ମାଲକାନଗିରିରେ ଗ୍ରାମ୍ୟ ଉନ୍ନୟନ ସଚିବ ଯାମିନୀ ଷଡ଼ଙ୍ଗୀ

 ଭିତ୍ତିଭୂମିର ସମୀକ୍ଷା ସହ ଜିଏସଟି ପାଳନ ପାଇଁ କଡ଼ା ନିର୍ଦ୍ଦେଶ

ମାଲକାନଗିରି (ଓଡ଼ିଶା ତାଜା ନ୍ୟୂଜ୍) (ନିପ୍ର ) :- ଗ୍ରାମ୍ୟ ଉନ୍ନୟନ ବିଭାଗର କମିଶନର ତଥା ସଚିବ ଏବଂ ସିଟି ଜିଏସଟି କମିଶନର ଯାମିନୀ ଷଡ଼ଙ୍ଗୀ ମାଲକାନଗିରି ଜିଲ୍ଲା ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି । ନିଜର ଏହି ଗସ୍ତ ସମୟରେ ସେ ଜିଲ୍ଲାର ଦୁର୍ଗମ ଅଞ୍ଚଳରେ ଚାଲିଥିବା ରାସ୍ତା ଓ ଗୃହ ନିର୍ମାଣ ପ୍ରକଳ୍ପର ଗୁଣବତ୍ତା ଅନୁଧ୍ୟାନ କରିବା ସହ ପ୍ରଶାସନିକ ସ୍ତରରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ ଆଲୋଚନା କରିଥିଲେ । ସଚିବ ଶ୍ରୀମତୀ ଷଡ଼ଙ୍ଗୀ ପି.ଡବ୍ଲୁ.ଡି ରାସ୍ତାରୁ ପାରୁଗୁଡ଼ା ଏବଂ ଜେ.ଏମ ରାସ୍ତାରୁ କାଠିଗୁଡ଼ା ପର୍ଯ୍ୟନ୍ତ ନିର୍ମାଣାଧୀନ ଗ୍ରାମ୍ୟ ରାସ୍ତା ପରିଦର୍ଶନ କରିଥିଲେ ।

ଏଥିସହ ମାଥିଲି ସ୍ଥିତ ଜେଏମଫସି କୋର୍ଟ କମ୍ପ୍ଲେକ୍ସ ଏବଂ ଖଇରପୁଟ ଓ ମାଥିଲି ବ୍ଲକର ବିଭିନ୍ନ ଭିତ୍ତିଭୂମି ବିକାଶ କାର୍ଯ୍ୟର ତଦାରଖ କରିଥିଲେ । ସେଠାରେ ଉପସ୍ଥିତ ଥିବା ଯନ୍ତ୍ରୀମାନଙ୍କୁ କାର୍ଯ୍ୟ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଶେଷ କରିବାକୁ ସେ କଡ଼ା ନିର୍ଦ୍ଦେଶ ଦେଇଥିଲେ । କ୍ଷେତ୍ର ପରିଦର୍ଶନ ପରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା ।

ଏଥିରେ ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜଶିର୍କେ ଓ ମୁଖ୍ୟ ଉନ୍ନୟନ ଅଧିକାରୀ ଦାଶରଥି ସରାବୁଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ ଯୋଗ ଦେଇଥିଲେ । ବୈଠକରେ ସଚିବ କହିଥିଲେ ଯେ, ଗ୍ରାମାଞ୍ଚଳର ଭିତ୍ତିଭୂମି ବିକାଶ ଆମର ପ୍ରାଥମିକତା । ଏଥିସହିତ ସରକାରୀ ସ୍ତରରେ ଅଟକି ରହିଥିବା ପ୍ରକଳ୍ପଗୁଡ଼ିକ ବିଷୟରେ ଜଣାଇଲେ ସେଗୁଡ଼ିକର ତୁରନ୍ତ ସମାଧାନ କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ ।

ବିଶେଷ କରି ଆର୍ଥିକ ସ୍ୱଚ୍ଛତା ଉପରେ ଗୁରୁତ୍ୱ ଦେଇ ସମସ୍ତ ସରକାରୀ ବିଭାଗ ଓ କାର୍ଯ୍ୟକାରୀ ସଂସ୍ଥାଗୁଡ଼ିକୁ ଜିଏସଟି ଅଫିସରେ ଠିକ ସମୟରେ ଟିଡିଏସ୍ ଜମା କରିବା ପାଇଁ ସେ ନିର୍ଦ୍ଦେଶ ଦେଇଥିଲେ । ସମସ୍ତ ପ୍ରକଳ୍ପ ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ ହେବା ସହ କାର୍ଯ୍ୟର ଗୁଣବତ୍ତା ବଜାୟ ରଖିବା ଅତ୍ୟନ୍ତ ଆବଶ୍ୟକ । କ୍ଷେତ୍ର ପରିଦର୍ଶନ ସମୟରେ ସୁନାବେଡ଼ା ଗ୍ରାମ୍ୟ ଉନ୍ନୟନ ସର୍କଲର ସିସିଇ ଏବଂ ମାଲକାନଗିରି ଗ୍ରାମ୍ୟ ଉନ୍ନୟନ ଡିଭିଜନ-୧ ଓ ୨ ର ଏସଇ, ଇଇ, ଏଇଇ ଓ ଜେଇମାନେ ଉପସ୍ଥିତ ଥିଲେ ।

Exit mobile version