ଲବଣ ସତ୍ୟାଗ୍ରହ ସ୍ମାରକୀ ସମାରୋହ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ପୁରୀ (ଓଡ଼ିଶା ତାଜା ନ୍ୟୂଜ୍) (ନିପ୍ର ) ପୁରୀ :- ଅସ୍ତରଙ୍ଗ ବ୍ଲକ ର ଐତିହାସିକ ଲବଣ ସତ୍ୟାଗ୍ରହ ପୀଠ କୁହୁଡି ଠାରେ ପ୍ରତି ବର୍ଷ ମଇ ମାସ ୨୧ ତାରିଖ କୁ ଲବଣ ସତ୍ୟାଗ୍ରହ ସ୍ମାରକୀ ସମାରୋହ ଭାବେ ଅନୁଷ୍ଠିତ ହୋଇଥାଏ।ଚଳିତ ବର୍ଷ ୯୬ ତମ ରାଜ୍ୟ ସ୍ତରୀୟ ଲବଣ ସତ୍ୟାଗ୍ରହ ସ୍ମାରକୀ ସମାରୋହ କୁ ଶାନ୍ତି ଶୃଙ୍ଖଳା ର ସହ ପାଳନ ନିମିତ୍ତ ଏକ ପ୍ରସ୍ତୁତି ବୈଠକ ଆଜି ପୂର୍ବାହ୍ନରେ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡାଙ୍କ ପରାମର୍ଶ କ୍ରମେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଅନୁଷ୍ଠିତ ହୋଇଥିଲା।

ସ୍ବାଧୀନତା ସଂଗ୍ରାମରେ ଲବଣ ସତ୍ୟାଗ୍ରହ ର ଭୂମିକା ଅତିବ ଗୁରୁତ୍ୱପୂର୍ଣ୍ଣ।ମହାତ୍ମାଗାନ୍ଧୀ ଙ୍କ ଡାକରାରେ ଲକ୍ଷ ଲକ୍ଷ ସଂଗ୍ରାମୀ ଏଥିରେ ସ୍ବତଃ ପୂତଃ ଭାବେ ଯୋଗ ଦେଇଥିଲେ।ସେମାନଙ୍କ ତ୍ୟାଗ ଓ ବଳିଦାନ ର ଫଳ ଆମର ଦେଶର ସ୍ବାଧୀନତା, ଯାହା ଆମେ ଉପଭୋଗ କରୁଛନ୍ତି ବୋଲି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବେହେରା କହିବା ସହ ଏହି ଦିବସ କୁ ଶୃଙ୍ଖଳିତ ଭାବେ ପାଳନ ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ।ସମସ୍ତ ବିଭାଗ ସେମାନଙ୍କ ଦାୟିତ୍ୱ କୁ ସୁଚାରୁ ରୁପେ ନିର୍ବାହ ପାଇଁ ସେ ପରାମର୍ଶ ଦେଇଥିଲେ।

ଜିଲ୍ଲା ପ୍ରଶାସନ, ସୂଚନା ଓ ଲୋକ ସମ୍ପର୍କ ବିଭାଗ ଏବଂ ଉତ୍କଳ ସଂଗ୍ରାମୀ ସ୍ମୃତି ସମିତିର ମିଳିତ ସହଯୋଗରେ ଏହା ପ୍ରତ୍ୟେକ ବର୍ଷ କୁହୁଡି ଠାରେ ପାଳିତ ହୋଇଥାଏ।ଚଳିତ ବର୍ଷ ଏହାକୁ ଅନୁରୂପ ଭାବେ ସମସ୍ତ ଙ୍କ ସହଯୋଗ ରେ ପାଳନ କରାଯିବାର ବ୍ୟବସ୍ଥା ହେଉଛି ବୋଲି ଉତ୍କଳ ସଂଗ୍ରାମୀ ସ୍ମୃତି ସମିତିର ସଭାପତି ଅମୀୟ କୁମାର ପଟ୍ଟନାୟକ କହିଥିଲେ।ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ ସମସ୍ତଙ୍କୁ ସ୍ବାଗତ କରିବା ସହ କାର୍ଯ୍ୟସୂଚୀ ଅନୁସାରେ ବୈଠକ ପରିଚାଳନା କରିଥିଲେ।

ନିଷ୍ପତି ଅନୁସାରେ ମଇ ୨୧ ତାରିଖ ପୂର୍ବାହ୍ନ ୭ ଘଟିକା ସମୟରେ ବ୍ଲକ ନିକଟରେ ଥିବା ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତି, ବ୍ଲକ ପରିସରରେ ଥିବା ସ୍ମୃତି ସ୍ତମ୍ଭ ଠାରେ ମାଲ୍ୟାର୍ପଣ ପରେ ଏକ ଶୋଭାଯାତ୍ରା କୁହୁଡି ଠାରେ ପହଞ୍ଚିବ।ସେଠାରେ ବରପୁତ୍ର ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ ପରେ ଜାତୀୟ ପତାକା ଉତ୍ତୋଳନ କରାଯିବ।ପରେ ଲବଣ ସତ୍ୟାଗ୍ରହ ସମାରୋହ ଅନୁଷ୍ଠିତ ହେବ।ରାସ୍ତା ମରାମତି, ପରିଷ୍କାର ପରିଛନ୍ନତା, ପାନୀୟ ଜଳ ବ୍ୟବସ୍ଥା, ଚିକିତ୍ସା ବ୍ୟବସ୍ଥା, ଅଗ୍ନି ନିର୍ବାପକ ବ୍ୟବସ୍ଥା, ଆଇନ ଶୃଙ୍ଖଳା ରକ୍ଷା,ଟ୍ରାଫିକ ନିୟନ୍ତ୍ରଣ, ପାର୍କିଂ ବ୍ୟବସ୍ଥା,

ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ, ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ବିବିଧ ପ୍ରତିଯୋଗିତା ଆୟୋଜନ, କୃତି ପ୍ରତିଯୋଗୀ ଙ୍କୁ ସମ୍ବର୍ଦ୍ଧନା, ସାଂସ୍କୃତିକ କାର୍ଯ୍ୟକ୍ରମ ଇତ୍ୟାଦି ଆୟୋଜିତ ହେବ।ଏହାର ସୁବନ୍ଦୋବସ୍ତ ସଠିକ ସମୟ ସୀମା ମଧ୍ୟରେ କରିବାକୁ ସମ୍ପୃକ୍ତ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ ବେହେରା, କୋଣାର୍କ ପର୍ଯ୍ୟଟନ ଅଧିକାରୀ ମାମିନୀ ପରିଡା,ଅତିରିକ୍ତ ଶିକ୍ଷା ଅଧିକାରୀ ଗୋବିନ୍ଦ ଚନ୍ଦ୍ର ହେମ୍ବ୍ରମ ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଓ ଲାଇନ ଡିପାର୍ଟମେଣ୍ଟର ଅଧିକାରୀ ମାନେ ଯୋଗ ଦେଇ ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ।

Exit mobile version