ପେଟ୍ରୋଲ ଅଭାବ, ଗ୍ରାହକଙ୍କ ବିକଳ ଅବସ୍ଥା

ବାଲୁଗାଁ  (ଓଡିଶା ତାଜା ନ୍ୟୁଜ) ନି. ପ୍ର :- ରାଜ୍ୟ ସରକାର ପେଟ୍ରୋଲ ଯୋଗାଣ ନେଇ ଗ୍ରାହକ ମାନଙ୍କୁ ଭୟଭୀତ ନ ହେବା ପାଇଁ ପ୍ରତିଶୁତି ଦେଉଥିବା ବେଳେ ବାସ୍ତବ ଅବସ୍ଥା କିନ୍ତୁ ଅତି ଦୟନୀୟ। ଚିଲିକା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାଲୁଗାଁ ବିଜ୍ଞାପିତ ଅଂଚଳ ମଧ୍ୟରେ ମାତ୍ର ଦୁଇଟି ପେଟ୍ରୋଲ ପମ୍ପ ଥିବା ବେଳେ ଗୋଟିଏ କୌଣସି କାରଣରୁ ଦୀର୍ଘ ଏକ ମାସ ହେଲା ବନ୍ଦ ହୋଇ ଯାଇଥିବାରୁ ଗୋଟିଏ ମାତ୍ର ପମ୍ପ ଖୋଲା ରହୁଛି । ମାତ୍ରଏହି ପମ୍ପ ଟି ଅଂଚଳ ବାସୀ ଗ୍ରାହକ ମାନଙ୍କ ର ଚାହିଦା ପୂରଣ କରିବାରେ ସମ୍ପୂର୍ଣ୍ଣ ଅସମର୍ଥ ହୋଇଛି ।

ଏହି ପମ୍ପ ଟି କଟକଣା ଲାଗୁ ହେବା ଏବଂ ଡିଜେଲ ପେଟ୍ରୋଲ ଅହେତୁକ ବୃଦ୍ଧି ହେବା ଦିନଠାରୁ ନିୟମିତ ପ୍ରତିଦିନ ପେଟ୍ରୋଲ ଯୋଗାଉ ନ ଥିବା ଅଭିଯୋଗ ହେଉଛି । ଦୁଇ ଦିନରେ ଥରେ ଖୋଲିଲେ ମଧ୍ୟ ପ୍ରତି ଯୋଗାଣ ଦିବସରେ ପମ୍ପ ମାଲିକ ଏବଂ ଗ୍ରାହକ ମାନଙ୍କ ମଧ୍ୟରେ ବଚସା ଓ ଉତ୍ତେଜନା ଲାଗି ରହୁଛି । ଗ୍ରାହକ ମାନଙ୍କ ର ଅଭିଯୋଗ ହେଲା ପେଟ୍ରୋଲ ଯୋଗାଣ ରେ ପ୍ରତି ଗ୍ରାହକ ଙ୍କୁ କିଛି ଲିମିଟ ବା ଗାଇଡ଼ ଲାଇନ ରହୁନାହିଁ। କାହାରିକୁ ଧାର୍ଯ୍ୟ ଠାରୁ ଉର୍ଦ୍ଧ୍ଵ ପରିମାଣ ର ପେଟ୍ରୋଲ ଦିଆ ଯାଉଛି ତ କେହି ମାତ୍ର ଅଧା ଲିଟର ପେଟ୍ରୋଲ ପାଇଁ ବାରମ୍ବାର ଯାଇ ନିରାଶ ହୋଇ ଫେରୁଛି ।

କିଛି ଗ୍ରାହକ ରାତିରେ ଏଠାରୁ ପେଟ୍ରୋଲ ଚୋରା ଚାଲାଣ କରାଯାଇ ସହର ର କେତେକ ଜାଗାରେ ଲିଟର ପ୍ରତି ଦେଢ଼ ଶହ ଟଙ୍କାରେ ବିକ୍ରି ହେବା ପଛରେ ପେଟ୍ରୋଲ ପମ୍ପ ମାଲିକ ଙ୍କ ଅସାଧୁ କଳାକାରନାମା ବୋଲି ଅଭିଯୋଗ କରିଛନ୍ତି । ବାଲୁଗାଁ ପୋଲିସ ପକ୍ଷରୁ ବେଳେ ବେଳେ ଆଇନ ଶୃଙ୍ଖଳା ପରିସ୍ଥିତି ପାଇଁ ପୋଲିସ ମୁତୟନ ହେଉ ଥିଲେହେଁ କୌଣସି ସୁଫଳ ମିଳୁନାହିଁ । ଏହି ସମସ୍ୟା ର ଆଶୁ ସମାଧାନ ପାଇଁ ଜିଲ୍ଲା ପ୍ରଶାସନ ତୁରନ୍ତ ଦୃଷ୍ଟି ଦେବାକୁ ଗ୍ରାହକ ମାନଙ୍କ ପକ୍ଷରୁ ଦାବୀ ହେଉଛି ।

Exit mobile version