ଅପେରା ପରିବେଷଣ ବେଳେ ଅଘଟଣ – ବିଦ୍ୟୁତ୍ ଆଘାତରେ ଯୁବକଙ୍କ ମୃତ୍ୟୁ

ମୃତକଙ୍କ ପରିବାରକୁ ୫‌ ଲକ୍ଷ ୫୦ ହଜାର ଟଙ୍କା ସହାୟତା ରାଶି ପ୍ରଦାନ

ହିଞ୍ଜିଳିକାଟୁ (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :- ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ପୌରାଞ୍ଚଳ ଘୋଡାହାଡ ନଦୀ ନିକଟରେ ଚାଲିଥିଲା ଅପେରା ପରିବେଷଣ। ହିଞ୍ଜିଳିକାଟୁ ରାଧାକୃଷ୍ଣ ହୋଲସେଲ ପରିବା ବ୍ୟବସାୟୀ ସଂଘ ପକ୍ଷରୁ ଆୟୋଜନ କରାଯାଇଥିବା ୪ ଦିନିଆ ସିଂହ ବାହୀନି ଅପେରାର ପ୍ରଥମ ରଜନୀରେ ହିଁ ଘଟିଲା ଅଘଟଣ। ଅପେରା ପରିବେଷଣ ବେଳେ ଅସାବଧାନତା ବଶତଃ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଜଣେ ଯୁବକଙ୍କ ଶୋଚନୀୟ ମୃତ୍ୟୁ ଘଟିଛି। ମୃତ ଯୁଵକ ଜଣକ ହେଲେ ହିଞ୍ଜିଳି ଥାନା ତଥା ହିଞ୍ଜିଳିକାଟୁ ପୌରାଞ୍ଚଳ ଆଙ୍କୋରଡା ଗ୍ରାମ ୧୮ ନଂ ୱାର୍ଡ ବାସିନ୍ଦା ବଳରାମ ନାହାକ (୨୩) ।

ଏଭଳି ଏକ ଅଭାବନୀୟ ଘଟଣା ଶନିବାର ବିଳମ୍ବିତ ରାତିରେ ଘଟିଛି। ଅପେରା କମିଟି ଓ କିଛି ଦର୍ଶକ ବଳରାମଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସବୁଠାରୁ ଦୁଃଖ ଓ ପରିତାପର ବିଷୟ ଅପେରା ପରିବେଷଣ ସମୟରେ ବିଦ୍ୟୁତ୍ ଆଘାତରେ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ଯାତ୍ରା କମିଟି କିମ୍ବା ଅପେରା ଦଳ ଏଥିପ୍ରତି ସମବେଦନା ଦେବା ତ ଦୂରର କଥା ଏହାକୁ ସେତେଟା ଗୁରୁତ୍ୱ ଦେଇ ନ ଥିଲେ।

ବରଂ ବ୍ୟବସାୟିକ ଉଦ୍ଦେଶ୍ୟ ରଖି ଅପେରା ପରିବେଷଣ କରି ଦର୍ଶକଙ୍କ ପାଇଁ ମନୋରଞ୍ଜନ କରିଥିଲେ। ଖବର ପାଇ ମୃତକଙ୍କ ଗ୍ରାମର ୫ଶହରୁ ଉର୍ଦ୍ଧ୍ବ ଲୋକ କ୍ଷତିପୂରଣ ଦାବିରେ ହିଞ୍ଜିଳି ଥାନା ଘେରାଉ କରିଥିଲେ। ଖବର ପାଇ ହିଞ୍ଜିଳି ପୁଲିସ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ପହଞ୍ଚି ମୃତଦେହକୁ ଜବତ କରିଛି। ଏ ନେଇ ହିଞ୍ଜିଳି ଥାନାରେ କେସ ନଂ – ୮/୨୬ ରେ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ରବିବାର ସକାଳେ ମୃତଦେହ ବ୍ୟବଚ୍ଛେଦ ସକାଶେ ବ୍ରହ୍ମପୁର ବଡ ଡ଼ାକ୍ତରଖାନାକୁ ପଠାଇ ପୁଲିସ ଘଟଣାର ତଦନ୍ତ ଚଳାଇଛି।‌

