ସଂପର୍କ ଓ ପ୍ଲକର ମିଳିତ ଉଦ୍ୟମରେ ମୋ ଓଡ଼ିଶା କାହାଣୀ ସାମୁହିକ ଗଳ୍ପ କଥନ କର୍ମଶାଳା

ପୁରୀ, (ଓଡିଶା ତାଜା ନ୍ୟୁଜ) ନି. ପ୍ର :- ଆଉ ୧୦ ବର୍ଷ ଗଲେ ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ଗଠନର ଶତ ବାର୍ଷିକୀ ପାଳନ କରିବ । ବିକଶିତ ଓଡିଶାର ସ୍ଵର ସମଗ୍ର ଦେଶରେ ପ୍ରତିଧ୍ୱନିତ ହେବା ପାଇଁ ପ୍ରତି ଓଡ଼ିଆର ଦାୟିତ୍ୱ ଅଛି । ଏହି ଦାୟୀତ୍ୱବୋଧକୁ କିପରି ପାଳନ କରି ହେବ, ଆମର ବ୍ୟକ୍ତିଗତ ଉପଲବ୍ଧିର ଗାଥାକୁ କିପରି ସାମଗ୍ରିକ ବିକାଶର ସୂତ୍ରରେ ବାନ୍ଧି ସମଗ୍ର ବିଶ୍ୱ ଆଗରେ ଚୁମ୍ବକୀୟ କାହାଣୀ ମାଧ୍ୟ୍ୟମରେ ଉପସ୍ଥାପନ କରିହେବ ,

ଗ୍ରାହକ ରୁଚି ଅନୁସାରେ ନିଜର ଉତ୍ପାଦକୁ କିପରି ସିଧାସଳଖ ବଜାରରେ ବିକ୍ରି କରି ରାଷ୍ଟ୍ରିୟ ଅର୍ଥନୀତିକୁ ସୁଦୃଢ଼ କରି ହେବ ସେ ପ୍ରସଙ୍ଗରେ ଦିଲ୍ଲୀ ସ୍ଥିତ ପ୍ଲକ୍ ଓ ସ୍ଥାନୀୟ ସେଚ୍ଛାସେବୀ ଅନୁଷ୍ଠାନ ସଂପର୍କର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ୟୁଥ୍ ହଷ୍ଟେଲ ପରିସରରେ ଆୟୋଜିତ ହୋଇଯାଇଛି ଏକ ଦୁଇ ଦିବସୀୟ କର୍ମଶାଳା । ଏଥିରେ ଅତିଥି ଭାବେ ଯୋଗ ଦେଇ ପ୍ରାକ୍ତନ ପ୍ରଶାସକ ପଦ୍ମନାଭ ପଣ୍ଡା କହିଥିଲେ ଯେ, ଆଜିର ଓଡ଼ିଶା ଏକ ଆଦର୍ଶ ପ୍ରଦେଶ ।

ସଂସ୍କୃତି, ପର୍ଯ୍ୟଟନ, କୃଷି, ବୟନ ଶିଳ୍ପ, ହସ୍ତ୍ ଶିଳ୍ପ, ସୌରଶକ୍ତି, କ୍ରୀଡ଼ା, ବିପର୍ଯ୍ୟୟ ପରିଚାଳନା ସବୁ କ୍ଷେତ୍ରରେ ଆଜି ଓଡ଼ିଶାର ଉଦାହରଣ ଆସେ । ଆମ ରାଜ୍ୟର ପ୍ରତି ବିଭବ ପଛରେ ଅଛି ଅନେକ ସୁନ୍ଦର କାହାଣୀ। ଏହି ସବୁ କାହାଣୀ ମାଧ୍ୟମରେ ଆମର୍ ବିକଶିତ ପ୍ରତିଭା ଓ ଲୁକାୟିତ ଉତ୍ପାଦକୁ ବିଶ୍ୱ ସମୁଦାୟ ଆଗରେ ଉପସ୍ଥାପନ କରିବାକୁ ହେବ । ଫଳରେ ଓଡ଼ିଶା ଯେ ସେହି ଉତ୍କଳ ଯାହାର କଳା ସର୍ବଦା ଉତ୍କର୍ଷ ବୋଲି ସମସ୍ତେ ଜାଣିବେ ।

