ଭୟଙ୍କର ଅଗ୍ନିକାଣ୍ଡରେ ଜଳିଗଲା ୫ ବଖରା ଘର ସମେତ ଲକ୍ଷାଧିକ ଟଙ୍କାର ସମ୍ପତ୍ତି

ବାଲିପାଟଣା (ଓଡିଶା ତାଜା ନ୍ୟୁଜ) (ନି. ପ୍ର) :- ଭୁବନେଶ୍ୱର ଉପକଣ୍ଠ ବାଲିପାଟଣା ବ୍ଲକ ଅନ୍ତର୍ଗତ ଦେଉଳିଧରପୁର କାଣ୍ଡି ସାହିରେ ଗତ କାଲି ବିଳମ୍ୱିତ ରାତ୍ରରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟି ୫ ବଖରା ଘର ସମେତ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନିଆଁରେ ପୋଡ଼ି ଜଳିଯାଇଥିବା ଜଣାପଡିଛି। ଗତ କାଲି ରାତ୍ର ସାଢ଼େ ଗୋଟାଏ ସମୟରେ କାଣ୍ଡି ସାହିର ବିପିନ ଭଞ୍ଜଙ୍କ ପରିବାର ଶୋଇଥିବାବେଳେ ତାଙ୍କର ଚାଳଘର ଜଳୁଥିବାର ଶଦ୍ଧ୍ ଶୁଣି ବିପିନ ଭଞ୍ଜ ଘରୁ ବାହାରି ଦେଖିଲାବେଳକୁ ଘର ଜଳିଯାଉଛି, ସେ ପାଟି କରି ଲୋକଙ୍କୁ ଡାକ ଛାଡ଼ିଥିଲେ ।

ସ୍ଥାନୀୟ ଲୋକମାନେ ସେଠାରେ ପହଞ୍ଚି ପାଣି ପକାଇ ନିଆଁକୁ ଲିଭାଇବାକୁ ଚେଷ୍ଟା କରି ଅଗ୍ନିଶ୍ରମ ବାହିଙ୍କୁ ଖବର ଦେଇଥିଲେ । ଅଗ୍ନୀଶ୍ରମ ବାହିନୀ ଗାଡି ଘଟଣା ସ୍ଥଳରେ ପହଞ୍ଚିଲା ବେଳକୁ ବିପିନ ଭଞ୍ଜଙ୍କର ୩ ବଖରା, ଏବଂ ବିଶ୍ଵନାଥ କାଣ୍ଡି, ରଘୁନାଥ କାଣ୍ଡିଙ୍କର ୨ ବଖରା ଘର ସମେତ ଘରେ ଥିବା ସମସ୍ତ ଧାନ, ଚାଉଳ, ଜରୁରୀ କାଗଜପତ୍ର, ଟଙ୍କା, ସୁନା ରୂପା,ଆସବାପତ୍ର ସଂପୂର୍ଣ୍ଣ ନିଆଁରେ ପୋଡ଼ି ପାଉଁଶ ହୋଇ ଯାଇଛି ।

ଏହି ଅଗ୍ନିକାଣ୍ଡ କେଉଁ କାରଣରୁ ଘଟିଛି ତାହା ଜଣାପଡି ନାହିଁ । ଖବର ପାଇ ନାୟବ ସରପଞ୍ଚ ତ୍ରିଲୋଚନ ଜେନା, ସମାଜ ସେବୀ ବିଭୂତି ଭୂଷଣ ପାତ୍ର ପହଞ୍ଚି ଅଗ୍ନିବିପନ ପରିବାରଙ୍କୁ ସାନ୍ତନା ଦେବା ସହ ସେମାନେ କିପରି ସରକାରୀ ସାହାଯ୍ୟ ସହଯୋଗ ପାଇପାରିବେ ସେମାନେ ଚେଷ୍ଟା କରିବେ ବୋଲି ପ୍ରତିଶୃତି ଦେଇଥିଲେ । ଏବେ ସେହି ଅଗ୍ନିବିପନମାନେ ଖରା ବର୍ଷାରେ ଜୀବନ ବିତାଉଥିବାର ଜଣାପଡିଛି। ଏହି ଅଗ୍ନିବିପନ୍ନ ପରିବାରଙ୍କୁ ତୁରନ୍ତ ସରକାରୀ ସାହାଯ୍ୟ ଯୋଗାଇ ଦେବାକୁ ବିଭିନ୍ନ ମହଲରେ ଦାବୀ କରାଯାଇଅଛି ।

Exit mobile version