ନୟାଗଡ଼ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର କୃତୀ ଛାତ୍ରୀଙ୍କୁ ସମ୍ବର୍ଦ୍ଧନା

​ନୟାଗଡ଼ (ଓଡିଶା ତାଜା ନ୍ୟୁଜ ) ନି. ପ୍ର :- ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଏ-୧ ଏବଂ ଏ-୨ ଗ୍ରେଡରେ ଉତ୍ତୀର୍ଣ୍ଣ ହୋଇଥିବା ମେଧାବୀ ଛାତ୍ରୀମାନଙ୍କୁ ବିଦ୍ୟାଳୟ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି। ​ଚଳିତ ପରୀକ୍ଷାରେ ବିଦ୍ୟାଳୟର ଛାତ୍ରୀ ବୈଭବି ଦିବ୍ୟଦର୍ଶନୀ ମୋଟ ୫୪୪ ନମ୍ବର (୯୦.୬୬%) ରଖି ଏ-୧ ଗ୍ରେଡରେ ପାସ କରି ବିଦ୍ୟାଳୟ ପାଇଁ ଗୌରବ ଆଣିଛନ୍ତି।

ତାଙ୍କର ଏହି ସଫଳତା ଅନ୍ୟ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରେରଣା ସାଜିଛି। ସେହିପରି ଏ-୨ ଗ୍ରେଡରେ ସଫଳତା ପାଇଥିବା ତିନିଜଣ ଛାତ୍ରୀ ସ୍ଥିତ ପ୍ରଜ୍ଞା ସାହୁ (୫୧୬ ନମ୍ବର), ଶୁଭଲକ୍ଷ୍ମୀ ପ୍ରଧାନ (୫୧୩ ନମ୍ବର) ଏବଂ ଧ୍ରିତି ମଧୁଲିକା (୫୧୧ ନମ୍ବର)ଙ୍କୁ ମଧ୍ୟ କାର୍ଯ୍ୟକ୍ରମରେ ଉପଢୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ​ଏହି ସମ୍ବର୍ଦ୍ଧନା ସଭାରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ସନ୍ଧ୍ୟାରାଣୀ ରାଉତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରୀମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ ।

ଭବିଷ୍ୟତରେ ଅଧିକ କଠିନ ପରିଶ୍ରମ କରି ସମାଜ ଓ ଜାତି ପାଇଁ ସୁନାମ ଅର୍ଜନ କରିବାକୁ ସେ ପରାମର୍ଶ ଦେବା ସହ କୃତୀ ଛାତ୍ରୀମାନଙ୍କ ଅଭିଭାବକ ମାନଙ୍କୁ ସାଧୁବାଦ ଜଣାଇଥିଲେ । ​ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀବାନି ସାହୁଙ୍କ ସମେତ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟର କର୍ମଚାରୀ ଓ ବିଦ୍ୟାଳୟର ଅନ୍ୟାନ୍ୟ କର୍ମଚାରୀମାନେ ଉପସ୍ଥିତ ରହି ଛାତ୍ରୀମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ ।

Exit mobile version