ଦଳ ଡିଆଁ ଗଣତନ୍ତ୍ର ପାଇଁ ବିପଦ  !

ଭୁବନେଶ୍ଵର (ଓଡିଶା ତାଜା ନ୍ୟୁଜ) ନି. ପ୍ର :- ରାଜନେତାଙ୍କ ଦଳବଦଳର ଇତିହାସ ବହୁ ପୁରୁଣା ! ସାରା ବିଶ୍ୱରେ ଭାରତ ଏକ ମାତ୍ର ଗଣତାନ୍ତ୍ରିକ ରାଷ୍ଟ୍ର ଯେଉଁଠାରେ ରାଜନେତାଙ୍କ ଦଳବଦଳ ଗୋଟିଏ ଅସୁସ୍ଥ ରାଜନୈତିକ ପରିଭାଷାର ମାନ୍ୟତା ପାଇ ସାରିଛି ! ନିର୍ବାଚିତ ରାଜନୈତିକ ପ୍ରତିନିଧି ନିଜ ବ୍ୟକ୍ତିଗତ ଫାଇଦା ଚରିତାର୍ଥ କରିବା ପାଇଁ ଦଳ ବଦଳର ଯେ କୌଣସି ସୀମା ଲଂଘନ କରିବାକୁ ପଛଘୁଞ୍ଚା ଦେଉ ନାହାନ୍ତି ! ଏହି ପରମ୍ପରା ଆଜିର ନୁହଁ ! ଗଣତାନ୍ତ୍ରିକ ନିର୍ବାଚନ ପ୍ରଚଳନ ହେବା ପରଠାରୁ ଏହି ପ୍ରଥା ଭାରତ ବର୍ଷରେ ପ୍ରଚଳିତ ହେଇ ଆସୁଛି ! ୧୯୫୩ ମସିହାରେ ପ୍ରଥମେ ଏହି ପରମ୍ପରାର ଶୁଭ ପଡିଥିଲା ଆନ୍ଧ୍ର ପ୍ରଦେଶରେ ! ପ୍ରଜା ସୋସିଆଲିଷ୍ଟ ପାର୍ଟି ନେତା ଟି. ପ୍ରକାଶମ ଦଳ ଛାଡି କଂଗ୍ରେସରେ ଯୋଗ ଦେଲେ ଓ ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ହେଇଥିଲେ !

ପରମ୍ପରା ବଳବତ୍ତର ରହିଲା ! ୧୯୬୭ ମସିହାରେ ହରିଆଣା ରାଜ୍ୟରେ ଦଳ ବଦଳ ସମସ୍ତ ରାଜନୈତିକ ସୀମା ଉଲ୍ଲଙ୍ଘନ କରିଥିଲା ! ସେହି ସମୟରେ ନେତା ମାନଙ୍କୁ ” ଆୟା ରାମ ଗୟା ରାମ ‘ ଉପାଧି ଦିଆ ଯାଇଥିଲା ! ହରିୟାଣା ୟୁନାଇଟେଡ଼ ଫ୍ରଣ୍ଟର ବିଧାୟକ ଗୟା ଲାଲ ଦଳ ଛାଡି କଂଗ୍ରେସରେ ଯୋଗ ଦେଇଥିଲେ ! ମାତ୍ର ନଅ ଘଣ୍ଟା ପରେ ସେ ପୁନର୍ବାର ତାଙ୍କ ନିଜ ଦଳ ୟୁନାଇଟେଡ଼ ଫ୍ରଣ୍ଟକୁ  ଫେରି ଆସିଥିଲେ ! ମାତ୍ର ଦୁଇ ସପ୍ତାହ ପରେ ସେ ପୁଣି କଂଗ୍ରେସ ଦଳକୁ ଫେରି ଯାଇଥିଲେ ! ଯେହେତୁ ତାଙ୍କ ନାମ ଥିଲା ଗୟା ଲାଲ ତେଣୁ ସେହି ଦିନ ଠାରୁ ଦଳ ବଦଳ ରାଜନେତାଙ୍କୁ ଭାରତ ବର୍ଷରେ ‘ ଆୟା ରାମ ଗୟା ରାମ’  ନାମରେ ଡକାଯାଏ !

