ ଏହି ସଂସ୍ଥାକୁ କଳା ତାଲିକାଭୁକ୍ତ କରିବା ସହିତ ଦାୟିତ୍ୱରେ ଥିବା ଅଧିକାରୀଙ୍କୁ ଗିରଫ କରାଯିବା ସହିତ ସେମାନଙ୍କ ଠାରୁ ସମସ୍ତ ଅର୍ଥ ଆଦାୟ କରନ୍ତୁ । ଯେତେଶୀଘ୍ର ସମ୍ଭବ କଠୋର ପଦକ୍ଷେପ ଗ୍ରହଣ କରି ଛାତ୍ରଛାତ୍ରୀଙ୍କୁ ସଂଶୋଧିତ ସଠିକ୍‍ ପାଠ୍ୟପୁସ୍ତକ ଯୋଗାଇ ଦେବାପାଇଁ ଆଜି କଳିଙ୍ଗ ସେନା ତରଫରୁ ସାଧାରଣ ସମ୍ପାଦକ ଇଂ ସ୍ବାତୀଶ ରଞ୍ଜନ ସାହୁ,ବିଜୟ ରାଜ, ଇଂ ମନୋଜ ନାୟକ, ମୋନାଲିଶ ବିଶ୍ବାଳ ପ୍ରମୁଖ ଆଜି କ୍ୟାପିଟାଲ ଥାନରେ ଏତଲା ଦେଇଛନ୍ତି ।

Exit mobile version