କାର ଚାଳକର ବେପରୁଆ ଗାଡ଼ି ଚାଳନା, ଦୁର୍ଘଟଣା ଘଟାଇ ଫେରାର୍ : ଦେବଦୂତ ସାଜି ଗୁରୁତର ବାଇକ୍ ଚାଳକଙ୍କ ଜୀବନ ବଞ୍ଚାଇଲେ ‘ସଂକଳ୍ପ ପରିବାର’ର 

​ବରଗଡ଼ (ଓଡିଶା ତାଜା ନ୍ୟୁଜ) ନି. ପ୍ର :- ଦୁର୍ଘଟଣାଗ୍ରସ୍ତ ଜଣେ ଅସହାୟ ଯୁବକଙ୍କ ପାଇଁ ଦେବଦୂତ ସାଜିଛନ୍ତି ବରଗଡ଼ର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ‘ସଂକଳ୍ପ ପରିବାର’ ର ସଦସ୍ୟ । ନିଜର ଜୀବନ ବିକଳରେ ରାସ୍ତାରେ ପଡ଼ି ଛଟପଟ ହେଉଥିବା ଗୁରୁତର ଯୁବକଙ୍କୁ ଉଦ୍ଧାର କରି ହସ୍ପିଟାଲ ପହଞ୍ଚାଇବା ସହ ଏକ ମୂଲ୍ୟବାନ ଜୀବନ ବଞ୍ଚାଇବାରେ ସେମାନେ ସଫଳ ହୋଇଛନ୍ତି । ​ସୂଚନା ଅନୁଯାୟୀ, ଆଜି ଦୁଇପହର ପ୍ରାୟ ୩:୦୦ ଘଣ୍ଟା ସମୟରେ ବରଗଡ଼ ଖଜୁରଟିକ୍ରା ପ୍ରାଥମିକ ବିଦ୍ୟାଳୟ ସମ୍ମୁଖରେ ଏକ ଗମ୍ଭୀର ସଡ଼କ ଦୁର୍ଘଟଣା ଘଟିଥିଲା ।

ଏକ ବେପରୁଆ କାର ଚାଳକ ଜଣେ ବାଇକ୍ ଚାଳକଙ୍କୁ ଜୋରଦାର ଧକ୍କା ଦେଇଥିଲା। ଧକ୍କା ଏତେ ଶକ୍ତ ଥିଲା ଯେ ବାଇକ୍ ଚାଳକ ଯୁବକ ଜଣକ ପ୍ରବଳ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ସେଠାରେ ଛଟପଟ ହେଉଥିଲେ । ତାଙ୍କର ଡାହାଣ ଗୋଡ଼ଟି ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ଯାଇଥିବା ବେଳେ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ​ଦୁର୍ଘଟଣାର ଗାମ୍ଭୀର୍ଯ୍ୟକୁ ଦେଖି କାର ଚାଳକ ଜଣକ ଯୁବକଙ୍କୁ ହସ୍ପିଟାଲ ନେବା ପରିବର୍ତ୍ତେ ଅତି ଚତୁରତା ସହ ଅମାନୁଷିକତା ପ୍ରଦର୍ଶନ କରିଥିଲେ । “ଗାଡ଼ିକୁ ସାଇଡ୍ କରୁଛି” ବୋଲି ବାହାନା କରି ସେ ସେଠାରୁ ଗାଡ଼ି ନେଇ ଫେରାର୍ ହୋଇଯାଇଥିଲେ ।

​ଏହି ଦୁର୍ଘଟଣାର ଖବର ତୁରନ୍ତ ‘ସଂକଳ୍ପ ପରିବାର’ ପାଖରେ ପହଞ୍ଚିଥିଲା। ସୂଚନା ପାଇବା ମାତ୍ରେ ବିନା କୌଣସି ବିଳମ୍ବରେ ସଂକଳ୍ପ ପରିବାରର ସଭାପତି ବିକାଶ ଅଗ୍ରୱାଲ, ଚିନ୍ମୟ ପାଣ୍ଡେ ଓ ଅମର କୁମାର ତୁରନ୍ତ ନିଜର ବ୍ୟକ୍ତିଗତ କାର୍‌ ଧରି ଘଟଣାସ୍ଥଳରେ ପହଞ୍ଚିଥିଲେ । ​ସେମାନେ ନିଜ ଗାଡ଼ିରେ ଗୁରୁତର ଯୁବକଙ୍କୁ ଉଦ୍ଧାର କରି ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ (DHH) କୁ ଆଣିଥିଲେ । ସେଠାରେ ତୁରନ୍ତ ଡାକ୍ତରଙ୍କ ଦ୍ୱାରା ପ୍ରାଥମିକ ଚିକିତ୍ସା କରାଇବା ସହ ଆହତ ଯୁବକଙ୍କ ପରିବାର ଲୋକଙ୍କୁ ଯୋଗାଯୋଗ କରି ସେମାନଙ୍କୁ ହସ୍ତାନ୍ତର କରିଥିଲେ ।

ଆହତ ଯୁବକ ଜଣକ ହେଉଛନ୍ତି ବରଗଡ଼ ବିସି ପଡ଼ା (BC Pada) ର ବାସିନ୍ଦା ଗଜପତି ସୁନାଙ୍କ ପୁଅ ଧୀରଜ ସୁନା (୩୨) । ତେବେ ତାଙ୍କ ମୁଣ୍ଡ ଏବଂ ଗୋଡ଼ର ଅବସ୍ଥା ଗୁରୁତର ଥିବାରୁ, ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ତାଙ୍କୁ ଉଚ୍ଚତର ଚିକିତ୍ସା ପାଇଁ ବୁର୍ଲା ଭିମସାର୍ (VIMSAR) କୁ ରେଫର କରିଛନ୍ତି । ​ସଂକଳ୍ପ ପରିବାରର ସଦସ୍ୟଙ୍କ ଏଭଳି ତ୍ୱରିତ ଓ ମାନବୀୟ ପଦକ୍ଷେପକୁ ସ୍ଥାନୀୟ ଅଞ୍ଚଳରେ ଉଚ୍ଚ ପ୍ରଶଂସା କରାଯାଉଛି । ଅନ୍ୟପଟେ ଦୁର୍ଘଟଣା ଘଟାଇ ଫେରାର୍ ହୋଇଥିବା କାର ଚାଳକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି ।

 

Exit mobile version