ନୟାଗଡ଼ରେ ଜିଲ୍ଲା ସ୍ତରୀୟ କର୍ମଶାଳା “ଆମେ-ଜାଣିବା-ଆମ ବଜେଟ” ଅନୁଷ୍ଠିତ

ନୟାଗଡ଼ (ଓଡ଼ିଶା ତାଜା ନ୍ୟୂଜ୍) (ନିପ୍ର ) :- ନୟାଗଡ଼ ଜିଲ୍ଲା ପରିଷଦର “ସୃଜନ” ସଭାଗୃହ ଠାରେ ଆଜି ଏକ ଜିଲ୍ଲା ସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି କର୍ମଶାଳାର ଶିର୍ଷକ ରହିଥିଲା “ଆମେ ଜାଣିବା ଆମ ବଜେଟ”। ଲୋକମାନଙ୍କୁ ସରକାରୀ ବଜେଟ ଏବଂ ଏହାର ପ୍ରକ୍ରିୟା ସମ୍ପର୍କରେ ସଚେତନ କରିବା ଉଦ୍ଦେଶ୍ୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ଖଣ୍ଡପଡ଼ା ବିଧାୟକ ଶ୍ରୀ ଦୁଷ୍ମନ୍ତ ସ୍ବାଇଁ, ଜିଲ୍ଲାପାଳ ଶ୍ରୀମତୀ ମଧୁମିତା ରଥ, ଜିଲ୍ଲା ପରିଷଦ ସଭାପତି ଇଂ ଦେବାଶିଷ ପଟ୍ଟନାୟକ, ମୂଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଲଗ୍ନଜିତ ରାଉତ, ଉପଜିଲ୍ଲାପାଳ ଶ୍ରୀ କର୍ଣ୍ଣଦେବ ସମାଦାର ପ୍ରମୁଖ ମଞ୍ଚାସୀନ ଥିଲେ। ଏହି ସଭାରେ ନୟାଗଡ ସ୍ବୟଂ ଶାସିତ ମହାବିଦ୍ୟାଳୟର ଅର୍ଥନୀତି ବିଭାଗର ଅଧ୍ୟାପକ ଆଶୁତୋଷ ମିଶ୍ର ବଜେଟ୍ ଉପରେ ଆଲୋଚନା କରିଥିଲେ ।

ଅତିଥି ମାନେ ବଜେଟର ବିଭିନ୍ନ ଦିଗ ଉପରେ ଆଲୋକପାତ କରିବା ସହ ସାଧାରଣ ଜନତାଙ୍କ ଅଂଶଗ୍ରହଣ ଏବଂ ବଜେଟ ପ୍ରସ୍ତୁତିରେ ସେମାନଙ୍କର ମତାମତର ଗୁରୁତ୍ୱ ସମ୍ପର୍କରେ ଆଲୋଚନା କରିଥିଲେ l ସରକାରଙ୍କ ଆୟ ଏବଂ ବ୍ୟୟର ହିସାବ କିଭଳି ସାଧାରଣ ଲୋକଙ୍କ ବିକାଶ ପାଇଁ ଉଦ୍ଦିଷ୍ଟ, ସେ ସମ୍ପର୍କରେ ତୃଣମୂଳ ସ୍ତରରେ ସୂଚନା ପହଞ୍ଚାଇବା ଏହି କର୍ମଶାଳାର ଥିଲା ମୁଖ୍ୟ ଉଦ୍ଦେଶ୍ୟ।ବଜେଟରେ ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ଭିତ୍ତିଭୂମିର ବିକାଶ ପାଇଁ ରହିଥିବା ବିଭିନ୍ନ ଯୋଜନା ବିଷୟରେ ଉପସ୍ଥିତ ସରକାରୀ କର୍ମଚାରୀ, ସାମାଜିକ କର୍ମୀ ଏବଂ ସାମ୍ବାଦିକ ମାନଙ୍କୁ ଅବଗତ କରାଯାଇଥିଲା ।

ଜିଲ୍ଲାପରିଷଦ ସଭାପତି ଶ୍ରୀ ପଟ୍ଟନାୟକ ବିଗତ ଆର୍ଥିକ ବର୍ଷର ସରକାରୀ ଅନୁଦାନ ଅର୍ଥକୁ ବିଭିନ୍ନ ବିଭାଗ ବ୍ୟବହାର କରିନପାରି ଥିବାରୁ ଉଦବେଗ ପ୍ରକାଶ କରିଥିଲେ ଏବଂ ଆଗାମୀ ଦିନରେ ଆଉ ଏକ ସ୍ବତନ୍ତ୍ର ବୈଠକରେ ଏହି ଅର୍ଥକୁ ବ୍ୟବହାର କରିବାକୁ ଆଲୋଚନା କରାଯିବ ବୋଲି କହିଥିଲେ । ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ ଏହି ବଜେଟ୍ ଆଲୋଚନାରେ ଭାଗନେଇ ନୟାଗଡ଼ ପରି ଏକ କୃଷି ପ୍ରଧାନ ଅଞ୍ଚଳରେ କୃଷକ ଏବଂ କୃଷି ର ସାମୁହିକ ବିକାଶ ପାଇଁ ଶୀତଳ ଭଣ୍ଡାର ନିର୍ମାଣ ପାଇଁ ପ୍ରସ୍ତାବ ରଖିଥିଲେ ଏବଂ ବଜେଟ୍ ଆଲୋଚନାକୁ ସମ୍ପୂର୍ଣ୍ଣ ଭାବେ ଓଡ଼ିଆ ଭାଷାରେ କରିବା ପାଇଁ ଅନୁରୋଧ କରିଥିଲେ ।

Exit mobile version