ପୂର୍ବତଟ ରେଳପଥର ଖୋର୍ଦ୍ଧାରୋଡ଼ ରେଳ ମଣ୍ଡଳ ପକ୍ଷରୁ ବ୍ୟାପକ ଟିକେଟ୍ ଯାଞ୍ଚ ଅଭିଯାନ: ଗୋଟିଏ ଦିନରେ ରେକର୍ଡ ୨୩.୬୦ ଲକ୍ଷ ଆଦାୟ

ଖୋରଧା-ଜଟଣୀ (ଓଡିଶା ତାଜା ନ୍ୟୁଜ) ନି. ପ୍ର :-  ବୈଧ ଯାତ୍ରୀମାନଙ୍କ ପାଇଁ ସୁରକ୍ଷିତ, ସୁବିଧାଜନକ ଓ ନିର୍ବିଘ୍ନ ଯାତ୍ରା ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ପୂର୍ବତଟ ରେଳପଥର ଖୋର୍ଦ୍ଧାରୋଡ଼ ରେଳ ମଣ୍ଡଳ ପକ୍ଷରୁ ଏହାର ଅଧିକାର କ୍ଷେତ୍ରରେ ଏକ ବ୍ୟାପକ ଟିକେଟ୍ ଯାଞ୍ଚ ଅଭିଯାନ ଚାଳନା କରାଯାଇଥିଲା । ଏହି ବ୍ୟାପକ ଟିକେଟ୍ ଯାଞ୍ଚ ଅଭିଯାନ ସମୟରେ ବାଣିଜ୍ୟ ବିଭାଗର ଅଧିକାରୀ, ଟିକେଟ୍ ଯାଞ୍ଚ କର୍ମଚାରୀ ଏବଂ ରେଳ ସୁରକ୍ଷା ବଳ (ଆର ପି ଏଫ୍) କର୍ମଚାରୀଙ୍କ ସମନ୍ୱୟରେ ଗଠିତ ଦଳ ଦ୍ୱାରା ବିଭିନ୍ନ ଟ୍ରେନରେ ପୁଙ୍ଖାନୁପୁଙ୍ଖ ଯାଞ୍ଚ କରାଯାଇଥିଲା ।

ବିନା ଟିକେଟ୍ ଓ ଅନିୟମିତ ଯାତ୍ରାକୁ ରୋକିବା ସହିତ ବୈଧ ରେଳ ଯାତ୍ରାକୁ ପ୍ରୋତ୍ସାହନ ଦେବା ପାଇଁ ଏହି ବିଶେଷ ପଦକ୍ଷେପ ଗ୍ରହଣ କରାଯାଇଥିଲା । ଏହି ଅଭିଯାନର ଫଳସ୍ୱରୂପ ବିନା ଟିକେଟ୍/ଅନିୟମିତ ଯାତ୍ରାର ମୋଟ ୩,୭୯୮ଟି ମାମଲା ଚିହ୍ନଟ ହୋଇଥିଲା । ଏହି ପରିପ୍ରେକ୍ଷୀରେ, ସମସ୍ତ ଯାତ୍ରୀଙ୍କୁ ବୈଧ ଟିକେଟ୍ ସହ ଯାତ୍ରା କରିବା ଏବଂ ରେଳବାଇ ନିୟମାବଳୀ କଡାକଡିଭାବେ ପାଳନ କରି ସୁରକ୍ଷିତ, ଶୃଙ୍ଖଳିତ ଓ ଅସୁବିଧା ମୁକ୍ତ ଯାତ୍ରା ପରିବେଶ ରକ୍ଷାରେ ସହଯୋଗ କରିବାକୁ ଅନୁରୋଧ କରାଯାଉଛି ।

ଖୋର୍ଦ୍ଧାରୋଡ୍‌ର ବରିଷ୍ଠ ମଣ୍ଡଳ ବାଣିଜ୍ୟ ପ୍ରବନ୍ଧକ ଶ୍ରୀ ଅନିଲ କୁମାର ଏସ.ଙ୍କ ମାର୍ଗଦର୍ଶନରେ ଏହି ଅଭିଯାନ ପରିଚାଳିତ ହୋଇଥିଲା । କେବଳ ବୈଧ ଯାତ୍ରୀମାନେ ଟ୍ରେନରେ ଯାତ୍ରା କରୁଥିବା ସୁନିଶ୍ଚିତ କରିବା ଓ ପ୍ରକୃତ ରେଳ ଯାତ୍ରୀଙ୍କ ସ୍ୱାର୍ଥ ସୁରକ୍ଷା ପାଇଁ ମଣ୍ଡଳ ପକ୍ଷରୁ ବ୍ୟାପକ ଟିକେଟ୍ ଯାଞ୍ଚ ଅଭିଯାନ ନିୟମିତ ଭାବେ ଚାଳନା କରାଯାଉଛି । ଯାତ୍ରା ସମୟରେ ଅସୁବିଧା, ଜରିମାନା ଓ ଆଇନଗତ କାର୍ଯ୍ୟାନୁଷ୍ଠାନରୁ ବଞ୍ଚିବା ପାଇଁ ସମସ୍ତ ଯାତ୍ରୀଙ୍କୁ ବୈଧ ଟିକେଟ୍ ଓ ଯାତ୍ରା ପ୍ରମାଣପତ୍ର ସହିତ ଯାତ୍ରା କରିବାକୁ ଖୋର୍ଦ୍ଧା ରୋଡ୍ ଡିଭିଜନ ପକ୍ଷରୁ ନିବେଦନ କରାଯାଇଛି ।

Exit mobile version