ମନରେଗା ଓ ଉନ୍ନୟନ ପ୍ରକଳ୍ପର ପରିଦର୍ଶନ ଏବଂ ସମୀକ୍ଷା

ଓଡ଼ିଶା ତାଜା ନ୍ୟୁଜ (୨୯ ସେପ୍ଟେମ୍ବର ମଙ୍ଗଳବାର )  ହିଞିଳିକାଟୁ  :-  ଗଞ୍ଜାମ ଜିଲ୍ଲାରେ କରୋନା ସଂକ୍ରମଣ ସ୍ଥିତି ସଙ୍ଗୀନ ଥିଲା ବେଳେ କୋଭିଡ କଟକଣା ସାଧାରଣ ଜନଜୀବନକୁ ବେଶ ପ୍ରଭାବିତ କରିଥିଲା । ବର୍ତ୍ତମାନ କରୋନା ସଂକ୍ରମଣ ସ୍ଥିତି ନିୟନ୍ତ୍ରଣ ମଧ୍ୟରେ ରହିଥିଲେ ମଧ୍ୟ ସାଧାରଣ ଲୋକଙ୍କ ଜୀବନ ଜୀବିକା ଉପରେ ଆର୍ଥିକ ପରିସ୍ଥିତି ଏକ ପ୍ରମୁଖ ସମସ୍ୟା ସୃଷ୍ଟି କରିଛି । ଦୈନନ୍ଦିନ ଜୀବିକାରେ ଆର୍ଥିକ ଅଭିବୃଦ୍ଧି ସହ ସ୍ୱାବଲମ୍ବୀ ହେବା ପାଇଁ ଗଞ୍ଜାମ ଜିଲ୍ଲାପାଳ ମନରେଗା ଯୋଜନାରେ ଅନ୍ତର୍ଭୁକ୍ତ ଥିବା ବିଭିନ୍ନ ଜନକଲ୍ୟାଣ କାରୀ ପ୍ରକଳ୍ପକୁ ତ୍ୱରାନ୍ୱିତ କରିବା କ୍ଷେତ୍ରରେ ଗୁରୁତ୍ୱାରୋପ କରିଛନ୍ତି । ଏହି ଯୋଜନାର ସଠିକ ରୂପାୟନ ଏବଂ ପ୍ରକଳ୍ପ ଗୁଡ଼ିକର ଅଗ୍ରଗତି ଓ କାର୍ଯ୍ୟକାରିତା ନେଇ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ମଙ୍ଗଳବାର ହିଞ୍ଜିଳି ବ୍ଲକ ଗସ୍ତରେ ଆସି ବିଭିନ୍ନ ପ୍ରକଳ୍ପର ପରିଦର୍ଶନ କରିଥିଲେ ।

ଚାନ୍ଦୁଲି ଓ ଖଣ୍ଡରା ଗ୍ରାମରେ ଚାଲିଥିବା ପୋଖରୀ କାର୍ଯ୍ୟର ସ୍ଥିତି ପରଖି ଅସନ୍ତୋଷ ପ୍ରକାଶ କରିଥିଲେ।ମନରେଗା ଯୋଜନାରେ ନିର୍ମିତ ହୋଇଥିବା ଡଗୱେଲକୁ ଦେଖିବା ପରେ ଚାରା ରୋପଣ କରିବା ସହ ଛେଳି ଗୁହାଳ ଓ ଆଦର୍ଶ ଗାଈ ଗୁହାଳ ଆଦି ବ୍ୟକ୍ତିଗତ ପ୍ରକଳ୍ପ ନିର୍ମାଣ ଉପରେ ପରାମର୍ଶ ଦେଇଥିଲେ । ବୁରୁପଡା ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ନିର୍ମାଣାଧୀନ ଥିବା ପାଠାଗାର ର ଅଗ୍ରଗତି ସମ୍ପର୍କରେ ଆଲୋଚନା କରିଥିଲେ । ଖରିଡା ପଞ୍ଚାୟତ ଅଧିନ ଗିରିଆ ନାରାୟଣ ପୁର ଗ୍ରାମରେ ନୂତନ ଭାବେ ତିଆରି ହୋଇଥିବା ମୋ ଉପକାରୀ ବଗିଚାର ସ୍ଥିତି ଅନୁଧ୍ୟାନ କରି କରେଇଶୁଣି ମନ୍ଦିରର ଉନ୍ନତିକରଣ କ୍ଷେତ୍ରରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ପରାମର୍ଶ ଦେଇଥିଲେ ।ଶିକିରି ପଞ୍ଚାୟତରେ ମନରେଗା ଯୋଜନାରେ ରାସ୍ତା ନିର୍ମାଣ କାର୍ଯ୍ୟରେ ନିୟୋଜିତ ଥିବା ଶ୍ରମିକଙ୍କ ସହ କୋଭିଡ ସଚେତନତା ନେଇ ଆଲୋଚନା କରି ଅଭାଵ ଅସୁବିଧା ପଚାରି ବୁଝିଥିଲେ ।

ପରେ ଶାସନ ଆମ୍ବଗାଁ ପଞ୍ଚାୟତର ସାପୁଆ ବନ୍ଧର ଉନ୍ନତିକରଣ ଓ ଶିଶୁପାର୍କକୁ ପରିଦର୍ଶନ କରିଥିଲେ । ମୁଖ୍ୟତଃ ମନରେଗା ଯୋଜନାରେ ଅଧିକ ଶ୍ରମ ଦିବସ ସୃଷ୍ଟି କରି ଗ୍ରାମୀଣ ପରିବାରଙ୍କ ଜୀବନ ଜୀବିକା ସ୍ୱାଭାବିକ କରିବା ଦିଗରେ ପଦକ୍ଷେପ ଗ୍ରହଣ କରିବା ସହ ଆର୍ଥିକ ଅଭିବୃଦ୍ଧି ପାଇଁ ବ୍ୟକ୍ତିଗତ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ ବିଭାଗୀୟ ଯନ୍ତ୍ରୀଙ୍କୁ ପରାମର୍ଶ ଦେଇଥିଲେ । ଜିଲ୍ଲାପାଳଙ୍କ ସହ ବିଡ଼ିଓ ପ୍ରସନ୍ନ କୁମାର ପାତ୍ର, ସହକାରୀ ଯନ୍ତ୍ରୀ ପ୍ରମୋଦ କୁମାର ନାୟକ, ପିଇଓ ସୁଶାନ୍ତ କୁମାର ପାତ୍ର, ଇ ଶଙ୍କର ରାଓ, ଅଶ୍ୱିନୀ କୁମାର ସାହୁ,ସରପଞ୍ଚ ଲକ୍ଷ୍ମଣ ଗୌଡ଼, ମନୋଜ ସାବତ, ଅଶୋକ କୁମାର ପଣ୍ଡା, ଶ୍ରୀକାନ୍ତ ପଣ୍ଡା,ସରପଞ୍ଚ ଓ କନିଷ୍ଠ ଯନ୍ତ୍ରୀ ମାନେ ଉପସ୍ଥିତ ଥିଲେ । ( ଶୁସାନ୍ତ ପ୍ରଧାନ )

Exit mobile version