ପଞ୍ଚାୟତ ସ୍ତରୀୟ ଆମ ଗଞ୍ଜାମ,ସ୍ୱଚ୍ଛ ଗଞ୍ଜାମ ଆରମ୍ଭ

ହିଞ୍ଜିଳିକାଟୁ (ଓଡ଼ିଶା ତାଜା ନ୍ୟୂଜ୍) (ନିପ୍ର) :- ଗଞ୍ଜାମ ଜିଲ୍ଲାକୁ ସ୍ୱଚ୍ଛ ଓ ସୁନ୍ଦର ଭାବେ ଗଢ଼ି ତୋଳିବା ପାଇଁ ଜିଲ୍ଳା ପ୍ରଶାସନ ପକ୍ଷରୁ ଆମ ଗଞ୍ଜାମ, ସ୍ୱଚ୍ଛ ଗଞ୍ଜାମ ପଦକ୍ଷେପ ଆରମ୍ଭ ହୋଇଛି । ମିଶନ ଜିରୋ ପ୍ଲାଷ୍ଟିକ ଭିଜିବିଲିଟି ନାମରେ ଏହା କାର୍ଯ୍ୟକାରୀ ହେବ । ଏହି ଅଭିଯାନର ଲକ୍ଷ୍ୟ ହେଉଛି ଜିଲ୍ଲାରୁ ପ୍ଲାଷ୍ଟିକ ବ୍ୟବହାର କମାଇବା ଏବଂ ସ୍ୱଚ୍ଛ ପରିବେଶ ସୃଷ୍ଟି କରିବା । ବିଶେଷ କରି ଗ୍ରାମାଞ୍ଚଳରେ ସବୁଠି ସ୍ୱଚ୍ଛତା ନେଇ ସଚେତତା ବଢ଼ାଇବାକୁ ନେଇ ପ୍ରସାଶନ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇଛି ।

ଏହି ଅଭିଯାନରେ ସାଧାରଣ ଲୋକଙ୍କ ଭୂମିକାକୁ ସବୁଠାରୁ ଅଧିକ ଗୁରୁତ୍ବ ଦିଆଯାଇଛି । ଏହି କ୍ରମରେ ଗଞ୍ଜାମ ଜିଲ୍ଲାପାଳଙ୍କ ନେତୃତ୍ୱରେ ମଙ୍ଗଳବାର ହିଞ୍ଜିଳିକାଟୁ ବ୍ଳକ ପ୍ରସାଶନ ପକ୍ଷରୁ ବିଡ଼ିଓ ସୁଶ୍ରୀ ସାଗରିକା ଷଢ଼ଙ୍ଗୀଙ୍କ ତତ୍ତ୍ୱାବଧାନରେ ପଞ୍ଚାୟତ ସ୍ତରୀୟ ଆମ ଗଞ୍ଜାମ, ସ୍ୱଚ୍ଛ ଗଞ୍ଜାମ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଶିବାଶିଷ ବରାଳ,ଉପ ଜିଲ୍ଲାପାଳ, ଛତ୍ରପୁର ଯୋଗ ଦେଇ ଅଭିଯାନର ଶୁଭାରମ୍ଭ କରିଥିଲେ ।

ଅନ୍ୟତମ ଅତିଥି ଭାବେ ହିଞ୍ଜିଳିକାଟୁ ପୌର ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ସୁକାନ୍ତ ଚନ୍ଦ୍ର ବେଉରା, ସରପଞ୍ଚ ଓ ସମିତିସଭ୍ୟା ପ୍ରମୁଖ ଯୋଗ ଦେଇଥିଲେ। ସ୍ଥାନୀୟ ବ୍ଲକ ବଡ଼ଖଣ୍ଡି ପଞ୍ଚାୟତ ଅନ୍ତର୍ଗତ ସମରଝୋଳ ୫୯ ନଂ ଜାତୀୟ ରାଜପଥ ପାର୍ଶ୍ୱରେ ପରିତ୍ୟକ୍ତ ସ୍ଥାନରେ ଜମା ହୋଇଥିବା କୁଢ଼ କୁଢ଼ ଅଳିଆ ଓ ଆବର୍ଜ୍ଜନାକୁ ସାମୁହିକ ଭାବେ ହଟାଯାଇ ସଫା ସୁତୁରା କରାଯାଇଥିଲା। ପରେ ଉପ ଜିଲ୍ଲାପାଳ ସାମୁହିକ ଭାବେ ସମସ୍ତଙ୍କୁ ଶପଥ ପାଠ କରାଇଥିଲେ ।

ପଞ୍ଚାୟତର ବିଭିନ୍ନ ସ୍ଥାନରେ ଥିବା ଦୋକାନ, ରାସ୍ତା ଓ ସାର୍ବଜନୀନ ସ୍ଥାନରେ ପ୍ଲାଷ୍ଟିକ ଫିଙ୍ଗିବାକୁ ନିଷେଧ କରାଯିବା ସହ କପଡ଼ା ବ୍ୟାଗ ଓ ପୁନଃ ବ୍ୟବହାର ଯୋଗ୍ୟ ସାମଗ୍ରୀ ବ୍ୟବହାର ପାଇଁ ଉପ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ। ଏଥି ସହିତ ପ୍ଲାଷ୍ଟିକ ପ୍ରଦୂଷଣରୁ ଗାଁ ମୁକ୍ତି ସମେତ ପରିବେଶ ଓ ପଶୁପକ୍ଷୀଙ୍କ ସୁରକ୍ଷା ଲାଗି ଏହି ଅଭିଯାନ ଉଦ୍ଧିଷ୍ଟ ବୋଲି ଉପ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ । ଏହା ବ୍ୟତୀତ ଖୋଲା ସ୍ଥାନରେ ମଳ ତ୍ୟାଗ ନ କରିବା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି ।

ଆମ ଗଞ୍ଜାମ, ସ୍ୱଚ୍ଛ ଗଞ୍ଜାମ ଅଭିଯାନକୁ ଅଧିକ ସଫଳ କରିବା ଆମ ସମସ୍ତଙ୍କ ପାଇଁ ଏକ ଜନ ଆନ୍ଦୋଳନ ସହ ସାମୁହିକ ଭାବେ ଶ୍ରମଦାନ କରିବା ଏକ ଆହ୍ୱାନ ପାଲଟିଛି। କାର୍ଯ୍ୟକ୍ରମରେ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ସୁଶାନ୍ତ କୁମାର ପାତ୍ରଙ୍କ ସମେତ ସହକାରୀ ଯନ୍ତ୍ରୀ ପ୍ରସନ୍ନ କୁମାର ଦଳାଇ ଓ କନିଷ୍ଟ ଯନ୍ତ୍ରୀ ସନ୍ତୋଷ ଦାଶ ପ୍ରମୁଖ ଉପସ୍ଥିତ ଥିଲେ । ଅନୁରୂପ ଭାବେ ବ୍ଲକର ପଞ୍ଚାୟତରେ କାର୍ଯ୍ୟ ନିର୍ବାହୀ ଅଧିକାରୀ ବିଜୟ କୁମାର ସେଠୀ, କାଳୁ ବେହେରା,

ଶଙ୍କର ମହାନ୍ତି, ଚିନ୍ତାମଣି ଗୌଡ, ବୈଷ୍ଣବ ମଣ୍ଡଳ, ସାରଣୀ ଗମାଙ୍ଗ,ବାସୁଦେବ ବେହେରା, ବି ହରି, ଲମ୍ବୋଦର ଗୌଡ, ଯୁଧିଷ୍ଠିର ରେଡ୍ଡୀ, ବେଣୁଧର ବେହେରା, ପ୍ରତାପ ସାହୁ, ସ୍ୱାଗତିକା ପାଣିଗ୍ରାହି ଓ ଆଶିଷ ମେହେର ପ୍ରମୁଖଙ୍କ ସମେତ ସରପଞ୍ଚ ନୀଳାଚଳ ସାହୁ, କାଳିଆ ଦାସ, ଦନାର୍ଦ୍ଦନ ସେଠୀ ଓ ସୁଦର୍ଶନ ରାଉତ ଏବଂ ନୋଡାଲ ଅଧିକାରୀ, ଏମବିକେ, ସିଆରପି, ଆଶା ଓ ଅଙ୍ଗନବାଡ଼ି କର୍ମୀ ମାନେ ଉପସ୍ଥିତ ଥିଲେ ।

Exit mobile version