ପୁରୀ ( ଓଡିଶା ତାଜାନ୍ୟୁଜ ) ନି. ପ୍ର :- ପୁରୀରେ ଏବେ ଅସହ୍ଯ ଗରମ ଅନୁଭୂତ ହେଉଛି । ଲୋକେ କେମିକାଲ ଯୁକ୍ତ ପାନୀୟ ପିଇବା ପାଇଁ ଭିଡ ଜମୁଛି । ସାବିତ୍ରୀ ବ୍ରତ ପୂର୍ବରୁ ଏବେ ତାଳ ସଜ ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳୁଛି । ପଇଡ ପାଣି ପରି ତାଳସଜର ପାଣି ମଧ୍ଯ ପେଟ ପାଇଁ ଉପକାର କରିଥାଏ । ତାଳ ପାଣି ସହ ତାର କୋଲା ଖାଇଲେ ଜଳଖିଆ ଖାଇବାକୁ ପଡିନଥାଏ । ତାଳର ଅନେକ ଔଷଧୀୟ ଗୁଣ ରହିଛି । ତାଳ ପେଟ ଗରମ ଓ ଅଶୁଂଘାତରୁ ରକ୍ଷା କରିଥାଏ । ଅସହ୍ଯ ଖରା ଓ ଗୀଷ୍ମ ତାତିରେ ସିଝୁଛି ଶ୍ରୀକ୍ଷେତ୍ର ।
ପୁରୀ ସହରର ବିଭିନ୍ନ ସ୍ଥାନରେ ଏବେ ତାଳ ସଜର ପସରା ଦେଖିବାକୁ ମିଳୁଛି । ତାଳରୁ କୋଲା ଛଡାଇବା ଶୈଳୀ ଦେଖିବାକୁ ଭାରି ମଜା ଲାଗିଥାଏ । ତାଳର ଉପର ଓ ତଳ ଅଂଶ ସମାନ ଭାବରେ କାଟିବା ପରେ ନଡିଆ ଛଡାଇବା ପରି ମଝିରୁ କାଟି ଅତି ଯତ୍ନର ସହ ଗୋଟା କୋଲା ବାହାର କରିଥାନ୍ତି । ଗୋଟିଏ ତାଳରୁ ତିନୋଟି କୋଲା ବାହାରି ଥାଏ । ପୁରୀ ସହରର ବଡଶଙ୍ଖ, ନୃସିଂହ ମନ୍ଦିର ଛକ,ମାଟିଆପଡା ରେଳଫାଟକ ଛକ, ଷ୍ଟେସନ ଛକ, ସଂସ୍କୃତି ଭବନ ଛକ, ମେଡିକାଲ ଛକ,ମାର୍କେଟ ଛକ,ମଙ୍ଗଳାଘାଟ ରାସ୍ତା ର ବିଭିନ୍ନ ସ୍ଥାନରେ ତାଳ ସଜ ବିକ୍ରି ହେଉଥିବା ଦେଖିବାକୁ ମିଳୁଛି ।
କନ୍ଦା ତାଳ,ନାଳି ତାଳ ଓ ପାକଳ ତାଳ ଲୋକଙ୍କ ପସନ୍ଦ ଅନୁସାରେ ଦିଆଯାଉଛି । ତିନୋଟି ତାଳ କୋଲାକୁ ୨୦ ଟଙ୍କା ହିସାବରେ ବିକ୍ରି ହେଉଛି । ପର୍ଯ୍ୟଟକ, ତୀର୍ଥଯାତ୍ରୀ ଓ ବିଦେଶୀ ପର୍ଯ୍ଯଟକ ମାନେ ଏହି ତାଳ ଖାଇ ଓ … ଭେରି ଟେଷ୍ଟି ଆଣ୍ଡ ସୁଇଟ ବୋଲି କହୁଛନ୍ତି । ସହରରେ ସମେତ ତାଳବଣିଆରେ ତାଳଗଛ ବିଲୁପ୍ତ ହୋଇଥିବା ବେଳେ ଗାଁ ଗହଳିରୁ ତାଳ ଆଣି ସହରରେ ବିକ୍ରି କରାଯାଉଛି । ବାହାର ଚନ୍ଦନଯାତ୍ରା ସମୟରେ ସିଂହଦ୍ଵାରରୁ ମଣିବିମାନରେ ଠାକୁର ନରେନ୍ଦ୍ର ପୁଷ୍କରିଣୀକୁ ଯିବା ସମୟରେ ବିଭିନ୍ନ ସ୍ଥାନରେ ହେଉଥିବା ପନ୍ତି ଭୋଗରେ ଏହି ତାଳ ସଜ ଭୋଗ କରାଯାଇଥାଏ ।