ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ୬ ଦଫା ଦାବି ପତ୍ର ପ୍ରଦାନ

ମାଲକାନଗିରି  (ଓଡ଼ିଶା ତାଜା ନ୍ୟୂଜ୍) (ନିପ୍ର ) :- ରାଜ୍ୟ ଉତ୍କଳ ସାମ୍ବାଦିକ ସଂଘର ସଭାପତି ବିଭୁତି ଭୂଷଣ କରଙ୍କ ନିର୍ଦେଶକ୍ରମେ ଆଜି ମାଲକାନଗିରି ଜିଲ୍ଲା ଶାଖା ପକ୍ଷରୁ ସାମ୍ବାଦିକମାନଙ୍କ ନାନା ସମସ୍ୟାର ସମାଧାନ ପାଇଁ ୬ ଦଫା ଦାବି ସମ୍ବଳିତ ଏକ ଦାବିପତ୍ର ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି। ସଂଘ ପକ୍ଷରୁ କୁହାଯାଇଛି ଯେ, ରାଜ୍ୟରେ ସାମ୍ବାଦିକମାନେ ଦୀର୍ଘଦିନ ଧରି ନାନା ପ୍ରଶାସନିକ ଓ ସାମାଜିକ ସମସ୍ୟା ସମ୍ମୁଖୀନ ହୋଇଆସୁଛନ୍ତି।

ପୂର୍ବରୁ ବିରୋଧୀ ଦଳରେ ଥିବା ବିଜେପି ନେତାମାନେ ସରକାର ଗଠନ କରିଲେ ସାମ୍ବାଦିକଙ୍କ ନ୍ୟାୟସଙ୍ଗତ ଦାବିଗୁଡ଼ିକ ପୂରଣ କରିବେ ବୋଲି ଆଶ୍ୱାସନ ଦେଇଥିଲେ। ବର୍ତ୍ତମାନ ରାଜ୍ୟରେ ବିଜେପି ସରକାର ଗଠିତ ହେବା ପରେ ମଧ୍ୟ ସେହି ପ୍ରତିଶ୍ରୁତି ଅମଲ ହୋଇନଥିବାରୁ ସାମ୍ବାଦିକମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି। ବିଶେଷ କରି ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ବିରୋଧୀ ଦଳରେ ଥିବା ସମୟରେ ସାମ୍ବାଦିକ ଆନ୍ଦୋଳନରେ ଯୋଗଦେଇ ଦାବିଗୁଡ଼ିକୁ ସମର୍ଥନ କରିଥିବା ସତ୍ତ୍ୱେ, ସରକାର ଗଠନ ପରେ ଏହାର ପ୍ରତିଫଳ ଦେଖିବାକୁ ମିଳୁନାହିଁ ବୋଲି ସଂଘ ଅଭିଯୋଗ କରିଛି।

ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘର ସଭାପତି ଅଶୋକ ମିଶ୍ରଙ୍କ ନେତୃତ୍ୱରେ ଏହି ଦାବିପତ୍ର ପ୍ରଦାନ କରାଯାଇଥିଲା । ଦାବିଗୁଡ଼ିକ ମଧ୍ୟରେ ଅଧିସ୍ୱୀକୃତି କମିଟିର ପୁନର୍ଗଠନ ଓ ପ୍ରଚଳିତ ଆଇନରେ ସଂଶୋଧନ କରି ଯୋଗ୍ୟ ସାମ୍ବାଦିକଙ୍କୁ ବ୍ୟାପକ ମାନ୍ୟତା, ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ, ୬୦ ବର୍ଷରୁ ଅଧିକ ବୟସ୍କ ସାମ୍ବାଦିକଙ୍କ ପାଇଁ ମାସିକ ଅନ୍ୟୁନ ୧୫ ହଜାର ଟଙ୍କା ପେନସନ ବ୍ୟବସ୍ଥା, ଓଡ଼ିଶା ପ୍ରେସ୍ ଏକାଡେମୀ ଗଠନ ସହ ଭୁବନେଶ୍ୱରରେ ଭବନ ନିର୍ମାଣ କରି ସାମ୍ବାଦିକଙ୍କ ପାଇଁ ସ୍ୱଳ୍ପ ମୂଲ୍ୟରେ ରହଣି ସୁବିଧା, ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନାରେ ଅବସରପ୍ରାପ୍ତ ସାମ୍ବାଦିକ ଓ ପରିବାର ସଦସ୍ୟଙ୍କ ସାମିଲ,

ଏବଂ ମୃତ୍ୟୁକାଳୀନ ଅନୁକମ୍ପା ରାଶିକୁ ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି କରିବା ଆଦି ରହିଛି। ଏହି ଦାବିପତ୍ର ପ୍ରଦାନ ସମୟରେ ସଂଘର କୋଷାଧ୍ୟକ୍ଷ ହୃଷୀକେଶ ଶେଠୀ, ଉପଦେଷ୍ଟା ବାଳକୃଷ୍ଣ ପ୍ରଧାନ, ଭଗବାନ ସାହୁ, ମନୋଜ ସାହା, ପ୍ରଦୀପ କୁମାର ମହାରଣା, ଗୌରୀଶଙ୍କର ପଣ୍ଡା, ଦିଲୀପ ପଟ୍ଟନାୟକ, ଶିବନାରାୟଣ ପାତ୍ର, ମାଣିକ ବଛାଡ଼, ରାଜେଶ ବେପାରୀ, ଦୀପଙ୍କର କୀର୍ତ୍ତନିୟା, ସୁରେନ୍ଦ୍ର ହଲବା, ଏମ୍‌ ଚନ୍ଦ୍ର ରାଓ, ନରତୋଷ ବାଲା ସହ ଅନ୍ୟାନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ। ସଂଘ ପକ୍ଷରୁ ସରକାରଙ୍କୁ ଯଥାଶୀଘ୍ର ଦାବିଗୁଡ଼ିକ ପୂରଣ କରିବା ସହ ସାମ୍ବାଦିକଙ୍କ ସୁରକ୍ଷା ଓ ସୁବିଧା ନିଶ୍ଚିତ କରିବାକୁ ଜୋରଦାର ଦାବି କରାଯାଇଛି ।

Exit mobile version