ହିଞ୍ଜିଳିକାଟୁ (ଓଡ଼ିଶା ତାଜା ନ୍ୟୁଜ୍) (ନିପ୍ର) :- ଗଞ୍ଜାମ ଜିଲ୍ଲା ବିଜେପି ପକ୍ଷରୁ ହିଞ୍ଜିଳିକାଟୁ ଠାରେ ଦୁଇଦିନିଆ ପଣ୍ଡିତ ଦିନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହା ଅଭିଯାନ୨୦୨୬ରେ ଜିଲ୍ଳା ପ୍ରଶିକ୍ଷଣ ବର୍ଗ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ସବୁକିଛି ସୁରୁଖୁରୁରେ ଚାଲିଥିବା ବେଳେ ଉଦଯାପନୀ ଦିବସରେ ରୁଦ୍ଧଦ୍ବାର ବୈଠକରେ ଉଚ୍ଚବାଚ ଓ ଗୋଷ୍ଠୀ କନ୍ଦଳ ପଦାରେ ପଡ଼ିଛି। ବୈଠକକୁ ଯୋଗ ଦେବାକୁ ଆସିଥିବା ଆସିକା ବିଧାୟକ ସରୋଜ ପାଢ଼ୀ, ତାଙ୍କ ପୁଅଙ୍କ ସମେତ କବିସୂର୍ଯ୍ୟ ନଗର ବିଧାୟକ ପ୍ରତାପ ନାୟକଙ୍କ କାର୍ଯ୍ୟକଳାପକୁ ନେଇ କିଛି କର୍ମୀ ଏବଂ ନେତା ପ୍ରବଳ ବିରୋଧ କରି ଅସନ୍ତୋଷ ଝାଡ଼ିଛନ୍ତି।

ପରିସ୍ଥିତି ଏପରି ହୋଇଥିଲା ଯେ ଦୁଇ ବିଧାୟକଙ୍କ ସମେତ ଦୁଇପୁଅଙ୍କ ମନୋମୁଖୀ କାର୍ଯ୍ୟଶୈଳୀ ବିରୋଧରେ କୁହୁଳିଥିବା ପୁଞ୍ଜିଭୂତ ଅସନ୍ତୋଷ ଉଗ୍ରରୂପ ଧାରଣ କରିଥିଲା। ଫଳ ସ୍ୱରୂପ ଛାମୁଆ ନେତା ଓ ମଣ୍ଡଳ କର୍ମୀ ସେମାନଙ୍କୁ ଅଶାଳୀନ ଆଚରଣ, ଅସଭ୍ୟ ଭାଷାରେ ଗାଳିଗୁଲଜ ଓ ପ୍ରବଳ ପାଟିତୁଣ୍ଡ କରିଥିଲେ। ଯାହାର ଏକ ଭିଡ଼ିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହେବାରେ ଲାଗିଛି l ଏହାକୁ ନେଇ ବର୍ତ୍ତମାନ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି ।

ସୁଚନା ଅନୁସାରେ ହିଞ୍ଜିଳିକାଟୁ ପୌରାଞ୍ଚଳରେ ଥିବା ଏକ ଘରୋଇ କଲ୍ୟାଣମଣ୍ଡପରେ ପଣ୍ଡିତ ଦୀନ ଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହା ଅଭିଯାନ ୨୦୨୬ ରେ ଜିଲ୍ଲା ପ୍ରଶିକ୍ଷଣ ବର୍ଗ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଖଲ୍ଲିକୋଟ ଓ ହିଞ୍ଜିଳି ନିର୍ବାଚନ ମଣ୍ଡଳୀର ନେତୃବୃନ୍ଦଙ୍କ ସମେତ କବିସୂର୍ଯ୍ୟନଗର ବିଧାୟକ ପ୍ରତାପ ଚନ୍ଦ୍ର ନାୟକ, ବରିଷ୍ଠ ନେତା ବିଜୟ ସ୍ବାଇଁ, ହିଞ୍ଜିଳିକାଟୁ ବିଧାନସଭା ପ୍ରାର୍ଥୀ ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶିଶିର ମିଶ୍ର, କାହ୍ନୁ ଚରଣ ପତି, ଅରୁଣ କୁମାର ପଣ୍ତା ଉତ୍ତମ କୁମାର ପାଣିଗ୍ରାହିଙ୍କ ସମେତ ଅନେକ ବରିଷ୍ଠ ନେତା ସାମିଲ ହୋଇଥିଲେ ।

ଆସିକା ବିଧାୟକ ଶ୍ରୀ ପାଢ଼ୀଙ୍କ ସମେତ ତାଙ୍କ ଦୁଇ ପୁଅ ବି ବୈଠକରେ ସାମିଲ ହୋଇଥିଲେ। ତେବେ ହଠାତ୍ କୌଣସି କାରଣକୁ ନେଇ ଆସିକା ବିଧାୟକ ଏବଂ ତାଙ୍କ ପୁଅଙ୍କ ସହ କବିସୂର୍ଯ୍ୟ ନଗର ବିଧାୟକଙ୍କୁ ଆକ୍ଷେପ କରି ଦଳର କିଛି ନେତା ଓ କର୍ମୀ ପ୍ରବଳ ଯୁକ୍ତିତର୍କ କରିଥିଲେ । ଫଳରେ କିଛି ସମୟ ପାଇଁ ସେଠାରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା। ଦୁଇ ବିଧାୟକ ମନମୁଖି ନୀତି ଅବଲମ୍ବନ କରିବା ଓ ଦଳୀୟ ସଂଗଠନର ନିୟମକୁ ମାନୁ ନଥିବା କିଛି କର୍ମୀ ଅଭିଯୋଗ ଆଣିଛନ୍ତି।

ଅନ୍ୟପକ୍ଷରେ ଗତ କିଛି ଦିନ ଧରି ବିଭିନ୍ନ ପଦପଦବୀରେ ରହି କାର୍ଯ୍ୟ କରୁଥିବା ବରିଷ୍ଠଙ୍କୁ ଉପେକ୍ଷା କରିବା ସହ ଠିକା କାର୍ଯ୍ୟକୁ ନେଇ ଦଳୀୟ କର୍ମୀଙ୍କ ମହଲରେ ପରସ୍ପରକୁ ଦୋଷାରୋପ କରୁଥିବା ଘଟଣା ସମ୍ପର୍କରେ ଆଲୋଚନା ଜୋର୍ ଧରିଛି।ଘଟଣା ପରେ ରାଜ୍ୟର ବରିଷ୍ଠ ନେତୃବୃନ୍ଦ ଦୁଇ ବିଧାୟକ ଉପରେ ଅସନ୍ତୋଷ ପ୍ରକାଶ କରି ଦଳୀୟ ଅନୁଶାସନ ଓ ନିଷ୍ପତ୍ତି ଅନୁସାରେ ସାଂଗଠନିକ କାମ କରିବାକୁ କୁଆଡେ ତାଗିଦ କରିଥିବା ଅସମର୍ଥିତ ସୂତ୍ରରୁ ଜଣାପଡ଼ିଛି। ଗେରୁଆ ଦଳର ଦୁଇ ବିଧାୟକ ଓ ପୁଅଙ୍କ କାର୍ଯ୍ୟକଲାପ ଏବେ ଦାଣ୍ଡରେ ପଡି ହାଟରେ ଗଡୁଛି।

Exit mobile version