ପୁରୀ (ଓଡିଶା ତାଜା ନ୍ୟୁଜ) ନି. ପ୍ର :- ବହୁବର୍ଷ ଧରି ବାଙ୍କିମୁହାଣ ର ମଇଳା ପାଣି ସିଧାସଳଖ ସମୁଦ୍ରରେ ମିଶୁଛି । ବିଭିନ୍ନ ସମୟରେ ଯେତେ ଯୋଜନା ହୋଇଛି ସବୁ ଫେଲ ମାରିଛି । ସମସ୍ଯାକୁ ବିଶେଷଜ୍ଞ ଓ ସରକାରୀ ଅଧିକାରୀ ଅନୁଧ୍ୟାନ କରୁଥିଲେ ମଧ୍ଯ କାମ ଘର ଶୂନ । ପବିତ୍ର ସ୍ବର୍ଣ୍ଣାଭ ବେଳାଭୂମି ଖରାରେ ଚକ ଚକ କରୁଥିବା ସୁନା ପରି ବାଲି ଏବେ କଳା ପଡିଗଲାଣି । ବିଷାକ୍ତ ଫେଣ ପାଣି ସମୁଦ୍ରରେ ମିଶୁଛି । ଏଠାରେ ଏକ ଦୀପାଞ୍ଚଳ ପରି ନଳା ପାଣି ବୁଲି ବୁଲି ସମୁଦ୍ରରେ ମିଶୁଛି । ପର୍ଯ୍ୟଟକ ସମୁଦ୍ରକୂଳେ ଚାଲି ଚାଲି ଯିବାବେଳେ ଏହି ପାଣିରେ ପସିକରି ଯିବାରୁ ଗୋଡ ଓ ପାଦ କୁଣ୍ଡାଇ ହେବା ସହ ନାଲି ନାଲି ହୋଇ ଫୁଲିଯିବା ସମ୍ପର୍କରେ ଜୈନିକ ପର୍ଯ୍ୟଟକ ମତ ଦେଇଛନ୍ତି ।
ନୀଳାଦ୍ରୀ ବିଚ ଠାରୁ ରେଲୱେ ହୋଟେଲ ପଛପଟ ଠାରୁ ହଲିଡେ ରିସୋର୍ଟ ପର୍ଯ୍ୟନ୍ତ ଏ ବେଳାଭୂମି ଦଳ ,ପଙ୍କ,ପଲିଥିନ, ଖାଲି ପାଣି ବୋତଲ ଓ ବର୍ଜ୍ୟବସ୍ତୁ ଗଦା ହୋଇ ରହିଥିବାରୁ ପର୍ଯ୍ୟଟକ ମାନେ ଏହାକୁ ଦେଖି ଚିନ୍ତାପ୍ରକଟ କରିଛନ୍ତି । ଗ୍ରୀନ ପୁରୀ କ୍ଲିନ ପୁରୀ ର ନାରା ସେଠାରେ କାମ ଦେଉନି । ଏହି ଅଞ୍ଚଳକୁ ଜଣେ ବିଶିଷ୍ଟ ଶିଳ୍ପପତି ଲିଜ ନେବା ପାଇଁ ମସୁଧା ଚଳାଇଥିବା ଶୁଣାଯାଉଛି । ତା ପାଖରେ ଜୈନିକ ହୋଟେଲ ମାଲିକ ସରକାରୀ ଜାଗାରେ ଲନ କରି ବିବାହ ଓ ବ୍ରତଘର କାର୍ଯ୍ୟ କରି କୋଟି କୋଟି ଟଙ୍କା ହାତେଇ ନେଉ ଥିବାବେଳେ ସରକାରୀ ତହବିଲକୁ ଟଙ୍କାଟିଏ ଆସୁନାହିଁ ବୋଲି ଅଭିଯୋଗ ହେଉଛି ।
ବିକଶିତ ମହାନଗର ର ବାଜେଣା ବାଜୁଥିବା ବେଳେ ବିନାଶ ର ପଦଧ୍ବନୀ ସମୁଦ୍ରରେ ଦେଖିବାକୁ ମିଳୁଛି । ସେହି ଅଞ୍ଚଳରେ ମଲା କୁକୁର, ବିଲେଇ ଓ ମଲାବାଛୁରୀ ଦୀର୍ଘ ଦିନ ଧରି ପଡି ରହିବା ଫଳରେ ପୂତ୍ତିଗନ୍ଧମୟ ପରିବେଶ ସୃଷ୍ଟି ହେଉଛି । ବସ୍ତି ଅଞ୍ଚଳର ପାଇଖାନା ପାଣି ଓ ମଇଳା ସିଧାସଳଖ ବାଙ୍କିମୁହାଣ ପୋଖରୀରେ ମିଶୁଛି । ଦୀର୍ଘ ୪୦ ବର୍ଷ ଧରି ଏହି ସମସ୍ୟା ଲାଗିଥିଲେ ମଧ୍ଯ ସମାଧାନ ର ବାଟ ଫିଟୁନାହିଁ । ଗ୍ଲୁମଲତା, ଅନାବନା ଗଛ, ଅମରୀ ଗଛ,ଲାଜକୁଳୀ ଲତା, ପୋକସୁଙ୍ଘା ଗଛ ଲତା ଓ ଗ୍ଲୁମର ଗାଲିଚା ବାଲି ଉପରେ ମାଡିଗଲାଣି ।
