ମହାରାଜ କୃଷ୍ଣଚନ୍ଦ୍ର ଗଜପତି ସ୍ମୃତି ପରିଷଦ ପକ୍ଷରୁ ମହାରାଜ କୃଷ୍ଣଚନ୍ଦ୍ର ଗଜପତିଙ୍କ ୧୩୪ ଜୟନ୍ତୀ ପାଳିତ

କଟକ (ଓଡ଼ିଶା ତାଜା ନ୍ୟୂଜ୍) (ନିପ୍ର ) :- ସ୍ଵତନ୍ତ୍ର ଉକଳ ପ୍ରଦେଶର ନିର୍ମାତା ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ସ୍ଵପ୍ନ ଅପୂରଣୀୟ ହୋଇ ରହିଛି : ୧୩୪ ତମ ଜୟନ୍ତୀ ଅବସରରେ ବିଭିନ୍ନ ବକ୍ତାଙ୍କ ଉଦବୋଧନ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ସ୍ମୃତି ପରିଷଦ ପକ୍ଷରୁ ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ୧୩୪ ତମ ଜୟନ୍ତୀ ପାଳିତ। ସ୍ଵତନ୍ତ୍ର ଉକଳ ପ୍ରଦେଶର ନିର୍ମାତା ପାରଳା ମହାରାଜାଙ୍କ ଯେଉଁ ସ୍ଵପ୍ନ ଥିଲା ଓଡ଼ିଶାକୁ ଏକ ସମୃଦ୍ଧିଶାଳି ରାଜ୍ୟ କରିବା, ତାହା ଆଜି ଅପୂରଣୀୟ ହୋଇ ରହିଛି ।

ପାରଳା ମହାରାଜାଙ୍କ ଅବଦାନ ପାଇଁ ଉପଯୁକ୍ତ ସମ୍ମାନ ମଧ୍ୟ ପ୍ରଦାନ କରାଯାଉନାହିଁ । ଏ ଦିଗରେ ରାଜ୍ୟ ସରକାର ସ୍ଵପୂର୍ଣ୍ଣ ଉଦାସୀନ ବୋଲି ବକ୍ତମାନେ ମତ ପ୍ରକାଶ କରିଥିଲେ । ଉତ୍କଳ ପ୍ରଦେଶ ଗଠନର କର୍ଣ୍ଣଧାର ତଥା ଓଡିଶାର ପ୍ରଥମ ପ୍ରଧାନମନ୍ତ୍ରୀ ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଦେବଙ୍କ ୧୩୪ତମ ଜୟନ୍ତୀ ରବିବାର ପାଳିତ ହୋଇଛି । ମହାରାଜା କୃଷ୍ଣଚନ୍ଦ୍ର ଗଜପତି ସ୍ମୃତି ପରିଷଦ ପକ୍ଷରୁ ଇଞ୍ଜିନିୟରିଂ ସ୍କୁଲ ଛକ ସ୍ଥିତ ରାଜସ୍ବ ବଙ୍ଗଳା ସମ୍ମିଳନୀ କକ୍ଷରେ ଆୟୋଜିତ ସମାରୋହରେ ଖଲ୍ଲିକୋଟ ବିଶ୍ଵବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ମନ୍ମଥ କୁମାର ପାଢ଼ୀ ମୁଖ୍ୟଅତିଥି ଭାବେ ଯୋଗଦେଇ ସ୍ଵତନ୍ତ୍ର ଓଡିଶା ପ୍ରଦେଶ ଗଠନରେ ପାରଳା ମହାରାଜା କୃଷ୍ଣଚନ୍ଦ୍ରଙ୍କ ଭୂମିକା ଉପରେ ଆଲୋକପାତ କରିଥିଲେ।