ବିଶିଷ୍ଟ ଅତିଥି ଭାବେ ଯୋଗ ଦେଇ ସୂଚନା ଓ ଲୋକସଂପର୍କ ବିଭାଗର ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ କହିଲେ ଯେ, ସାମାଜିକ ଗଣମାଧ୍ୟମ ଜରିଆରେ କିପରି ଭାବରେ ଓଡିଶାର ବିକାଶର ଚିତ୍ରକୁ ବ୍ୟକ୍ତିଗତ ବିକାଶର ସୁନ୍ଦର କାହାଣୀ ମାଧ୍ୟମରେ ଉପସ୍ଥାପନ କରାଯାଇ ପାରିବ , ଆଜିର ଏହି କର୍ମଶାଳା ସେଥିପାଇଁ ଉଦ୍ଦିଷ୍ଟ । ଆନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ବାଲୁକାଶିଳ୍ପୀ ମାନସ ସାହୁ ଅନୁଷ୍ଠାନର ଏହି ଉଦ୍ୟମକୁ ପ୍ରଶଂସା କରିବା ସହ ଏହା କବି,କଳାକାର ଓ ନବଦ୍ୟୋଗୀ ମାନଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ ବୋଲି କହିଥିଲେ ।

ସଂପର୍କର ସଧାରଣ ସମ୍ପାଦକ ସୌମେନ୍ଦ୍ର ଦାସଙ୍କ ସଂଯୋଜନାରେ ଆୟୋଜିତ ଏହି କର୍ମଶାଳାରେ ଶିଳ୍ପୀ ଗୁରୁ କୃଷ୍ଣଚନ୍ଦ୍ର ମହାନ୍ତି, ପ୍ଳକର ସହଯୋଗୀ ନିର୍ଦ୍ଦେଶକ ଅଭିଷେକ ରାଜ ସିହ୍ନା, ପ୍ରଶିକ୍ଷିକା ନାଜିଆ ଜୀ, ରଶ୍ମିତା ସିଂହ ଯୋଗ ଦେଇ ସୁନ୍ଦର ଉପସ୍ଥାପନା ମାଧ୍ୟମରେ ଉତ୍ପାଦ ସମୂହର ଉପଯୁକ୍ତ ଉପସ୍ଥାପନା ଓ ଉପଯୁକ୍ତ ବଜାର ସୃଷ୍ଟିର ଯୋଜନା ସମ୍ପର୍କରେ ପ୍ରଶିକ୍ଷାର୍ଥୀ ମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ଉଦ୍ଯାପନୀ ସମାରୋହରେ ଜିଲ୍ଲା ଶିଳ୍ପ କେନ୍ଦ୍ରର ସଧାରଣ ପରିଚାଳକ ମାନସ କୁମାର ବାରିକ୍ ଯୋଗ ଦେଇ ସମ୍ପର୍କକୁ ଶୁଭେଚ୍ଛା ଜଣାଇବା ସହ କେମିତି ଆଗକୁ ଏହି କ୍ଷେତ୍ରରେ ଅଧିକ ଉଦ୍ୟୋଗୀ ହେବେ ସେ ନେଇ ମତବ୍ୟକ୍ତ କରିଥିଲେ ।

ସାମାଜିକ ଗଣ ମାଧ୍ୟମ ପ୍ରଭାବକାରୀ ପ୍ରତ୍ୟୁଷ ଦାସ, ଆଶିଷ କୁମାର ମାର୍ଥା, ସବ୍ୟସାଚୀ, ବାସୁଦେବ ସେନାପତି, ଶୁଭ ପ୍ରସାଦ ଶର୍ମା, ରାକେଶ ସେଠୀ, ସୁନୀଲ, ଆଶୁତୋଷ ବିଶ୍ୱାଳ, ସୁନୀଲ ମହାପାତ୍ରେ, ଦିବ୍ୟଦିତ୍ତି ପ୍ରମୁଖ ଏହି କର୍ମଶାଳାକୁ ପରିଚାଳନା କରିଥିଲେ । ଚାନ୍ଦୁଆ ଶିଳ୍ପ , ପଟ୍ଟଚିତ୍ର, ଶିପ କଳା, କାଗଜ ମୁଖା, ଗୋବର କଣ୍ଢେଇ , ଜରି କାମ, ସୋଲ କାମ, ବାନା ତିଆରି, ଧାନରେ ତିଆରି ମୂର୍ତ୍ତି, ଟେରାକୋଟା ସହ ଜଡିତ ପ୍ରାୟ ନବେରୁ ଉର୍ଦ୍ଧ ମହିଳା ଓ ଅନ୍ୟ କାରିଗର ଏହି କର୍ମଶାଳାରେ ଯୋଗ ଦେଇଥିଲେ ।

Exit mobile version