ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ନୀତି ଆୟୋଗର ୧୧ତମ ଗଭର୍ଣ୍ଣିଂ କାଉନସିଲ୍ ବୈଠକ
-
ବିକଶିତ ଭାରତର ସଂକଳ୍ପ ପ୍ରତ୍ୟେକ ରାଜ୍ୟ, ଜିଲ୍ଲା, ବ୍ଲକ ଏବଂ ଗ୍ରାମର ସାମୂହିକ ସଂକଳ୍ପ ହେବା ଉଚିତ: ପ୍ରଧାନମନ୍ତ୍ରୀ
-
ଭାରତର ୭୦ କୋଟି ଯୁବକ ହେଉଛନ୍ତି ଦେଶର ସମ୍ପତ୍ତି, ଏହି ଜନସାଂଖ୍ୟିକ ଲାଭାଂଶକୁ ବିକାଶ ଲାଭାଂଶରେ ରୂପାନ୍ତରିତ କରିବାକୁ ରାଜ୍ୟଗୁଡ଼ିକୁ ଆହ୍ୱାନ ଦେଲେ ପ୍ରଧାନମନ୍ତ୍ରୀ
-
ଯୁବା ଏବଂ ଏମଏସ୍ଏମ୍ଇ ପାଇଁ ସୁଯୋଗ ସୃଷ୍ଟି ସହ ଭାରତ ଯେଉଁ ଦେଶଗୁଡ଼ିକ ସହିତ ମୁକ୍ତ ବାଣିଜ୍ୟ ଚୁକ୍ତି ସ୍ୱାକ୍ଷର କରିଛି ସେହି ଦେଶଗୁଡ଼ିକରୁ ପୁଞ୍ଜିନିବେଶକୁ ସକ୍ରିୟ ଭାବେ ଆକର୍ଷିତ କରିବାକୁ ରାଜ୍ୟଗୁଡ଼ିକୁ ପ୍ରଧାନମନ୍ତ୍ରୀଙ୍କ ପ୍ରୋତ୍ସାହନ
-
ରାଜ୍ୟଗୁଡ଼ିକ ‘ଏକ ଜିଲ୍ଲା-ଏକ ଉତ୍ପାଦ’କୁ ସୁଦୃଢ଼ କରନ୍ତୁ ଏବଂ ପ୍ରତିରକ୍ଷା ଉତ୍ପାଦନ କ୍ଷେତ୍ରରେ ଥିବା ସୁଯୋଗର ଫାଇଦା ଉଠାନ୍ତୁ: ପ୍ରଧାନମନ୍ତ୍ରୀ
-
ଏଆଇକୁ ଏକ ସୁଯୋଗ ଭାବେ ଦେଖାଯିବା ଉଚିତ ଏବଂ ଲୋକମାନଙ୍କୁ ଭବିଷ୍ୟତ ପାଇଁ ପ୍ରସ୍ତୁତ ଦକ୍ଷତାରେ ସମୃଦ୍ଧ କରାଯିବା ଉଚିତ ବୋଲି ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱାରୋପ
-
ମାଦକ ଦ୍ରବ୍ୟର ଅପବ୍ୟବହାର ଏବଂ ସାଇବର ପ୍ରତାରଣା ଭଳି ସାମ୍ନାକୁ ଆସୁଥିବା ସାମାଜିକ ଆହ୍ୱାନଗୁଡ଼ିକର ମୁକାବିଲା ପାଇଁ ସମନ୍ୱିତ ପ୍ରୟାସର ଆବଶ୍ୟକତା ଉପରେ ପ୍ରଧାନମନ୍ତ୍ରୀଙ୍କ ଆଲୋକପାତ
-
ଏଲ୍ ନିନୋରୁ ସୃଷ୍ଟି ହେଉଥିବା ଚିନ୍ତା ପ୍ରତି ପ୍ରଧାନମନ୍ତ୍ରୀ ଦୃଷ୍ଟି ଆକର୍ଷଣ କରିଛନ୍ତି ଏବଂ ଜଳ ସଂରକ୍ଷଣ କରିବା ସହ ପ୍ରାକୃତିକ ଚାଷକୁ ପ୍ରୋତ୍ସାହିତ କରିବାକୁ ରାଜ୍ୟଗୁଡ଼ିକୁ ଆହ୍ୱାନ ଦେଇଛନ୍ତି
