ଉତ୍କଳଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀରେ ମାଲ୍ୟାର୍ପଣ ଓ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୂଜ୍) (ନିପ୍ର ) :- ଓଡ଼ିଆ ଅସ୍ମିତା, ସ୍ୱାଭିମାନ ଓ ସ୍ୱତନ୍ତ୍ର ଓଡ଼ିଶା ଗଠନରେ ଅସାଧାରଣ ଅବଦାନ ରଖିଥିବା ଉତ୍କଳଗୌରବ ମଧୁସୂଦନ ଦାସଙ୍କୁ ତାଙ୍କ ଜୟନ୍ତୀ ଅବସରରେ ଗଭୀର ଶ୍ରଦ୍ଧାସହ ସ୍ମରଣ କରାଯାଇଥିଲା । ତାଙ୍କ ଜୀବନଦର୍ଶନ ଓ ତ୍ୟାଗମୟ ଅବଦାନ ଆଜିବି ସମାଜ ପାଇଁ ପ୍ରେରଣାର ସ୍ରୋତ ବୋଲି ଏହି ଅବସରରେ ଉଲ୍ଲେଖ କରାଯାଇଥିଲା ।

ଏହି ଅବସରରେ ଆଜି ସକାଳ ୮ ଘଟିକା ସମୟରେ ଭୁବନେଶ୍ୱରସ୍ଥିତ ରାଜଭବନ ଛକରେ ଉତ୍କଳଗୌରବ ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତିରେ ମାନ୍ୟବର ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ ପୁଷ୍ପମାଲ୍ୟ ଅର୍ପଣ କରି ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ସେ ଏହି ଅବସରରେ କହିଥିଲେ ଯେ ମଧୁବାବୁ ଓଡ଼ିଆ ଜାତିର ସ୍ୱାଭିମାନ ଓ ଏକତାର ଶକ୍ତିଶାଳୀ ପ୍ରତୀକ ଥିଲେ ଏବଂ ତାଙ୍କ ଆଦର୍ଶ ଆଗାମୀ ପିଢ଼ିକୁ ପ୍ରେରଣା ଯୋଗାଇବ ।

ଏହି ମାଲ୍ୟାର୍ପଣ କାର୍ଯ୍ୟକ୍ରମରେ ସୂଚନା ଓ ଲୋକସମ୍ପର୍କ ବିଭାଗର ନିର୍ଦେଶକ ଶ୍ରୀଯୁକ୍ତ ଅନୁଜ କୁମାର ଦାସପଟ୍ଟନାୟକ, ଅତିରିକ୍ତ ନିର୍ଦେଶକ ଶ୍ରୀ ସୁରଜିତ୍ ମିଶ୍ର, ଉପନିର୍ଦ୍ଦେଶକ ଶ୍ରୀମତୀ ସୁଚେତା ପ୍ରିୟଦର୍ଶିନୀ, ସହକାରୀ ନିର୍ଦ୍ଦେଶକ ଶ୍ରୀ ଦୀପକ କୁମାର ସାହୁ, ଲୋକସମ୍ପର୍କ ଅଧିକାରୀ ଶ୍ରୀ ସୁଜିତ ରଞ୍ଜନ ସ୍ୱାଇଁ,

ପ୍ରମୋଦିନୀ ଟେଟେ ଓ ଏମ୍ ଅଭିଶେକ୍ ସହିତ ବିଭାଗର ଅନ୍ୟାନ୍ୟ ଅଧିକାରୀ ଓ କର୍ମଚାରୀମାନେ ଯୋଗଦେଇ ମାଲ୍ୟାର୍ପଣ କରିଥିଲେ । ଏହାସହ ଏହି ଅବସରରେ ବହୁ ରାଜନେତା, ଉତ୍କଳ ସମ୍ମିଳନୀର କର୍ମକର୍ତ୍ତାମାନେ, ବିଭିନ୍ନ ସାମାଜିକ ଓ ରାଜନୈତିକ ଅନୁଷ୍ଠାନର ପ୍ରତିନିଧି, ବୁଦ୍ଧିଜୀବୀ ଓ ସାଧାରଣ ଲୋକମାନେ ଯୋଗଦେଇ ଉତ୍କଳଗୌରବ ମଧୁସୂଦନ ଦାସଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

 

Exit mobile version