କୋଣାର୍କ ଅଞ୍ଚଳର “ନଟ୍ ଫାଇନାଲ” ଜମି ସମସ୍ୟା ଦୂର କରିବାକୁ ଅନୁରୋଧ

କୋଣାର୍କ  (ଓଡ଼ିଶା ତାଜା ନ୍ୟୂଜ୍) (ନିପ୍ର ) :- ବିଶ୍ୱ ପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିର କୁ କେନ୍ଦ୍ର କରି କୋଣାର୍କ ଅଞ୍ଚଳରେ ପର୍ଯ୍ୟଟନ ଓ ସ୍ଥାନୀୟ ଅର୍ଥନୀତିର ବିକାଶ ପାଇଁ ସରକାର ବିଭିନ୍ନ ଯୋଜନା କରୁଥିବା ବେଳେ “ନଟ୍ ଫାଇନାଲ” ଜମି ସମସ୍ୟା ଏଥିରେ ବଡ଼ ବାଧା ହେଉଥିବା ଅଭିଯୋଗ ଉଠିଛି । ବିଜେପି କୃଷକ ମୋର୍ଚ୍ଚାର ପୂର୍ବତନ ରାଜ୍ୟ ସମ୍ପାଦକ ଓ ଡିଏଲପିସି, ପୁରୀ ଜିଲ୍ଲା ଧାନ ସଂଗ୍ରହ କମିଟି ର ଚାଷୀ ପ୍ରତିନିଧି ପ୍ରଶାନ୍ତ ସ୍ୱାଇଁ(ଲୁଲୁ) ଏହାକୁ ନେଇ ଉପମୁଖ୍ୟମନ୍ତ୍ରୀ ଓ ରାଜସ୍ୱ ମନ୍ତ୍ରୀଙ୍କୁ ଚିଠି ଲେଖି ତତ୍କାଳ ପଦକ୍ଷେପ ନେବାକୁ ଦାବି କରିଛନ୍ତି ।

ତାଙ୍କ ଅଭିଯୋଗ ଅନୁଯାୟୀ, କୋଣାର୍କ ତହସିଲ ଅନ୍ତର୍ଗତ କୋଣାର୍କ, ମାଧିପୁର, କୁରୁଜଙ୍ଗ, କୁଞ୍ଜ, ବେରୁଂହ, ବାଲିଘାଇ, ବାଙ୍ଗରବରପଦା, ଭୁଆଁ, ଜମରା, ସୁତନ, ତରକୋର, ଗଡବାଙ୍ଗର ଓ ଖାଲକଟପାଟଣା ସହିତ ଅନେକ ମୌଜାରେ ଦୀର୍ଘଦିନ ଧରି ଜମି “ନଟ୍ ଫାଇନାଲ” ଅବସ୍ଥାରେ ରହିଛି। ଏହି ସମସ୍ୟା ପାଇଁ ସ୍ଥାନୀୟ ଜନସାଧାରଣ ଓ ଉଦ୍ୟୋଗୀମାନେ ନିବେଶ କରିବାରେ ଅସମର୍ଥ ହେଉଛନ୍ତି।

ଜମିର ଆଇନଗତ ଅଧିକାର ନଥିବାରୁ ବ୍ୟାଙ୍କ ଋଣ ମିଳୁନାହିଁ, ଯାହା ଛୋଟ ହୋଟେଲ, ହୋମସ୍ଟେ ଓ ପର୍ଯ୍ୟଟନ ସଂପର୍କିତ ବ୍ୟବସାୟର ବିକାଶକୁ ବାଧା ଦେଉଛି । ଏଥି ସହିତ ସ୍ଥାନୀୟ ଉଦ୍ୟମିତା ଓ ଜୀବିକାର ମାନ ମଧ୍ୟ ଆଶାନୁରୂପ ଭାବେ ବୃଦ୍ଧି ପାଉନାହିଁ । ସେ କହିଛନ୍ତି ଯେ, ନିମାପଡାରେ ସମ୍ପ୍ରତି “ନଟ୍ ଫାଇନାଲ” ଅଞ୍ଚଳକୁ ଫାଇନାଲ କରି ପଟ୍ଟା ବଣ୍ଟନ କରାଯାଇଥିବା ଏକ ସଫଳ ମଡେଲ ଭାବେ ପ୍ରମାଣିତ ହୋଇଛି, ଯାହାକୁ କୋଣାର୍କରେ ମଧ୍ୟ ଲାଗୁ କରିବା ଦରକାର ।

ଏହି ପରିପ୍ରେକ୍ଷିତରେ ସେ କୋଣାର୍କ ଅଞ୍ଚଳରେ ତତ୍କାଳ ସର୍ଭେ ଓ ସେଟଲମେଣ୍ଟ ପ୍ରକ୍ରିୟା ଆରମ୍ଭ, ଶୀଘ୍ର ରେକର୍ଡ ଅଫ୍ ରାଇଟ୍ସ ଫାଇନାଲ କରିବା ଓ ଯୋଗ୍ୟ ଲୋକଙ୍କୁ ପଟ୍ଟା ବଣ୍ଟନ କରିବାକୁ ସରକାରଙ୍କୁ ଅନୁରୋଧ କରିଛନ୍ତି । ଏହା ଦ୍ୱାରା କୋଣାର୍କର ପର୍ଯ୍ୟଟନ ଓ ସ୍ଥାନୀୟ ଅର୍ଥନୀତିର ସମ୍ପୂର୍ଣ୍ଣ ସମ୍ଭାବନା ଉନ୍ମୋଚିତ ହେବା ସହିତ ଲୋକଙ୍କ ଜୀବନ ମାନରେ ମୂଲ୍ୟବାନ ସୁଧାର ଆସିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି ।

Exit mobile version