-
ପ୍ରଧାନମନ୍ତ୍ରୀ ମୋଦୀ କାର୍ଯ୍ୟକାଳର ୧୨ ବର୍ଷ ପୂରଣ କରିଥିବାରୁ ମୁଖ୍ୟମନ୍ତ୍ରୀ/ଉପରାଜ୍ୟପାଳ/ପ୍ରଶାସକମାନଙ୍କ ଶୁଭେଚ୍ଛା
-
ଭୂ-ରାଜନୈତିକ ସଙ୍କଟର ମୁକାବିଲା କରିବା ଏବଂ ଭାରତର ସ୍ଥିତି ସୁଦୃଢ଼ କରିବା ପାଇଁ କେନ୍ଦ୍ର ସହିତ ଏକମତ ହେଲେ ରାଜ୍ୟ
-
ବୈଠକରେ ସମସ୍ତ ରାଜ୍ୟ ଏବଂ ୫ଟି କେନ୍ଦ୍ରଶାସିତ ଅଞ୍ଚଳ ସାମିଲ; ପ୍ରଥମଥର ପାଇଁ ସମସ୍ତ ୨୮ଟି ରାଜ୍ୟର ମୁଖ୍ୟମନ୍ତ୍ରୀ ସହଭାଗୀ ହେଲେ
-
ବୈଠକର ବିଷୟବସ୍ତୁ (ଥିମ୍) : ବିକଶିତ ଭାରତ@୨୦୪୭ ପାଇଁ ସମାବେଶୀ ମାନବ ବିକାଶ
ନୂଆଦିଲ୍ଲୀ (ଓଡିଶା ତାଜା ନ୍ୟୁଜ) (ନି. ପ୍ର) ନୂଆଦିଲ୍ଲୀ :- ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପୂର୍ବାହ୍ନରେ ନୂଆଦିଲ୍ଲୀର ରାଷ୍ଟ୍ରପତି ଭବନ ସାଂସ୍କୃତିକ କେନ୍ଦ୍ରଠାରେ ନୀତି ଆୟୋଗର ୧୧ତମ ଗଭର୍ଣ୍ଣିଂ କାଉନସିଲ୍ ବୈଠକରେ ଅଧ୍ୟକ୍ଷତା କରିଛନ୍ତି । ‘ବିକଶିତ ଭାରତ@୨୦୪୭ ପାଇଁ ସମାବେଶୀ ମାନବ ବିକାଶ’ ଚଳିତ ବର୍ଷ ବୈଠକର ମୁଖ୍ୟ ବିଷୟ ଥିଲା । ଏଥିରେ ୨୮ଟି ରାଜ୍ୟ ଏବଂ ୫ଟି କେନ୍ଦ୍ରଶାସିତ ଅଞ୍ଚଳକୁ ପ୍ରତିନିଧିତ୍ୱ କରୁଥିବା ମୁଖ୍ୟମନ୍ତ୍ରୀ, ଉପରାଜ୍ୟପାଳ ଏବଂ ପ୍ରଶାସକମାନେ ଯୋଗ ଦେଇଥିଲେ। ନୀତି ଆୟୋଗର ଗଭର୍ଣ୍ଣିଂ କାଉନସିଲ୍ ବୈଠକରେ ସମସ୍ତ ୨୮ଟି ରାଜ୍ୟର ମୁଖ୍ୟମନ୍ତ୍ରୀ ଅଂଶଗ୍ରହଣ କରିବା ସ୍ୱୟଂ ଏକ କିର୍ତ୍ତିମାନ ସୃଷ୍ଟି କରିଛି ।
ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ, ଏଭଳି ଏକ ସମୟରେ ଯେତେବେଳେ ଅନେକ ପ୍ରମୁଖ ଅର୍ଥନୀତି ଅନିଶ୍ଚିତତା ଏବଂ ଅର୍ଥନୈତିକ ଆହ୍ୱାନର ସାମ୍ନା କରୁଛନ୍ତି, ଭାରତର ବିକାଶ କାହାଣୀ ସମଗ୍ର ବିଶ୍ୱକୁ ପ୍ରେରିତ କରିଚାଲିଛି। ସେ ଆତ୍ମନିର୍ଭରଶୀଳତା ଦିଗରେ ଦେଶର ସଂକଳ୍ପକୁ ଆହୁରି ସୁଦୃଢ଼ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଛନ୍ତି ଏବଂ ବିଶେଷ କରି ଅକ୍ଷୟ ଶକ୍ତି କ୍ଷେତ୍ରରେ ବିଶ୍ୱର ସର୍ବୋତ୍ତମ ଅଭ୍ୟାସଗୁଡ଼ିକୁ ଗ୍ରହଣ ଓ କାର୍ଯ୍ୟକାରୀ କରିବାର ଗୁରୁତ୍ୱ ଉପରେ ଆଲୋକପାତ କରିଛନ୍ତି ।
ସହଭାଗୀ ସଂଘୀୟ ବ୍ୟବସ୍ଥାର ଗୁରୁତ୍ୱ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଏକ ‘ବିକଶିତ ଭାରତ’ର ଲକ୍ଷ୍ୟ ହାସଲ କରିବା ପାଇଁ କେନ୍ଦ୍ର ଏବଂ ରାଜ୍ୟଗୁଡ଼ିକୁ ମିଳିମିଶି କାର୍ଯ୍ୟ କରିବାକୁ ହେବ। ସେ ଗୁରୁତ୍ୱ ଦେଇ କହିଛନ୍ତି ଯେ ବିକଶିତ ଭାରତର ସଂକଳ୍ପ ପ୍ରତ୍ୟେକ ରାଜ୍ୟ, ଜିଲ୍ଲା, ବ୍ଲକ ଏବଂ ଗ୍ରାମର ସାମୂହିକ ସଂକଳ୍ପ ହେବା ଉଚିତ । ଭାରତର ଜନସାଂଖ୍ୟିକ ଶକ୍ତି ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶର ଯୁବପିଢ଼ି ଏହାର ସବୁଠାରୁ ବଡ଼ ସମ୍ପତ୍ତି,
ଯେଉଁଠାରେ ପ୍ରାୟ ୭୦ କୋଟି ଭାରତୀୟଙ୍କ ବୟସ ୨୫ ବର୍ଷରୁ କମ୍ । ଏହାକୁ ଏକ ଜନସାଂଖ୍ୟିକ ଲାଭାଂଶ ବୋଲି ଅଭିହିତ କରି ସେ ଶିକ୍ଷା, ଦକ୍ଷତା ବିକାଶ ଏବଂ କ୍ଷମତା ବୃଦ୍ଧି କାର୍ଯ୍ୟକ୍ରମ ମାଧ୍ୟମରେ ଏହାକୁ ଏକ ବିକାଶ ଲାଭାଂଶରେ ରୂପାନ୍ତରିତ କରିବା ଉପରେ ଧ୍ୟାନ ଦେବାକୁ ରାଜ୍ୟଗୁଡ଼ିକୁ ଆହ୍ୱାନ ଦେଇଛନ୍ତି, ଯାହା ଯୁବପିଢ଼ିଙ୍କୁ ଭବିଷ୍ୟତର ସୁଯୋଗ ଏବଂ ଆହ୍ୱାନ ପାଇଁ ପ୍ରସ୍ତୁତ କରିବ ।
ନିକଟରେ ଅନେକ ଦେଶ ସହିତ ସ୍ୱାକ୍ଷରିତ ହୋଇଥିବା ବାଣିଜ୍ୟ ଚୁକ୍ତି ସମ୍ପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ, ଯୁବପିଢ଼ି ଏବଂ ଏମ୍ଏସ୍ଏମ୍ଇ ଗୁଡ଼ିକ ପାଇଁ ସୁଯୋଗ ସୃଷ୍ଟି କରିବାକୁ ଏବଂ ଏହି ଚୁକ୍ତିନାମାରୁ ମିଳୁଥିବା ସୁଫଳକୁ ପ୍ରଭାବଶାଳୀ ଭାବରେ ବ୍ୟବହାର କରିବା ପାଇଁ ସଂଶ୍ଳିଷ୍ଟ ଅଂଶୀଦାରମାନଙ୍କୁ ସକ୍ଷମ କରିବାକୁ ରାଜ୍ୟଗୁଡ଼ିକୁ ପ୍ରୋତ୍ସାହିତ କରିଛନ୍ତି । ସହଭାଗୀ ଦେଶଗୁଡ଼ିକରୁ ସକ୍ରିୟ ଭାବେ ପୁଞ୍ଜିନିବେଶ ଆକର୍ଷିତ କରିବାକୁ ମଧ୍ୟ ସେ ରାଜ୍ୟଗୁଡ଼ିକୁ ଅନୁରୋଧ କରିଛନ୍ତି ।
ମହିଳା ନେତୃତ୍ୱାଧୀନ ବିକାଶ ଉପରେ ଗୁରୁତ୍ୱାରୋପ କରି ପ୍ରଧାନମନ୍ତ୍ରୀ, ଲକ୍ଷପତି ଦିଦିଙ୍କ ସଂଖ୍ୟା ୩ କୋଟିରୁ ୬ କୋଟିକୁ ବୃଦ୍ଧି କରିବା ଦିଗରେ କାର୍ଯ୍ୟ କରିବାକୁ ରାଜ୍ୟଗୁଡ଼ିକୁ ଆହ୍ୱାନ ଦେଇଛନ୍ତି ଏବଂ ‘ନାରୀ ଶକ୍ତି’ ପାଇଁ ଏକ ନିରାପଦ ଓ ସୁରକ୍ଷିତ ପରିବେଶ ସୁନିଶ୍ଚିତ କରିବାର ଗୁରୁତ୍ୱ ଉପରେ ଜୋର ଦେଇଛନ୍ତି । ରାଜ୍ୟଗୁଡ଼ିକ ଏକ ଜିଲ୍ଲା-ଏକ ପ୍ରକଳ୍ପ (‘ୱାନ ଡିଷ୍ଟ୍ରିକ୍ଟ ୱାନ ପ୍ରଡକ୍ଟ’) କାର୍ଯ୍ୟକ୍ରମ ଉପରେ ଧ୍ୟାନ ଦେବାକୁ ଏବଂ ଏହାକୁ କେନ୍ଦ୍ର କରି ରପ୍ତାନି-ଭିତ୍ତିକ ରଣନୀତି ପ୍ରସ୍ତୁତ କରିବାକୁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି ।
ପ୍ରତିରକ୍ଷା ଉତ୍ପାଦନକୁ ଏକ ନୂତନ କ୍ଷେତ୍ର ଭାବରେ ସେ ଚିହ୍ନଟ କରିଛନ୍ତି ଯେଉଁଠାରେ ଭାରତ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରୁଛି ଏବଂ ଏହାର ଅଭିବୃଦ୍ଧିରୁ ସୃଷ୍ଟି ହେଉଥିବା ସୁଯୋଗର ଫାଇଦା ଉଠାଇବା ପାଇଁ ନୀତି ପ୍ରଣୟନ କରିବାକୁ ସେ ରାଜ୍ୟଗୁଡ଼ିକୁ ପ୍ରୋତ୍ସାହିତ କରିଛନ୍ତି । ପ୍ରତିଷେଧକ ବ୍ୟବସ୍ଥା, ସଚେତନତା ଅଭିଯାନ ଏବଂ ପ୍ରଭାବଶାଳୀ ଶାସନ ମାଧ୍ୟମରେ ମାଦକ ଦ୍ରବ୍ୟର ଅପବ୍ୟବହାର ଏବଂ ସାଇବର ପ୍ରତାରଣା ଭଳି ସାମ୍ନାକୁ ଆସୁଥିବା ସାମାଜିକ ଆହ୍ୱାନଗୁଡ଼ିକର ମୁକାବିଲା ପାଇଁ ସମନ୍ୱିତ ପ୍ରୟାସର ଆବଶ୍ୟକତା ଉପରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିଛନ୍ତି ।
