ଉତ୍ପାଦ ପ୍ରସ୍ତୁତି ଫ୍ୟାକ୍ଟ୍ରିରେ ଭୟାନକ ଅଗ୍ନିକାଣ୍ଡ : ପ୍ରଶାସନିକ ଅବହେଳା ଯୋଗୁଁ ଜନଜୀବନ ବିପନ୍ନ

ହିଞ୍ଜିଳିକାଟୁ (ଓଡ଼ିଶା ତାଜା ନ୍ୟୁଜ) (ନି.ପ୍ର) :- ବୁଧବାର ଭୋର୍ ସମୟରେ ହିଞ୍ଜିଳି ଥାନା ତଥା କାଟୁ ପୌରାଞ୍ଚଳ ୧୬-ନଂ ୱାର୍ଡ ଜାନୀ ନଗର ଠାରେ ଅବସ୍ଥାପିତ ଥିବା ଏକ କେମିକାଲ ଓ ବୈଦ୍ୟୁତିକ ଉପକରଣ ଉତ୍ପାଦ ପ୍ରସ୍ତୁତି ଫ୍ୟାକ୍ଟ୍ରି ଦେଖିବାକୁ ମିଳିଛି ଭୟାନକ ଅଗ୍ନିକାଣ୍ଡ। ନିଆଁର ପ୍ରକୋପ ଏତେ ତୀବ୍ର ଥିଲା ଯେ ୫ଟି ଅଗ୍ନିଶମ କେନ୍ଦ୍ର ବାହିନୀର କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିବା ପାଇଁ ପ୍ରାୟ ୪ଘଣ୍ଟା ଧରି ଅକ୍ଲାନ୍ତ ପରିଶ୍ରମ କରିଥିଲେ । ପ୍ରଥମ ଥର ପାଇଁ ହିଞ୍ଜିଳିକାଟୁ ସହରରେ ଏଭଳି ଭୟାନକ ଅଗ୍ନିକାଣ୍ଡ ଘଟି ସ୍ଥାନୀୟ ଅଞ୍ଚଳରେ ଏକ କୋକୁଆ ଭୟ ସୃଷ୍ଟି କରିଛି ।

ନିଆଁକୁ ଦେଖି ସାହି ପଡ଼ୋଶୀ ଲୋକେ ସତର୍କ ହୋଇଯିବା ଫଳରେ ଭୟଙ୍କର ଅଗ୍ନିକାଣ୍ଡରେ କେହି ବି ମୃତାହତ ହୋଇ ନ ଥିବା ଜଣାପଡ଼ିଛି। କିନ୍ତୁ ସବୁଠାରୁ ଉଦବେଗ ଜନକ ବିଷୟ ହେଲା,ଏଭଳି ଘନ ଜନବସତି ଅଞ୍ଚଳରେ ଓ ଏହାର ପ୍ରାୟ ୧୦୦ ମିଟର ଦୂରରେ ଏକ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ଅବସ୍ଥିତ ଥିଲା ବେଳେ ଦୀର୍ଘ ପ୍ରାୟ ୧୫ ବର୍ଷ ଧରି କେମିକାଲ ଉତ୍ପାଦ ପ୍ରସ୍ତୁତିଟି ବିନା ଦ୍ୱିଧାରେ କାର୍ଯ୍ୟକ୍ଷମ ହୋଇଛି । ଏପରିକି ଫ୍ୟାକ୍ଟ୍ରିଟି ସାଧାରଣ ଲୋକଙ୍କ ନଜରରୁ ହଟାଇବା ପାଇଁ ମାଲିକ ଜଣକ ନିଜ ଆବାସିକ ଗୃହ ପରିସରରେ ବିଭିନ୍ନ ନନ୍ ବ୍ରାଣ୍ଡର ଘରୋଇ ଉତ୍ପାଦ ପ୍ରସ୍ତୁତି ସାମଗ୍ରୀ ତିଆରି କରି ଜିଲ୍ଲା ବାହାରେ ବିକ୍ରି କରୁଥିବା ଜଣାପଡ଼ିଛି ।

ଯଦିଓ ସ୍ଥାନୀୟ ଅଞ୍ଚଳରେ ଏହା ଉପଲବ୍ଧ ହେଉନାହିଁ । ଏଭଳି ଭୟାନକ ଅଗ୍ନିକାଣ୍ଡରେ ପ୍ରାୟ ୫୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ସାମଗ୍ରୀ ଜଳି ପାଉଁଶ ହେବା ସହ ୨ଟି ଚାରି ଚକିଆ ଗାଡି ସମ୍ପୂର୍ଣ୍ଣ ପୋଡି ନଷ୍ଟ ହୋଇଯାଇଛି । ଅଗ୍ନିକାଣ୍ଡରେ ନିଆଁର ପ୍ରକୋପ ଓ ଭୟାନକତା ଏତେ ତିବ୍ରତର ଥିଲା ଯେ ଫ୍ୟାକ୍ଟ୍ରିକୁ ଲାଗି ସପରିବାର ସହ ରହୁଥିବା ପଡୋଶୀ ସୁକାନ୍ତୀ ସ୍ଵାଇଁଙ୍କ ୨ ଘର ଛାତ ଫାଟି ଯିବା ସହ ଘରର ମୂଲ୍ୟବାନ ଆସବାବପତ୍ର, ବୈଦ୍ୟୁତିକ ଉପକରଣ, ପାଣିଟାଙ୍କି, ପାଣି ପାଇପ୍ ପୋଡି ନଷ୍ଟ ହୋଇଯାଇଥିବା ଦେଖିବାକୁ ମିଳିଛି ।ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡି ନ ଥିଲେ ମଧ୍ୟ ଅତୀତରେ ଫ୍ୟାକ୍ଟ୍ରିରେ ଘଟିଥିବା ଅଗ୍ନିକାଣ୍ଡ ଘଟଣାବଳୀକୁ ନେଇ ସାଧାରଣରେ ଆଶଙ୍କା ପ୍ରକାଶ ପାଇଛି ।