ଗୋଟିଏ ପଟେ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଶବ ପଡି ରହିଥିବା ବେଳେ ସେଠାରେ କେହି ବି ଜଣେ ଉପସ୍ଥିତ ଥିବା ଦେଖା ଯାଇଥିଲା । ଏଭଳି ଏକ ଅଭାବନୀୟ ଘଟଣା ଘଟି ଥିଲେ ମଧ୍ୟ ଅପେରା ପରିଚାଳନା କମିଟି, ଯାତ୍ରା କଳାକାର କିମ୍ବା ରାଧାକୃଷ୍ଣ ହୋଲସେଲ ପରିବା ବ୍ୟବସାୟୀ କମିଟି ପକ୍ଷରୁ ସାମାନ୍ୟତମ ସମବେଦନା ଜ୍ଞାପନ କରାନଯିବା ଘଟଣା ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।‌ବହୁ ବାଦବିବାଦ ପରେ ଅପେରା ପରିଚାଳକ ଓ ମାଲିକ ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରିବାକୁ ସହମତି ପ୍ରକାଶ କରିଛନ୍ତି।

ଯାତ୍ରା କଳାକାର ପିୟୁଷ ତ୍ରିପାଠୀ ମୃତକଙ୍କ ପରିବାରକୁ ୫୦ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରିବା ସହ ଶୋକସନ୍ତପ ପରିବାରକୁ ଭେଟି ସମବେଦନା ଜଣାଇଛନ୍ତି। ଅନ୍ୟପକ୍ଷରେ ଶୁକ୍ରବାର ବିଳମ୍ବିତ ରାତ୍ର ସମୟ ପର୍ଯ୍ୟନ୍ତ ଅପେରା ପରିବେଷଣ ସକାଶେ ଅନୁମତି ପତ୍ର ନଥିବା ଅଭିଯୋଗ ହୋଇଛି। ବିଳମ୍ବିତ ରାତ୍ର‌ ସମୟ ପର୍ଯ୍ୟନ୍ତ ଅପେରା ପରିବେଷଣ ସକାଶେ ଅନୁମତି ପତ୍ର କମିଟି ପକ୍ଷରୁ ହିଞ୍ଜିଳି ଥାନାରେ ଦାଖଲ କରାଯାଇନଥିବା ଜଣାପଡ଼ିଛି।

ଏଭଳି ତ୍ରୁଟି ବିଚ୍ୟୁତିକୁ ଏଡ଼ାଇ ଦେଇ ଅପେରା ପରିବେଷଣ‌ ହୋଇଥିଲେ ମଧ୍ୟ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ଶିଥିଳତା ଏବଂ ସ୍ଥାନୀୟ ବିଦ୍ୟୁତ୍ ବିଭାଗୀୟ ଅଧିକାରୀ ମଧ୍ଯ ବିନା ଯାଞ୍ଚରେ କିପରି ଆପତ୍ତି ବିହୀନ ପ୍ରମାଣପତ୍ର ପ୍ରଦାନ କରିଥିଲେ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି। କେଉଁ ଅଦୃଶ୍ୟ କାରଣରୁ ଏଭଳି ବେଆଇନ କାର୍ଯ୍ୟକୁ ପ୍ରଶୟ ଦିଆଯାଉଛି, ତାହା ସନ୍ଦେହ ଘେରରେ ରହିଛି। ଶବ ବ୍ୟବଚ୍ଛେଦ ପରେ ମୃତଦେହ ପରିବାର ସଦସ୍ୟଙ୍କୁ ହସ୍ତାନ୍ତର କରାଯାଇଛି।‌

ଶୋକାକୁଳ ପରିବେଶ ମଧ୍ୟରେ ସ୍ଥାନୀୟ ଶ୍ମଶାନରେ ଶବ ସତ୍କାର କରାଯାଇଛି। ଶନିବାର ବିଳମ୍ବିତ ରାତିରେ ଏଭଳି ସମ୍ବେଦନଶୀଳ ଘଟଣା ଘଟିବା ସହ ଟିକେଟ କଳାବଜାରୀ ପଛରେ ଅପେରା ଆୟୋଜକ କମିଟି ଓ ସ୍ଥାନୀୟ ପ୍ରଶାସନ ମଧ୍ୟରେ କିଛି ଗୁପ୍ତ ବୁଝାମଣା ରହିଛି କି ବୋଲି ସାଧାରଣରେ ଆଲୋଚନା ହେଉଛି।

Exit mobile version