ଏହି ଗୟା ଲାଲ ଘଟଣାର କିଛି ମାସ ପରେ ଆଉ ଜଣେ କଂଗ୍ରେସ ବିଧାୟକ ରାଓ ବୀରେନ୍ଦ୍ର ସିଂ ଦଳ ଛାଡିଲେ ଓ ହରିୟାଣାରେ ସବୁ ଦଳର ବିଧାୟକଙ୍କୁ ମିଶାଇ ସ୍ୱାଧୀନ ମୁଖ୍ୟମନ୍ତ୍ରୀ ହେଇଥିଲେ ! ୧୯୭୭ ମସିହା ସାଧାରଣ ନିର୍ବାଚନ ପୂର୍ବରୁ ବାବୁ ଜଗଜୀବନ ରାମ କଂଗ୍ରେସ ଦଳ ପରିତ୍ୟାଗ କରି କଂଗ୍ରେସ ଫର ଡେମୋକ୍ରାସି ନାମକ ରାଜନୈତିକ ଦଳ ଗଠନ କରିଥିଲେ ! ଦଳ କୌଣସି ସଫଳତା ନ ମିଳିବାରୁ ପରବର୍ତ୍ତୀ ଅବସ୍ଥାରେ ଏହା ଜନତା ଦଳ ସହିତ ମିଶି ଯାଇଥିଲା ! ୧୯୬୭ ମସିହାରେ ବିଜୟ ରାଜେ ସିନ୍ଧିଆ ଯିଏ ସିନ୍ଧିଆ ରାଜପରିବାରର ପ୍ରଥମ ସଦସ୍ୟ କଂଗ୍ରେସକୁ ଧୋକା ଦେଇ ବିପକ୍ଷରେ ଯୋଗ ଦେଇଥିଲେ ! ସେହିପରି ତାଙ୍କ ପୁତ୍ର ମାଧବ ରାଓ ସିନ୍ଧିଆ କଂଗ୍ରେସକୁ ଧୋକା ଦେଇ ଇନ୍ଦିରା କଂଗ୍ରେସ ଗଠନ କରିଥିଲେ !

ଏହି ରାଜ ପରିବାରର ତୃତୀୟ ପିଢ଼ି ଜ୍ୟୋତିରଦିତ୍ୟ ସିନ୍ଧିଆ କଂଗ୍ରେସ ସହିତ ଧୋକା ବାଜି କରି ମଧ୍ୟପ୍ରଦେଶ କଂଗ୍ରେସ ସରକାରର ପତନ ଘଟାଇଥିଲେ! ତେଣୁ ସେବେ ଠାରୁ ଏହି ପରମ୍ପରା ଚାଲି ଆସୁଛି ! ଏଥିରେ ପ୍ରତିବନ୍ଧକ ଲଗାଇବା ପାଇଁ ଭିନ୍ନ ଭିନ୍ନ ସମୟରେ ସମ୍ଭିଧାନରେ ପରିବର୍ତ୍ତନ କରାଯାଇ ନୂତନ ଅଧିନିୟମ ପ୍ରଚଳିତ ମଧ୍ୟ ହେଇଛି ! କିନ୍ତୁ ନିୟମ କରିଥିବା ରାଜନେତା ଏହି ନିୟମ ପାଇଁ ପଛ କବାଟ ମଧ୍ୟ ଖୋଲା ରଖିଛନ୍ତି ! ସେଥିପାଇଁ ଆଜି ଦଳ ବଦଳ ଗୋଟିଏ ବିରାଟ ଗଣତାନ୍ତ୍ରିକ ସଙ୍କଟ ପାଲଟିଛି ଭାରତ ବର୍ଷରେ !

ନିକଟରେ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେଲା  ! ତୃଣମୂଳ କଂଗ୍ରେସ ନିର୍ବାଚନରେ ପରାସ୍ତ ହେଲା ! ବିଜେପି ସରକାର ଆସିଲା ! ଶୁଭେନ୍ଦୁ ଅଧିକାରୀ ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ ହେଲେ ! ଶୁଭେନ୍ଦୁଙ୍କ ରାଜନୈତିକ କ୍ୟାରିୟର କଂଗ୍ରେସରୁ ଆରମ୍ଭ ହେଇଥିଲା ! ତାଙ୍କ ପିତା ମଧ୍ୟ ବଙ୍ଗ କଂଗ୍ରେସର ଜଣେ ଟାଣୁଆ ନେତା ଥିଲେ ! ଶୁଭେନ୍ଦୁ କଂଗ୍ରେସ ଛାଡି ମମତା ବାନାର୍ଜୀଙ୍କ ସହିତ ତୃଣମୂଳ କଂଗ୍ରେସ ଗଠନ କରିଥିଲେ ! ଦୀର୍ଘ ବର୍ଷ ତୃଣମୂଳ କଂଗ୍ରେସ ସରକାରରେ ମନ୍ତ୍ରୀ ରହିଲେ ! କିନ୍ତୁ ୨୦୨୨ ମସିହାରେ ବିଜେପିରେ ଯୋଗ ଦେଲେ ! ତା ପରେ ୨୦୨୬ ନିର୍ବାଚନରେ ବିଜେପି ମଙ୍ଗ ଧରି ଦଳକୁ ଜିତାଇଲେ ଓ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ହେଲେ !

