ଅହଙ୍କାର ସର୍ବନାଶ ‘ଜଉଘର’ ନାଟକରେ ସୁନ୍ଦର ଭାବ ପ୍ରତିଫଳିତ

​ନୟାଗଡ଼ (ଓଡିଶା ତାଜା ନ୍ୟୁଜ ) ନି. ପ୍ର :- ଅତୀତର ମହାଭାରତ ହେଉ କିମ୍ବା ଆଜିର ଆଧୁନିକ ସମାଜ, କ୍ଷମତା ଆଉ ସିଂହାସନ ପାଇଁ ଷଡ଼ଯନ୍ତ୍ରର କଳାବଳୟ ସବୁଠି ବିଦ୍ୟମାନ । ଏହି ଚିରନ୍ତନ ସତ୍ୟକୁ ଆଧାର କରି ସ୍ଥାନୀୟ ପଠାଣି ସାମନ୍ତ ପ୍ରେକ୍ଷାଳୟ ରେ ରାଗେଶ୍ରୀ ନିଳୟମ ଦ୍ୱାରା ଅନୁଷ୍ଠିତ ହୋଇଯାଇଛି ହୃଦୟସ୍ପର୍ଶୀ ନାଟକ ‘ଜଉଘର’। ନାଟ୍ୟକାର ବ୍ରତ୍ୟବସୁଙ୍କ ଲିଖିତ ଏବଂ ନିର୍ଦ୍ଦେଶକ ଶରତ ଚନ୍ଦ୍ର ଆଚାର୍ଯ୍ୟଙ୍କ ନିର୍ଦ୍ଦେଶନାରେ ମଞ୍ଚସ୍ଥ ଏହି ନାଟକଟି କେବଳ ମନୋରଞ୍ଜନ ନୁହେଁ, ବରଂ ମଣିଷ ଭିତରେ ସୁପ୍ତ ଥିବା ବିବେକକୁ ଜାଗ୍ରତ କରିବାର ଏକ ସଫଳ ଆହ୍ୱାନ ଥିଲା । ​

ନାଟକର ମୂଳବାର୍ତ୍ତା ଅନୁଯାୟୀ, ମଣିଷ ନିଜର ଅହଂକାର ଓ ଶକ୍ତି ପ୍ରଦର୍ଶନ ପାଇଁ ସର୍ବଦା ଲାଳାୟିତ। ଶାସକ ଓ ଶୋଷିତଙ୍କ ମଧ୍ୟରେ ଚାଲିଥିବା ସଂଘର୍ଷ, ଜୀବନ ଓ ମୃତ୍ୟୁର ଲଢ଼େଇ ମଧ୍ୟରେ କିଭଳି ମାନବିକତା ହଜିଯାଉଛି, ତାହା ଏଠାରେ ଦର୍ଶାଯାଇଛି । ତେବେ ଧ୍ୱଂସ ଓ ବିପ୍ଳବ ମଧ୍ୟରେ ବି ସତ୍ୟ-ଶିବ-ସୁନ୍ଦରର ଦୀପଶିଖା କିଭଳି ଜଳିରହେ ଏବଂ ଚେତନାକୁ ଜାଗ୍ରତ କରି ଏକ ସୁନ୍ଦର ସକାଳର ଆବାହନ କରେ, ତାହା ହିଁ ‘ଜଉଘର’ର ମୂଳ ଉଦ୍ଦେଶ୍ୟ । ଶେଷରେ ‘ଜଉଘର’ ନୁହେଁ, ବରଂ ଏକ ‘ଶ୍ରଦ୍ଧାଘର’ ନିର୍ମାଣ କରିବାକୁ ନାଟକ ମାଧ୍ୟମରେ ଆହ୍ୱାନ ଦିଆଯାଇଛି ।

​ନାଟକରେ ବିଭିନ୍ନ ଭୂମିକାରେ କାମାକ୍ଷା ପ୍ରସାଦ ଦାଶ, ଦେବେନ୍ଦ୍ର ପରମଗୁରୁ, ଗୋକୁଳ କୁମାର ଷଡ଼ଙ୍ଗୀ, ପ୍ରତାପ କୁମାର ସାହୁ, କୈଳାସ ଚନ୍ଦ୍ର ଓଝା, ସୁଧାଂଶୁ ଶେଖର ପଣ୍ଡା, ରଞ୍ଜନ ରଶ୍ମି ଜେନା, ସତ୍ୟବ୍ରତ ଲେଙ୍କା, ଗୋପୀନାଥ ସେଠୀ, ଆଲୋକ ରଞ୍ଜନ ମାନସିଂହ, ବସନ୍ତ କୁମାର ପଣ୍ଡା, ସୁଦର୍ଶନ ରାଉତ, ସରୋଜ ବାରିକ ଓ କାଳନ୍ଦୀ ଚରଣ ସାହୁ ପ୍ରମୁଖ ଚମତ୍କାର ଅଭିନୟ କରିଥିଲେ। ​ସେହିପରି ନାରୀ ଚରିତ୍ରରେ ନୀଳିମା ନନ୍ଦ, ପୁଷ୍ପାଞ୍ଜଳି ସାହୁ, ସରୋଜିନୀ ରଣସିଂହ, ପାୟଲ ପଣ୍ଡା, ସୁଶୀଳା ପ୍ରଧାନ ଓ ପୂଜା ମହାନ୍ତି ନିଜ ନିଜର ଦକ୍ଷତା ପ୍ରଦର୍ଶନ କରିଥିଲେ । ଶିଶୁ କଳାକାର ଭାବେ ଓମ୍ ସାଇକ୍ରିଷ୍ଣା, ସୋହମ୍ ଓ ସକ୍ଷମ ଦାଶ ଦର୍ଶକଙ୍କ ମନ ମୋହିଥିଲେ ।

ମଞ୍ଚାୟନ ନାଟକ ଉତ୍ସବର ଅନ୍ତିମ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ, ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ,ସମାଜସେବୀ ତାପସ ପାଢ଼ୀ, ନବକୁମାର ସାହୁ ପ୍ରମୁଖ ଯୋଗଦାନ କରିଥିବା ବେଳେ ମଞ୍ଚାୟନ ସଭାପତି ନିରଞ୍ଜନ ସ୍ୱାଇଁ,ନିର୍ଦ୍ଦେଶକ ଶରତ ଆଚାର୍ଯ୍ୟ, ଉପ ସଭାପତି ସୁରେନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ସମାଜସେବୀ ରାଧେଶ୍ୟାମ ମିଶ୍ରଙ୍କୁ ଅନୁଷ୍ଠାନ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଅନୁଷ୍ଠାନ ପକ୍ଷରୁ ଜ୍ଞାନ ପ୍ରକାଶ ବାରିକ ମଞ୍ଚ ପରିଚାଳନା କରିଥିଲେ। ଏହି ନାଟକଟି ସ୍ଥାନୀୟ ଅଞ୍ଚଳରେ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛି ।

Exit mobile version