ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଫାଇଲ ହଜିବା ଘଟଣା

ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରୁ ଫାଇଲ ହଜିଗଲା ନା ମୋହନ ସରକାର ଜାଣିଶୁଣି ହଜାଇଦେଲେ : ବିଜେଡି

ରଥଯାତ୍ରା ବେଳେ ବଡ ଠାକୁରଙ୍କୁ କଚାଡି ପକାଇ ଦେଲେ, ସେ ରିପୋର୍ଟ ଆସିବ କେବେ..?

ଏଏସ୍ଓଙ୍କୁ ତକ୍ରାଳୀନ ରାଜ୍ୟପାଳଙ୍କ ପୁଅ ମାଡ ମାରି ଜୋତା ଚଟାଇଲେ, ତାହାର ତଦନ୍ତ ରିପୋର୍ଟ ଗଲା କୁଆଡେ..?

କେଉଁ ବ୍ୟକ୍ତିଙ୍କୁ ସୁରକ୍ଷା ଦେବାକୁ ଯାଇ ସରକାର ଫାଇଲ ହଜିବାର ନାଟକ କରୁଛନ୍ତି

ଭୁବନେଶ୍ୱର (ଓଡିଶା ତାଜା ନ୍ୟୁଜ) ନି. ପ୍ର :- ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଦୁଇଟି ଫାଇଲ ହଜିଯାଇଥିବା କଥା ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି, ଯାହାକୁ ବିଜୁ ଜନତା ଦଳ କଡା ନିନ୍ଦା କରିଛି । ଏହା କେବଳ ଗୋଟିଏ ଫାଇଲ ହଜିବା ଘଟଣା ନୁହେଁ, ବରଂ ରାଜ୍ୟର ପ୍ରଶାସନିକ ବ୍ୟବସ୍ଥା ଏବଂ ସୁରକ୍ଷା ପ୍ରଣାଳୀ ଉପରେ ଏକ ବଡ଼ ପ୍ରଶ୍ନଚିହ୍ନ ସୃଷ୍ଟି କରିଛି ବୋଲି ବିଜେଡି କହିଛି ।

ଏକ ପ୍ରେସ ବିବୃତ୍ତିରେ ବିଜେଡି ବିଧାୟକ ତଥା ବରିଷ୍ଠ ନେତା ଡ. ଅରୁଣ କୁମାର ସାହୁ ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରି କହିଛନ୍ତି, କେଉଁ ଫାଇଲ ହଜିଛିି..?

ଫାଇଲ ସତରେ ହଜିଛି ନା ଜାଣିଶୁଣି ହଜେଇ ଦିଆଯାଇଛି..?

ଯଦି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଭଳି ସର୍ବୋଚ୍ଚ ପ୍ରଶାସନିକ କେନ୍ଦ୍ର ସୁରକ୍ଷିତ ନୁହେଁ, ତେବେ ସାଧାରଣ ଲୋକଙ୍କ ଧନଜୀବନ ଓ ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ କେତେ ସୁରକ୍ଷିତ ଅଛି..?

ରାଜ୍ୟ ସରକାର ଦାବି କରୁଛନ୍ତି ଯେ ଅନଲାଇନ୍ ଫାଇଲ ବ୍ୟବସ୍ଥା କାର୍ଯ୍ୟକ୍ଷମ ହୋଉଛି । ଯଦି ଏହା ସତ, ତେବେ ହାର୍ଡ କପି ଫାଇଲ କିପରି ହଜିଲା..?

