ମୃତ ରାକେଶକୁ ନ୍ୟାୟ ଦାବିରେ – ୫ ଘଣ୍ଟା ରାସ୍ତାରୋକ

ବିଭତ୍ସ ଭାବରେ ହତ୍ୟା କରାଯାଇଥିବା ମୃତ ରାକେଶକୁ ନ୍ୟାୟ ଦାବିରେ ଉତ୍ତ୍ୟକ୍ତ ଲୋକଙ୍କ ୫ ଘଣ୍ଟା ରାସ୍ତାରୋକ

ବାଲିପାଟଣା (ଓଡିଶା ତାଜା ନ୍ୟୁଜ ) ନି. ପ୍ର :- ଗତକାଲି ଅପରାହ୍ନରେ ବୀଭତ୍ସ ଭାବେ ହତ୍ୟା କରାଯାଇଥିବା ଅଠାନ୍ତର ଗ୍ରାମର ରାକେଶ ଦାସ କୁ ନ୍ୟାୟ ଦାବି କରି ଆଜି ପୂର୍ବାହ୍ନ ରେ ଅଠାନ୍ତର ଛକ ଠାରେ ରାସ୍ତାରୋକ ହୋଇଯାଇଛି। ମୃତକଙ୍କ ମାଆ ପ୍ରଭାସିନୀ,ଦାଦା ପ୍ରକାଶ,ଖୁଡି ଲକ୍ଷ୍ମୀପ୍ରିୟାଙ୍କ ସହିତ ମହିଳା ସଂଗଠନର କର୍ମକର୍ତ୍ତା,ବଜରଙ୍ଗ ଦଳର କର୍ମୀ, ସାମାଜିକ କର୍ମୀ ଓ ଶହ ଶହ ସ୍ଥାନୀୟ ଜନ ସାଧାରଣ ରାସ୍ତା ଉପରେ ବସିରହିଥିଲେ।

ଏହା ସହିତ ଆରମ୍ଭ ହୋଇଥିବା ରାସ୍ତା ଅବରୋଧ ମଝିରେ ମଝିରେ ହିଂସକ ରୂପ ନେଇ ପୋଲିସକୁ ଲୋକେ ନାକେଦମ୍ କରିଥିଲେ।ସ୍ଥାନିୟ ବିଧାୟକ ନବ କିଶୋର ମଲ୍ଲିକ ଘଟଣା ସ୍ଥଳରେ ପହଞ୍ଚି ବୁଝାସୁଝା କରି ମୃତକ ପରିବାରକୁ ଆମ ସଂଗଠନ ର ସଭାପତି ଚନ୍ଦନ ପାତ୍ର ଙ୍କ ତରଫରୁ ୩ ଲକ୍ଷ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଥିଲେ।ପୋଲିସ ବିଭାଗ ପକ୍ଷରୁ ୫୦୦୦୦ ଟଙ୍କା ଏବଂ ରେଡକ୍ରସ ପାଣ୍ଠିରୁ ଅତିରିକ୍ତ ତହସିଲଦାର ସୌରଭ କୁମାର ବଡୁ ୨୦ ହଜାର ଟଙ୍କା ପ୍ରଦାନ କରିଥିଲେ ।

ବହୁ କସରତ ପରେ ଅପରାହ୍ନ ପ୍ରାୟ ୩ ଟାରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା।ଆନ୍ଦୋଳନ ପ୍ରତ୍ୟାହୃତ ହେବାପରେ ପୋଷ୍ଟ ମୋର୍ଟାମ ହୋଇ ଭୁବନେଶ୍ୱରରେ ଅଟକି ରହିଥିବା ମୃତକଙ୍କ ପ୍ରାର୍ଥିବ ଶରୀର ପୋଲିସ ହେପାଜତରେ ଗାଁଆ ରେ ପହଞ୍ଚିବା ପରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ଏହାପରେ ଗ୍ରାମ ଶ୍ମଶାନରେ ରାକେଶଙ୍କ ମୃତ ଶରୀରର ଦାହ ସଂସ୍କାର କରାଯାଇଛି।

ପ୍ରକାଶ ଥାଉକି ଗତକାଲି ଅପରାହ୍ନରେ ଦିବା ଲୋକରେ ସର୍ବ ସମ୍ମୁଖରେ ନିଶା ବେପାର କରୁଥିବା ଦୁଇ ଯୁବକ ସଲମାନ୍ ଖାଁ ଓ ଜାକିର ଶାହା ଅଠାନ୍ତର ଗ୍ରାମ ର କୈଳାସ ଦାସ ଙ୍କ ପୁତ୍ର ରାକେଶ ଦାସଙ୍କୁ ତାରିଣୀ ମନ୍ଦିର ପାଖରେ ପିଟିପିଟି ମାରି ଦେଇଥିଲେ। ପୋଲିସ ଦୁଇ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରି ଅଟକ ରଖି ଘଟଣା ର ତଦନ୍ତ କରୁଛି। ଆଜିର ରାସ୍ତାରୋକ ଘଟଣା ସ୍ଥଳରେ ପୋଲିସ ତରଫରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।

ଅତିରିକ୍ତ ସିପି ଅନୁପ କାନୁନଗୋ,ଡିସିପି ବିଷ୍ଣୁ ପ୍ରସାଦ ପତି, ଏ ସି ପି ଅଭିମନ୍ୟୁ ନାୟକ, ଆଇ ଆଇ ସି ସୂର୍ଯ୍ୟଂଶୁ ଶେଖର ପାଢ଼ୀ,ରାଧାକାନ୍ତ ସାହୁ,ପ୍ରଶାନ୍ତ ସାହୁ,ଅଶ୍ୱିନୀ ଜେନା,ସଞ୍ଜୟ ମହାପାତ୍ର,ଏସ କେ ବେହେରା ଙ୍କ ସହିତ ବହୁ ପୋଲିସ ଅଧିକାରୀ ଦୁଇ ପ୍ଲାଟୁନ୍ ଫୋର୍ସ ସହିତ ଉପସ୍ଥିତ ରହି ଶାନ୍ତି ଶୃଙ୍ଖଳା ରକ୍ଷା କରିଥିଲେ। ଆଜି ଅପରାହ୍ନ ରେ କଂଗ୍ରେସ ଦଳ ତରଫରୁ ବ୍ଲକ ସଭାପତି ଶୈଳେନ୍ଦୁ ଦାସ ଙ୍କ ନେତୃତ୍ବରେ ବିକ୍ଷୋଭ ପ୍ରଦର୍ଶନ କରାଯାଇ ବାଲିପାଟଣା ଠାରେ ମୁଖ୍ୟମନ୍ତ୍ରୀଙ୍କ କୁଶପୂତୁଲିକା ଦାହ କରାଯାଇଥିଲା।

Exit mobile version