କଥା ଏତିକିରେ ସରିଲା ନାହିଁ ! ତୃଣମୂଳ କଂଗ୍ରେସ କିପରି ଲୋପ ପାଇବ ସେଥିପାଇଁ ବିଜେପି ଆରମ୍ଭ କରିଛି ସ୍ୱତନ୍ତ୍ର ରଣନୀତି ! ଟିଏମସି ବିଧାୟକ ଦଳର ୪୦ ରୁ ଉର୍ଦ୍ଧ ବିଧାୟକ ଦଳ ସହିତ ବିଦ୍ରୋହ କରି ନିଜକୁ ଅସଲି ଟିଏମସି ବୋଲି ବିଧାନସଭା ବାଚସ୍ପତିଙ୍କୁ ଚିଠି ଲେଖି ସାରିଲେଣି  ଓ ବାଚସ୍ପତି ଏହି ଗୋଷ୍ଟିଙ୍କୁ ସ୍ୱୀକୃତି ମଧ୍ୟ ଦେଇ ସାରିଲେଣି  ! କେବଳ ବିଧାୟକ ନୁହଁ ଟିଏମସିର ୨୯ ଲୋକସଭା ସାଂସଦ ଥିଲେ ! ଜଣେ ସାଂସଦଙ୍କ ମୃତ୍ୟୁ ପରେ ସଂଖ୍ୟା ଏବେ ୨୮ ! ୨୮ ରୁ ୨୦ ଲୋକସଭା ସାଂସଦ ଏବେ କେନ୍ଦ୍ରରେ ଥିବା ଏନଡିଏ ସରକାରରେ ସାମିଲ ହେବା ପାଇଁ ଲୋକସଭା ବାଚସ୍ପତିଙ୍କୁ ଆବେଦନ କରିଛନ୍ତି ! ଦୁଇ ତୃତୀୟାଂଶ ଲୋକପ୍ରତିନିଧି ଦଳରୁ ଚାଲିଗଲା ପରେ ସେମାନଙ୍କ ଉପରେ ଆଉ ଦଳ ବଦଳ ନିୟମ ଲାଗୁ ହେବ ନାହିଁ  ଓ ସେମାନଙ୍କ ସଦସ୍ୟତା ବଲବତ୍ତର ରହିବ !

ଏହା କେବଳ ପଶ୍ଚିମବଙ୍ଗରେ ନୁହଁ ! କିଛି ମାସ ପୂର୍ବେ ଆମ ଆଦମୀ ପାର୍ଟିର ସାତ ଜଣ ରାଜ୍ୟସଭା ସାଂସଦ ଦଳ ଛାଡି ବିଜେପିରେ ଯୋଗ ଦେଇଥିଲେ ! ଆପର ରାଜ୍ୟସଭାରେ ପଞ୍ଜାବରୁ ସାତ ସାଂସଦ ଥିଲେ ! ୭ ରୁ ୬ ବିଜେପିକୁ ଡିଆ ମାରିଲେ ! ମହାରାଷ୍ଟ୍ରର ଶିବସେନା ଓ ଏନସିପି ଦଳ ଏହି ଦଳ ବଦଳ ପ୍ରଥାର ଶିକାର ହେଇଛି,  ଆସାମ କଂଗ୍ରେସ ସମାନ ଅବସ୍ଥା ଭୋଗିଛି ! , ବିହାର, ହରିଆଣା, ରାଜସ୍ଥାନ, ମଧ୍ୟପ୍ରଦେଶ ସବୁ ରାଜ୍ୟରେ କଂଗ୍ରେସ ଓ ଆଞ୍ଚଳିକ ଦଳ ଗୁଡିକର ଅବସ୍ଥା ସମାନ !

ଏହାର କୌଣସି ସମାଧାନ ପ୍ରାୟତଃ ନାହିଁ କହିଲେ ଚଳେ ! ଭାରତ ବିଶ୍ୱର ସବୁଠାରୁ ବୃହତ ଗଣତାନ୍ତ୍ରିକ ରାଷ୍ଟ୍ରର ମାନ୍ୟତା ପାଉଛି ! କିନ୍ତୁ ସାମାଜିକ ସଚେତନତାର ଘୋର ଅଭାବ ! ଜନସାଧାରଣଙ୍କ ପାଖରେ ଗଣତାନ୍ତ୍ରିକ ଶିକ୍ଷାର ଘୋର ଅଭାବ ରହିଛି ! ନିଜର ବ୍ୟକ୍ତିଗତ ସ୍ୱାର୍ଥ ହାସଲ କରିବା ପାଇଁ ଏହି ଦଳ ଡିଆଁ ରାଜନେତା ପୁଣି ନିର୍ବାଚନ ଲଢ଼ୁଛନ୍ତି ଓ ଜିତୁଛନ୍ତି ! ପୁର୍ଣ ଗଣତାନ୍ତ୍ରିକ ପଦ୍ଧତିରେ ! ଭାରତ ବର୍ଷରେ ଭୋଟର ସଚେତନ ନୁହନ୍ତି ! ଏହାର କୁ – ପରିଣାମ ଦେଶର ଆର୍ଥିକ, ଶିକ୍ଷାଗତ, ସାମାଜିକ ପ୍ରଗତିରେ ଘୋର ପ୍ରତିବନ୍ଧକ ସୃଷ୍ଟି ହେଉଛି ! ଏହି ଦଳ ଡିଆଁ ପରମ୍ପରା ଦେଶପ୍ରତି ଘୋର ଗଣତାନ୍ତ୍ରିକ ବିପଦ ସୃଷ୍ଟି କରୁଛି ଏଥିରେ ସନ୍ଦେହ ନାହିଁ !

ପ୍ରିୟ ରଞ୍ଜନ ସାହୁ

Exit mobile version