ମୁଖ୍ୟବକ୍ତା ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପ୍ରାକ୍ତନ ରାଜନୀତି ବିଜ୍ଞାନ ପ୍ରଫେସର ବିଷ୍ଣୁ ଚରଣ ଚୌଧୁରୀ ନିଜ ବକ୍ତବ୍ୟରେ ଓଡ଼ିଶାର ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, ସଂସ୍କୃତି, କ୍ରୀଡା, ସଂସ୍କୃତିକୁ ରୁଦ୍ଧିମନ୍ତ କରିବା ପାଇଁ ଗଜପତିଙ୍କ ଭୂମିକା ଉଲ୍ଲେଖନୀୟ ଥିଲା ବୋଲି କହିଥିଲେ। ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ କୋଷାଧ୍ୟକ୍ଷ ତଥା ‘ସମାଜ’ର ମୁଦ୍ରାକର ଓ ପ୍ରକାଶକ ରାଜେନ୍ଦ୍ର କୁମାର ଜେନା ସମ୍ମାନିତ ଅତିଥ୍ୟ ଭାବେ ଯୋଗଦେଇ ଭାରତ ନିର୍ମାଣର ସ୍ବପ୍ନ ଦେଖୁଥିବା ଲାଲା ଲାଜପତ ରାୟ ଏବଂ ସ୍ଵତନ୍ତ୍ର ଓଡିଶା ପ୍ରଦେଶ ଗଠନ ପାଇଁ ଅହରହ ସଂଗ୍ରାମ କରିଥିବା ପାରଳା ମହାରାଜ କୃଷ୍ଣଚନ୍ଦ୍ର ଗଜପତି ଦେବଙ୍କ ଭୂମିକା ଉପରେ ଆଲୋକପାତ କରିଥିଲେ।

ଗଜପତି ହିଁ ଓଡ଼ିଶାକୁ ପ୍ରଗତି ପଥରେ ଆଗେଇ ନେଇଥିଲେ ବୋଲି ଶ୍ରୀ ଜେନା କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ସାମ୍ବାଦିକ ତଥା ନବୀନର ସମ୍ପାଦକ ରବି ରଥ ତାଙ୍କ ଭାଷଣରେ ବ୍ରହ୍ମପୁର ରେଳୱେ ଷ୍ଟେଶନରେ ଏକ ପ୍ରତିମୂର୍ତ୍ତି, ପାରଳା-ନୈପଡ଼ା ରେଳପଥକୁ ଗଜପତିଙ୍କ ନାମରେ ନାମିତ କରିବା, ପାରଳା ମହାରାଜା କଲେଜକୁ ବିଶ୍ଵବିଦ୍ୟାଳୟର ମାନ୍ୟତା ପ୍ରଦାନ କରିବା, ପାରଳା ସିଂହ କାର୍ଯ୍ୟକୁ ପ୍ରୋତ୍ସାହନ ଦେବା, ଶିକ୍ଷା, ସ୍ଵାସ୍ଥ୍ୟ, ଗମନାଗମନ ଓ କ୍ରୀଡ଼ା କ୍ଷେତ୍ରରେ ତାଙ୍କର ଯେଉଁ ଅପୂରଣୀୟ କାର୍ଯ୍ୟ ରହିଛି ତାହାକୁ ପୂରଣ କରିବା, ପାରଳାଖେମୁଣ୍ଡି ସହରକୁ ଏକ ଉନ୍ନତ ସହର ଭାବେ ଗଢ଼ି ତୋଳିଲେ ଗଜପତିଙ୍କ ପ୍ରକୃତ ସମ୍ମାନ ହେବ ବୋଲି କହିଥିଲେ।

ଦୈନିକଆଶା ସମ୍ପାଦକ ପ୍ରମୋଦ ପଣ୍ଡା, ପରିଷଦ ସାଧାରଣ ସମ୍ପାଦକ କିଶୋର ଚନ୍ଦ୍ର ପାତ୍ର ଅତିଥ୍ୟ ଭାବେ ମଂଚାସୀନ ଥିଲେ। ପରିଷଦ ସଭାପତି ଡ଼. ବାୟାମନୁ ଚର୍ଚି ସଭାରେ ସଭାପତିତ୍ଵ କରିଥିଲେ। ପ୍ରାରମ୍ଭରେ ମହାରାଜ କୃଷ୍ଣଚନ୍ଦ୍ର ଗଜପତିଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । ସମାରୋହରେ ବୃନ୍ଦାବନ ଖଟେଇ, ସୁଧୀର ରାଉତ, ଡ଼. ଡ଼ମ୍ୱରୁଧର ସାହୁ, ସଂଜୀବ ପଟ୍ଟନାୟକ, ଆଦିତ୍ୟ ନାରାୟଣ ରଥଙ୍କ ସମେତ ବ୍ରହ୍ମପୁର ସହର ସମେତ ଗଞ୍ଜାମ ଓ ଗଜପତି ଜିଲାର ବିଭିନ୍ନ ଅନୁଷ୍ଠାନ ର କର୍ମକର୍ତ୍ତା ଯୋଗ ଦେଇଥିଲେ ଅବନୀ ଗୟା ଧନ୍ୟବାଦ ଦେଇଥିଲେ।

Exit mobile version