ନିଟ୍ ୟୁଜି-୨୦୨୬ ପରୀକ୍ଷା ବାତିଲ ପ୍ରସଙ୍ଗ : ପିଲାଙ୍କ ଭାଗ୍ୟକୁ ଅନ୍ଧାରକୁ ଠେଲି ଦେଉଛନ୍ତି ସରକାର – ବିଜେଡି

ବିଗତ ୬ ବର୍ଷ ମଧ୍ୟରେ ଚାରି ଚାରି ଥର ନିଟ୍ ପରୀକ୍ଷା ବାତିଲ ହେବା ଦୁର୍ଭାଗ୍ୟଜନକ, ନୈତିକତା ଦୃଷ୍ଟିରୁ ଇସ୍ତଫା ଦିଅନ୍ତୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ, ପିଲାଙ୍କ ଭବିଷ୍ୟତ ସହ ଖେଳ ନ ଖେଳନ୍ତୁ ସରକାର l

ଭୁବନେଶ୍ୱର (ଓଡିଶା ତାଜା ନ୍ୟୁଜ ) ନି. ପ୍ର :- ବିଜେପି ସରକାରରେ ପେପର ଲିକ୍ ହୋଇ ପରୀକ୍ଷା ବାତିଲ ହେବା ଏକ ନିତିଦିନିଆ ଘଟଣା ହୋଇଗଲାଣି । ନୁ୍ୟ ଇଣ୍ଡିଆର ସ୍ୱପ୍ନ ଦେଖାଇ କ୍ଷମତାକୁ ଆସିଥିବା ଭାରତୀୟ ଜନତା ପାର୍ଟି ଏବେ ଲିକ୍ ଇଣ୍ଡିଆର ପରିଚୟ ସୃଷ୍ଟି କରୁଛି । ବିଗତ ୬ ବର୍ଷ ମଧ୍ୟରେ ଚାରି ଚାରି ଥର ନିଟ୍ ପରୀକ୍ଷା ବାତିଲ୍ ହେବା ଦୁର୍ଭାଗ୍ୟଜନକ କହି ସରକାରଙ୍କୁ କଡ଼ା ସମାଲୋଚନା କରିଛି ବିଜୁ ଜନତା ଦଳ ।

ଆଜି ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଜୁ ଯୁବ ଜନତା ଦଳର ସଭାପତି ଶ୍ରୀ ଚିନ୍ମୟ ସାହୁ ଓ ବିଜୁ ଛାତ୍ର ଜନତା ଦଳର ସଭାନେତ୍ରୀ ଇପ୍ସୀତା ସାହୁ କହିଛନ୍ତି, ୨୨ ଲକ୍ଷ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳ ଖେଳିଛନ୍ତି କେନ୍ଦ୍ର ସରକାର । ଜଣେ ପରୀକ୍ଷାର୍ଥୀଙ୍କ ପରିଶ୍ରମ ବୁଝିବାକୁ ଏ ସରକାର ଅସମର୍ଥ । ଚାରି ଚାରି ଥର ନିଟ୍ ପେପର ଲିକ୍ ଘଟଣା ସରକାରଙ୍କ ଅପାରଗତାକୁ ପଦାରେ ପକାଇଛି ।

ଶ୍ରୀ ଚିନ୍ମୟ ସାହୁ କହିଥିଲେ ଯେ, ନିଟ୍ ପରୀକ୍ଷାର ପେପର ଲିକ୍ ଘଟଣାରୁ ଜଣାପଡୁଛି, କେନ୍ଦ୍ର ସରକାରଙ୍କ ନିୟନ୍ତ୍ରଣରେ ଆଉ ନାହିଁ ଦେଶର ଶିକ୍ଷା ବ୍ୟବସ୍ଥା । ଦେଶର ଶିକ୍ଷାମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ ସବୁବେଳେ ଦଳୀୟ କାର୍ଯ୍ୟକ୍ରମରେ ନିୟୋଜିତ ହୋଇ ବିଭାଗର ଦାୟିତ୍ୱ କଥା ପାସୋରି ଯାଉଛନ୍ତି । କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ମନ ଓଡ଼ିଶାରେ ଥିବାବେଳେ ଦେହ ଦିଲ୍ଲୀରେ ରହୁଥିବାରୁ ବାରମ୍ବାର ନିଟ୍ ପରୀକ୍ଷାର ପେପର ଲିକ୍ ହେଉଛି ।

ଶ୍ରୀ ପ୍ରଧାନ ନିର୍ବାଚନ ପରିଚାଳନା ଠିକ୍ ଭାବେ ତୁଲାଉଥିବା ବେଳେ ନିଜ ବିଭାଗର ଦାୟିତ୍ୱ ଠିକ୍ ଭାବେ କ’ଣ ପାଇଁ ତୁଲାଇ ପାରୁନାହାନ୍ତି ବୋଲି ଶ୍ରୀ ସାହୁ ପ୍ରଶ୍ନ କରିଥିଲେ । ଯଦି ନିଜ ବିଭାଗର ଦାୟିତ୍ୱ ତୁଲାଇ ପାରୁନାହାନ୍ତି, ନୈତିକତା ଦୃଷ୍ଟିରୁ ତୁରନ୍ତ ଇସ୍ତଫା ଦିଅନ୍ତୁ । ଇପ୍ସୀତା ସାହୁ କହିଥିଲେ ଯେ, କେନ୍ଦ୍ରରେ ଶିକ୍ଷାମନ୍ତ୍ରୀ ଗୁରୁ ଯେମିତି, ରାଜ୍ୟରେ ତାଙ୍କ ଶିଷ୍ୟ କହୁଥିବା ଶିକ୍ଷାମନ୍ତ୍ରୀ ସୂରଜ ସୂର୍ଯ୍ୟବଂଶୀ ମଧ୍ୟ ଠିକ୍ ସେମିତି ।

କାରଣ ରାଜ୍ୟରେ ବିଗତ ୨୩ ମାସ ଭିତରେ ୨୩ଟି ପେପର ଲିକ୍ ଯୋଗୁଁ ମେଧାବୀ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳ ଖେଳୁଛନ୍ତି ରାଜ୍ୟ ସରକାର । ପରୀକ୍ଷାର୍ଥୀ ମାନେ ରାତି ଅନିଦ୍ରା ହୋଇ ପାଠପଢ଼ି ଫଳାଫଳକୁ ଅପେକ୍ଷା କରିଥିବା ବେଳେ ତାଙ୍କ ଭାଗ୍ୟ ସହ ଖେଳୁଥିବା ବିଜେପି ନେତାମାନେ ସେ କଷ୍ଟକୁ ଅନୁଭବ କରିପାରୁ ନାହାନ୍ତି । ତେଣୁ ବାରମ୍ବାର ରାଜ୍ୟ ଏବଂ ଦେଶରେ ପେପର ଲିକ୍ ଭଳି ଘଟଣା ଦେଖିବାକୁ ମିଳୁଛି ।

 

Exit mobile version