ପ୍ରଧାନମନ୍ତ୍ରୀ ଏଲ୍ ନିନୋ ସ୍ଥିତିରୁ ସୃଷ୍ଟି ହେଉଥିବା ଚିନ୍ତା ପ୍ରତି ମଧ୍ୟ ଦୃଷ୍ଟି ଆକର୍ଷଣ କରିଛନ୍ତି ଏବଂ ଜଳ ସଂରକ୍ଷଣକୁ ପ୍ରୋତ୍ସାହିତ କରିବା ସହ ପ୍ରାକୃତିକ ଓ ଜୈବିକ ଚାଷ ପ୍ରଣାଳୀକୁ ପ୍ରୋତ୍ସାହନ ଦେବା ପାଇଁ ରାଜ୍ୟଗୁଡ଼ିକୁ ଅପିଲ୍ କରିଛନ୍ତି । ସେ ଉଲ୍ଲେଖ କରିଛନ୍ତି ଯେ ଚଳିତ ଖରିଫ ଋତୁରେ ଚାଷୀଙ୍କ ଦ୍ୱାରା ୧୧ ଲକ୍ଷ ଟନ୍ ଜୈବିକ ଖତ କ୍ରୟ କରାଯିବା ସ୍ଥାୟୀ କୃଷି ପ୍ରତି ସେମାନଙ୍କର ବଢ଼ୁଥିବା ବିଶ୍ୱାସକୁ ପ୍ରତିଫଳିତ କରୁଛି ।
ବିଶେଷକରି ଆକାଂକ୍ଷୀ ଜିଲ୍ଲା ମାନଦଣ୍ଡ ମାଧ୍ୟମରେ ଜିଲ୍ଲା ସ୍ତରରେ ପ୍ରଗତିର ମୂଲ୍ୟାଙ୍କନ କରିବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି । ସେହିଭଳି ଭାବରେ କୃଷି କ୍ଷେତ୍ରରେ ସକାରାତ୍ମକ ପରିଣାମ ଆଣିବା ପାଇଁ ୧୦୦ଟି ଜିଲ୍ଲା ଚିହ୍ନଟ କରାଯିବା ଉଚିତ ବୋଲି ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ସେ ରାଜ୍ୟଗୁଡ଼ିକୁ ଏହି ଦିଗରେ ନେତୃତ୍ୱ ନେବାକୁ ଆହ୍ୱାନ କରିଛନ୍ତି ଯେପରି ଆକାଂକ୍ଷୀ ଆଭିମୁଖ୍ୟ ମାଧ୍ୟମରେ ଏକ ଅଭୂତପୂର୍ବ ରୂପାନ୍ତରଣ ହାସଲ କରାଯାଇପାରିବ ।
ବିକଶିତ ଭାରତ@୨୦୪୭ର ଦୂରଦୃଷ୍ଟି ହାସଲ କରିବା ଦିଗରେ ଏକ ମନିଟରିଂ ଫ୍ରେମୱାର୍କ ଏବଂ ୧୦୦ ଦିନିଆ ଓ ପାଞ୍ଚ ବର୍ଷିଆ ଲକ୍ଷ୍ୟର ଆବଶ୍ୟକତା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି । ପୁଞ୍ଜିନିବେଶ ଆକର୍ଷିତ କରିବା ପାଇଁ ସୁଶାସନ, ସ୍ୱଚ୍ଛତା ଏବଂ ଭିତ୍ତିଭୂମିର ଗୁରୁତ୍ୱ ଉପରେ ଆଲୋକପାତ କରି ସେ ରାଜ୍ୟଗୁଡ଼ିକୁ ବ୍ରାଣ୍ଡିଂ, ‘ଇଜ୍ ଅଫ୍ ଡୁଇଂ ବିଜନେସ୍’ ଏବଂ ଡାଟା ସେଣ୍ଟର ଓ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (ଏଆଇ) ଭଳି କ୍ଷେତ୍ରରେ ଆସୁଥିବା ସୁଯୋଗଗୁଡ଼ିକ ଉପରେ ଧ୍ୟାନ ଦେବାକୁ ଆହ୍ୱାନ କରିଛନ୍ତି ।
ସେ କହିଛନ୍ତି ଯେ ଏଆଇକୁ ଏକ ସୁଯୋଗ ଭାବରେ ଦେଖାଯିବା ଉଚିତ ଏବଂ ଭବିଷ୍ୟତର ଅର୍ଥନୀତି ପାଇଁ ଆବଶ୍ୟକ ଦକ୍ଷତାରେ ଲୋକମାନଙ୍କୁ ସମୃଦ୍ଧ କରିବା ପାଇଁ ଅଧିକ ପ୍ରୟାସ କରିବା ଆବଶ୍ୟକ । ପ୍ରଧାନମନ୍ତ୍ରୀ ମୋଦୀ ନିଜ କାର୍ଯ୍ୟକାଳର ୧୨ ବର୍ଷ ପୂରଣ କରିଥିବାରୁ ମୁଖ୍ୟମନ୍ତ୍ରୀ, ଉପରାଜ୍ୟପାଳ ଓ ପ୍ରଶାସକମାନେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ବିଶ୍ୱସ୍ତରରେ ଭୂ-ରାଜନୈତିକ ସଙ୍କଟର ମୁକାବିଲା କରିବା ଏବଂ ଶକ୍ତି ଆବଶ୍ୟକତା କ୍ଷେତ୍ରରେ ଭାରତର ସ୍ଥିତି ସୁଦୃଢ଼ କରିବା ସହ ଏହାର ବିକାଶର ଗତିକୁ ବଜୟ ରଖିବା ପାଇଁ ସେମାନେ କେନ୍ଦ୍ର ସହିତ ଏକତା ପ୍ରକାଶ କରିଛନ୍ତି ।
ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ ଏହି ଆଲୋଚନା ଗଠନମୂଳକ ଥିଲା ଏବଂ ଏହା ରାଜ୍ୟଗୁଡ଼ିକର ଆକାଂକ୍ଷା, ଆଶା, ଅନୁଭୂତି, ସର୍ବୋତ୍ତମ ଅଭ୍ୟାସ ଏବଂ ଆହ୍ୱାନଗୁଡ଼ିକୁ ପ୍ରତିଫଳିତ କରିଛି । ବୈଠକରେ ଅଂଶଗ୍ରହଣ କରିଥିବାରୁ ସମସ୍ତ ମୁଖ୍ୟମନ୍ତ୍ରୀ, ଉପରାଜ୍ୟପାଳ ଏବଂ ପ୍ରଶାସକମାନଙ୍କୁ ପ୍ରଧାନମନ୍ତ୍ରୀ କୃତଜ୍ଞତା ଜଣାଇଛନ୍ତି ଏବଂ ଦୃଢ଼ ବିଶ୍ୱାସ ବ୍ୟକ୍ତ କରିଛନ୍ତି । ସେ କହିଛନ୍ତି, ସହଯୋଗ, ନବୋନ୍ମେଷ ଏବଂ ବିକାଶ ପ୍ରତି ଏକ ସାମୂହିକ ପ୍ରତିବଦ୍ଧତା ମାଧ୍ୟମରେ ଏକାଠି ମିଳିମିଶି ଭାରତ ୨୦୪୭ ସୁଦ୍ଧା ଏକ ‘ବିକଶିତ ଭାରତ’ ଆଡ଼କୁ ଏହାର ଯାତ୍ରାକୁ ତ୍ୱରାନ୍ୱିତ କରିପାରିବ ।