
ରଣପୁର ( ଓଡିଶା ତାଜା ନ୍ୟୁଜ ) ନି. ପ୍ର :- ଓଡ଼ିଆ ସଂସ୍କୃତି ଓ ପରମ୍ପରାର ଏକ ଅନନ୍ୟ ପର୍ବ ସାବିତ୍ରୀ ବ୍ରତକୁ ରଣପୁର ସହ ଏହାର ଆଖପାଖ ଅଞ୍ଚଳରେ ଭକ୍ତି ଓ ଆଡମ୍ବର ସହ ପାଳନ କରାଯାଇଛି । ସ୍ୱାମୀଙ୍କ ଦୀର୍ଘାୟୁ, ଉତ୍ତମ ସ୍ୱାସ୍ଥ୍ୟ ଓ ପରିବାରର ସୁଖ-ଶାନ୍ତି କାମନା କରି ସଧବା ନାରୀମାନେ ଏହି ପବିତ୍ର ବ୍ରତକୁ ନିଷ୍ଠାର ସହ ପାଳନ କରିଥିଲେ ।
ସକାଳୁ ସକାଳୁ ରଣପୁରର ବିଭିନ୍ନ ମନ୍ଦିର ଓ ପୂଜାସ୍ଥଳୀରେ ମହିଳାମାନଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା । ପରମ୍ପରା ଅନୁସାରେ ବ୍ରତାଧାରୀ ମହିଳାମାନେ ପ୍ରତ୍ୟୁଷରୁ ଉଠି ନିତ୍ୟକର୍ମ ସମାପନ କରି ନୂଆ ଶାଢୀ, ସଙ୍ଖା, ସିନ୍ଦୂର ଓ ଅଳତା ପିନ୍ଧି ଦେବାଳୟମୁଖୀ ହୋଇଥିଲେ । ରଣପୁରର ଅଧିଷ୍ଠାତ୍ରୀ ଦେବୀ ମା’ ମଣୀନାଗ ମନ୍ଦିର, ସ୍ଥାନୀୟ ଶ୍ରୀଜଗନ୍ନାଥ ମନ୍ଦିର,
ସ୍ଵପ୍ନେଶ୍ୱର ମନ୍ଦିର ସହ ବିଭିନ୍ନ ଶିବ ମନ୍ଦିରରେ ସକାଳୁ ଭକ୍ତମାନଙ୍କ ଆଗମନ ଆରମ୍ଭ ହୋଇଥିଲା । ହାତରେ ଭୋଗ ଥାଳି ଓ ମନରେ ଅତୁଟ ଆସ୍ଥା ନେଇ ସଧବା ନାରୀମାନେ ମା’ଙ୍କ ପୂଜାର୍ଚ୍ଚନା କରିବା ସହ ନୂତନ ବସ୍ତ୍ର ଲାଗି କରାଇଥିଲେ । ଚଳିତ ବର୍ଷ ମଧ୍ୟ ରଣପୁର ଶ୍ରୀଜଗନ୍ନାଥ ମନ୍ଦିର ପରିସରରେ ଶତାଧିକ ମହିଳା ସାମୁହିକ ଭାବରେ ସାବିତ୍ରୀ ବ୍ରତ ପାଳନ କରିଥିବା ଦେଖାଯାଇଥିଲା ।
ପଣ୍ଡିତ ପୁରୋହିତମାନେ ବେଦମନ୍ତ୍ର ଉଚ୍ଚାରଣ ମାଧ୍ୟମରେ ଗଣପତି ପୂଜା, ଲକ୍ଷ୍ମୀ-ନାରାୟଣ ପୂଜା, ସାବିତ୍ରୀ-ସତ୍ୟବାନ ପୂଜା ଓ ସୂର୍ଯ୍ୟ ପୂଜା ସମ୍ପାଦନ କରାଇଥିଲେ । ସେହିସହିତ ସାବିତ୍ରୀ ବ୍ରତର ମାହାତ୍ମ୍ୟ ଓ କଥାକୁ ମୌଖିକ ଭାବରେ ବୁଝାଇ ପାଠ କରାଯାଇଥିଲା । ପୂଜା ଶେଷ ପରେ ବ୍ରତାଧାରୀ ମହିଳାମାନେ ସ୍ୱାମୀଙ୍କ ପାଦ ପ୍ରକ୍ଷାଳନ କରି ସେହି ପବିତ୍ର ଜଳ ସ୍ପର୍ଶ କରିଥିଲେ ।
ପରେ ପୂଜାରୁ ଆଣିଥିବା ଫଳ, ପଣାପାଣି ଓ ନୈବେଦ୍ୟ ଭକ୍ଷଣ କରି ବ୍ରତ ଉଦ୍ୟାପନ କରିଥିଲେ । ସମଗ୍ର ପରିବେଶ ଭକ୍ତିମୟ ହୋଇଉଠିଥିବା ବେଳେ ମହିଳାମାନଙ୍କ ମଧ୍ୟରେ ଉତ୍ସାହ ଓ ଆନନ୍ଦ ଦେଖିବାକୁ ମିଳିଥିଲା ।ସାବିତ୍ରୀ ବ୍ରତ ଅବସରରେ ମନ୍ଦିରଗୁଡ଼ିକରେ ଅଧିକ ଭିଡ଼କୁ ଆଖିଆଗରେ ରଖି ମନ୍ଦିର ପ୍ରଶାସନ ପକ୍ଷରୁ ଶୃଙ୍ଖଳିତ ଦର୍ଶନ ଓ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା ।
ସ୍ଥାନୀୟ ସେବାୟତ ଓ ସ୍ୱେଚ୍ଛାସେବୀମାନେ ମଧ୍ୟ ଶୃଙ୍ଖଳା ରକ୍ଷାରେ ସହଯୋଗ କରୁଥିବା ଦେଖାଯାଇଥିଲା । ଓଡ଼ିଆ ନାରୀଙ୍କ ସମର୍ପଣ, ସଂସ୍କୃତି, ସହନଶୀଳତା ଓ ପରିବାର ପ୍ରତି ଅତୁଟ ଭଲପାଇବାର ଜୀବନ୍ତ ପ୍ରତୀକ ଭାବେ ସାବିତ୍ରୀ ବ୍ରତ ଆଜି ମଧ୍ୟ ସମାଜରେ ତାହାର ସ୍ୱତନ୍ତ୍ର ପରମ୍ପରାକୁ ବଜାୟ ରଖିଛି ।