ଏହାର ସମ୍ପୂର୍ଣ୍ଣ ସତ୍ୟ ରାଜ୍ୟବାସୀଙ୍କ ସମ୍ମୁଖରେ ରଖିବା ଆବଶ୍ୟକ । ଡ. ସାହୁ ଆହୁରି ମଧ୍ୟ କହିଛନ୍ତି, ପ୍ରତ୍ୟେକ ସରକାରୀ ଫାଇଲ ନିର୍ଦ୍ଦିଷ୍ଟ ପ୍ରକ୍ରିୟାରେ ବିଭିନ୍ନ ସ୍ତର ଦେଇ ଗତି କରିଥାଏ । ସେକ୍ସନ ଅଫିସରଠାରୁ ଆରମ୍ଭ କରି ସେକ୍ରେଟାରୀ, ଚିଫ ସେକ୍ରେଟାରୀ, ମନ୍ତ୍ରୀ ଏବଂ ଶେଷରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଫାଇଲ ଗତି କରିବାର ସମସ୍ତ ତଥ୍ୟ ରେକର୍ଡ ହୋଇ ରହିଥାଏ ।

ଏହି ଫାଇଲ କେଉଁ ପର୍ଯ୍ୟାୟରେ ହଜିଲା..?

ଫାଇଲ ମୁଭମେଣ୍ଟ ରେଜିଷ୍ଟରରେ କ’ଣ ତଥ୍ୟ ରହିଛି..?

ସିସିଟିଭି ଫୁଟେଜ୍ ଯାଞ୍ଚ କରାଯାଇଛି କି.?

ସିସିଟିଭି ବ୍ୟବସ୍ଥା କାର୍ଯ୍ୟକ୍ଷମ ଥିଲା କି ନାହିଁ..?

ଏହି ସମସ୍ତ ପ୍ରଶ୍ନର ଉତ୍ତର ସରକାର ଦେବା ଉଚିତ :-

ଏ ସରକାରରେ ବଡ ଠାକୁରଙ୍କୁ କଚାଡିକି ପକାଇଦେଲେ ତାହାର ଏପର୍ଯ୍ୟନ୍ତ କୌଣସି ରିପୋର୍ଟ ସାର୍ବଜନୀନ କଲେ ନାହିଁ । ଜଣେ ଏଏସ୍ଓଙ୍କୁ ତକ୍ରକାଳୀନ ରାଜ୍ୟପାଳଙ୍କ ପୁଅ ମାଡ ମାରି ଜୋତା ଚଟାଇଲେ, ସେ ସଂପର୍କରେ କୌଣସି ତଦନ୍ତ ରିପୋର୍ଟ ମଧ୍ୟ ଆସିଲା ନାହିଁ । କେବଳ ଏତିକି ନୁହେଁ ବହୁ ମାମଲାର ରିପୋର୍ଟ ପ୍ରକାଶ କରିବେ ବୋଲି ଏ ସରକାର କହିଛି । କିନ୍ତୁ ଏପର୍ଯ୍ୟନ୍ତ କୌଣସି ରିପୋର୍ଟ ପ୍ରକାଶ କରିନାହାନ୍ତି ।

ବାସ୍ତବରେ ଏ ସରକାର କ’ଣ ଲୁଚାଇବାକୁ ଚାହୁଁଛନ୍ତି ବା କୌଣସି ବ୍ୟକ୍ତିକୁ ବଞ୍ଚାଇବାକୁ ଚାହୁଁଛନ୍ତି କି, ଯେଉଁଥିପାଇଁ ଏହି ଫାଇଲ ହଜିବାର ନାଟକ ହେଉନାହିଁ ତ ? ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଫାଇଲ ନିଖୋଜ ହେବା ଘଟଣା କେବଳ ପ୍ରଶାସନିକ ବିଫଳତା ନୁହେଁ, ବରଂ ଜନସାଧାରଣଙ୍କ ବିଶ୍ୱାସ ସହ ଜଡିତ ଏକ ଗମ୍ଭୀର ପ୍ରସଙ୍ଗ । ରାଜ୍ୟବାସୀ ସତ୍ୟ ଜାଣିବାକୁ ଚାହୁଁଛନ୍ତି । ସରକାର ଏହି ଘଟଣାକୁ ହାଲୁକା ଭାବରେ ନ ନେଇ ତୁରନ୍ତ ସତ୍ୟ ଉନ୍ମୋଚନ କରନ୍ତୁ ଏବଂ ନୈତିକ ଦାୟିତ୍ୱ ବହନ କରନ୍ତୁ ବୋଲି ବିଜେଡି ଦାବି କରିଛି ।

Exit mobile version