ମିଳିଥିବା ସୂଚନା ପ୍ରକାରେ, ହିଞ୍ଜିଳିକାଟୁ ପୌରାଞ୍ଚଳ ଆଙ୍କୋରଡା ଗ୍ରାମ ଜାନୀନଗର ବାସିନ୍ଦା ତଥା ସହରର ଜଣେ ପ୍ରତିଷ୍ଠିତ ବ୍ୟବସାୟୀ ନିଜ ବାସଭବନ ପରିସରରେ ଗତ ପ୍ରାୟ ୧୫ ବର୍ଷ ଧରି ଏକ କେମିକାଲ ଫ୍ୟାକ୍ଟ୍ରି ପ୍ରତିଷ୍ଠା କରିଛନ୍ତି । ବାହାରକୁ ବାସଗୃହ ନିର୍ମାଣ କରି ଏହାର ପଛ ପଟେ ଏକ ବିସ୍ତୀର୍ଣ୍ଣ ପଡ଼ିଆ ଓ ଦୁଇ ମହଲା ବିଶିଷ୍ଟ କୋଠାରେ ଥିବା ଫ୍ୟାକ୍ଟ୍ରିରେ ବେଆଇନ ରାସାୟନିକ ଦ୍ରବ୍ୟ ଗଚ୍ଛିତ କରି ସେଥିରୁ , ଡିଷ୍ଟିଲ ୱାଟର,ସ୍ପିରିଟ, ଥିନର୍, ଫିନାଇଲ୍, ହିଟର ବେସ୍, ପ୍ଳାଷ୍ଟିକ ସାମଗ୍ରୀ ଆଦି ନନ୍ ବ୍ରାଣ୍ଡର ବହୁ ପରିମାଣର ଉତ୍ପାଦ ପ୍ରସ୍ତୁତି ଚଳାଇ ଜିଲ୍ଲା ବାହାରେ ବ୍ୟବସାୟ ଚଳାଇ ଆସୁଛନ୍ତି ।

ପ୍ରସ୍ତୁତି ସାମଗ୍ରୀ ତିଆରି ବେଳେ ବର୍ଷ ବର୍ଷ ଧରି କୌଣସି ପ୍ରସାଶନିକ ଅଧିକାରୀ ଫ୍ୟାକ୍ଟ୍ରିର ଭିତ୍ତିଭୂମି,ବୈଧ ଅଗ୍ନି ସୁରକ୍ଷା ବ୍ୟବସ୍ଥା,ପରିବେଶ ମଞ୍ଜୁରୀ, ଆବର୍ଜ୍ଜନା ନିରାପତ୍ତା ନିୟମ ଓ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପ୍ରମାଣ ପତ୍ର ଓ ଫ୍ୟାକ୍ଟ୍ରିର ସୁଚନା ଫଳକ ଉପରେ ଯାଞ୍ଚ କରି ନ ଥିବା ସ୍ଥାନୀୟ ଲୋକଙ୍କ ଠାରୁ ସୁଚନା ମିଳିଛି। ଏଭଳି ଅନେକ ଅନିୟମିତତା ଏବଂ ବିଚିତ୍ର ବ୍ୟବସ୍ଥା ମଧ୍ୟରେ ଦୀର୍ଘ ବର୍ଷ ଧରି ଫ୍ୟାକ୍ଟ୍ରିଟି କୋଟି କୋଟି ଟଙ୍କାର ଉତ୍ପାଦ ପ୍ରସ୍ତୁତି ଚଳାଇ ଲାଭବାନ ହେଉଥିବା ବେଳେ ସ୍ଥାନୀୟ ଲୋକଙ୍କ ଜୀବନ ଓ ଜୀବିକାର ସୁରକ୍ଷା ପ୍ରତି ସ୍ଥାନୀୟ ପୁଲିସ, ତହସିଲ,ପୌର ଓ ଜିଲ୍ଲା ପ୍ରଶାସନ କେବଳ ମୌନବ୍ରତ ପାଳନ କରିଛନ୍ତି ବୋଲି ସର୍ବ ସାଧାରଣରେ ତୀବ୍ର ପ୍ରତିକ୍ରୀୟା ପ୍ରକାଶ ପାଇଛି ।

Exit mobile version