ଓଡ଼ିଶା ତାଜା ନ୍ୟୁଜ (୨୯ ସେପ୍ଟେମ୍ବର ମଙ୍ଗଳବାର ) ହିଞ୍ଜିଳିକାଟୁ :- କରୋନା ସମୟରେ ସଂସାର ବୋଝ ଉଠାଇବାକୁ ଅସମର୍ଥ ହୋଇପଡ଼ୁଥିବା ସଂସାର ଏବେ ବୋଝ ଉପରେ ମହଙ୍ଗା ମାଡ଼ ଏବେ ବେଡ଼ି ଉପରେ କରୋଡ଼ା ସଦୃଶ୍ୟ ହୋଇଛି । ମହାମାରୀ କରୋନା ପାଇଁ ୬ ମାସ ହେଲା ଜୀବନ ଜୀବିକା ଠପ୍ ହୋଇ ଯାଇଥିବା ବେଳେ ଲକଡ଼ାଉନ ହଟିବା ପରେ ସ୍ଥିତି ସ୍ୱାଭାବିକ ଆଡ଼କୁ ଯିବା ସମୟରେ ଏହି ମହଙ୍ଗା ମାଡ଼ ସଂସାରୀକୁ ଧରାଶାୟୀ କରି ପକାଇଛି । ଗୋଟିଏ ପଟେ ରୋଜଗାର ନଥିବା ବେଳେ ବଜାର ଦର ଆକାଶଛୁଆଁ ସେମାନଙ୍କୁ ଅଣନିଶ୍ୱାସୀ କରି ପକାଇଛି । ବିଶେଷ କରି ପ୍ରତିଦିନ ଆବଶ୍ୟକ ହେଉଥିବା ଗ୍ରୋସେରୀ, ସଉଦା ଓ ପନିପରିବା ଦରକୁ ନେଇ ଚିନ୍ତାରେ ପଡ଼ିଛନ୍ତି । ଗତ ସପ୍ତାହକ ମଧ୍ୟରେ ଆଳୁ, ପିଆଜ ଦର ହୁ ହୁ ହୋଇ ବଢିବାରେ ଲାଗିଛି । ହିଞ୍ଜିଳିକାଟୁ ପରିବା ବଜାରରେ ଆଳୁ କିଲୋ ପିଛା ଦର ୩୨ରୁ ୩୪ ଟଙ୍କା ରହିଥିବା ବେଳେ ନିକଟବର୍ତି ଗ୍ରାମାଂଚଳ ଗୁଡ଼ିକରେ ଦର ୩୬ରୁ ୩୮ ଟଙ୍କା ରହିଛି । ସେହିପରି ପିଆଜ କିଲୋ ସ୍ଥାନୀୟ ବଜାରରେ ୪୬ ଟଙ୍କା ରହିଥିବା ବେଳେ ଗ୍ରାମାଂଚଳ ଗୁଡ଼ିକରେ ଦର ପ୍ରାୟ ୫୦ରୁ ୫୨ଟଙ୍କା ରହିଛି ।
ପନିପରିବା ଦା ମଧ୍ୟ ଆକାଶ ଛୁଆଁ ରହିଛି । ୪ଶହ ଟଙ୍କାରେ ମଧ୍ୟ ବ୍ୟାଗ ଭର୍ତି ହେଉନି । ଏଭଳି ପରିସ୍ଥିତିରେ ଗରିବ ଓ ମଧ୍ୟବିତ ଶ୍ରେଣୀର ପରିବାର କିଭଳି ପରିବାର ପ୍ରତିପୋଷଣ କରିବେ ସେ ନେଇ ଚିନ୍ତାରେ ପଡ଼ିଛନ୍ତି । ବିଶେଷ କରି ଆଳୁ, ପିଆଜ ଦର ଖାଉଟିଙ୍କ ଉପରେ ବେଶ ପ୍ରଭାବ ପକାଇଛି । ଏହି ଦର ଆଗାମୀ ସପ୍ତାହେ ଦୁଇ ସପ୍ତାହ ମଧ୍ୟରେ ଆହୁରି ବଢିବାର ସମ୍ଭାବନା ରହିଛି ବୋଲି ଜଣାପଡ଼ିଛି । ଆଳୁ ପିଆଜ ଆମଦାନୀ କମ୍ ହେଉଥିବା ଦର୍ଶାଇ ବେପାରୀ ମାନେ ଆଗୁୁଆ ଚୋରା ଗୋଦାମରେ ମାଲ ରଖି ଦର ବୃଦ୍ଧିର ଫାଇଦା ନେଉଛନ୍ତି । ବଜାରରେ ଥିବା ଗୋଦାମ ଖାଲି କରି ମାଲ ନଥିବା ଦର୍ଶାଉଛନ୍ତି । କିଛି ଅସାଧୁ ବେପାରୀଙ୍କ ପାଇଁ ବଜାରରେ ଆଳୁ ପିଆଜ କୃତିମ ଅଭାବ ଦେଖାଦେବା ସହ ଚଢା ଦରରେ ବିକ୍ରି ହେଉଛି । ଯୋଗାଣ ବିଭାଗତୁରନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ ନକଲେ ଏଭଳି ଅସାଧୁ ମୁନାଫଖୋର ବେପାରୀ ମାନେ ଗ୍ରାହକଙ୍କୁ ବେଶୀ ଶୋଷି ଚାଲିବେ ବୋଲି ବୁଦ୍ଧିଜୀବି ମହଲରେ ମତ ପ୍ରକାଶ ପାଇଛି । (ଶୁସାନ୍ତ ପ୍ରଧାନ )
