ପୁରୀ (ଓଡ଼ିଶା ତାଜା ନ୍ୟୂଜ୍) (ନିପ୍ର ) :- ବୈଶାଖ ମାସ ଶୁକ୍ଳପକ୍ଷ ତୃତୀୟା ତିଥି ସୋମବାର ଦିନ ମହାପ୍ରଭୁଙ୍କ ପବିତ୍ର ଚନ୍ଦନଯାତ୍ରା ଆରମ୍ଭ ହୋଇଛି । ଏହା ୨୧ ଦିନ ଧରି ବାହାର ଚନ୍ଦନଯାତ୍ରା ଭାବେ ପ୍ରତିଦିନ ଦିନ ଓ ରାତି ଚାପରେ ମହାପ୍ରଭୁ ନରେନ୍ଦ୍ର ପୁଷ୍କରିଣୀରେ ନୌକା ବିହାର କରିବେ । ଶ୍ରୀମନ୍ଦିର ଦକ୍ଷିଣଘରୁ ବେହେରଣ ଦ୍ବାର ଦେଇ ଅଷ୍ଟଧାତୁରେ ନିର୍ମିତ ଚଳନ୍ତି ପ୍ରତିମା ମଦନମୋହନ, ରାମକୃଷ୍ଣ, ଭୂଦେବୀ ଓ ଶ୍ରୀଦେବୀ ଶ୍ରୀମନ୍ଦିରରୁ ବିମାନଯୋଗେ ନରେନ୍ଦ୍ର ପୁଷ୍କରିଣୀ ଚକଡାକୁ ନିଆଯାଇଥିଲା ।
ଚନ୍ଦନକୁଣ୍ଡ ଓ ଚନ୍ଦନ ଘୋରା ବାସ୍ନାରେ ପୁଷ୍କରିଣୀ ଚାରିପଟ ମହକୁଥିଲା । ଶ୍ରୀମନ୍ଦିରରୁ ମଣି ବିମାନ ପଛେ ପଛେ ପାଲଙ୍କିରେ ରାମକୃଷ୍ଣ ଓ ପଛେ ପଛେ ପଞ୍ଚ ମହାଦେବ ଯଥା ମହାଦେବ ଶ୍ରୀଯମ୍ବେଶ୍ବର, ଶ୍ରୀମାର୍କଣ୍ଡେୟ, ଶ୍ରୀଲୋକନାଥ, ଶ୍ରୀକପାଳମୋଚନ ଓ ଶ୍ରୀନୀଳକଣ୍ଠେଶ୍ବର ବିଜେ ପ୍ରତିମା ସ୍ବବିମାନରେ ଏହି ଯାତ୍ରାରେ ସୁରକ୍ଷା ପାଇଁ ସାମିଲ ହୋଇ ଏକ ବିରାଟ ବର୍ଣ୍ଣାଢ୍ଯ ଶୋଭାଯାତ୍ରରେ ଛତି, ଘଣ୍ଟ, ଘଣ୍ଟୁଆ, ଓଡିଶୀନୃତ୍ଯ, ସଂକୀର୍ତ୍ତନ ମଣ୍ଡଳୀ, ମେଢ ମୃଦଙ୍ଗ ଓ ବାଦ୍ୟର ତାଳେ ତାଳେ ମଣିବିମାନରେ ମଣିମା ଝୁଲି ଝୁଲି ଯିବା ଦୃଶ୍ଯ ଭକ୍ତ ମାନଙ୍କୁ ବିମୋହିତ କରିଥିଲା ।
ଦଶଟି ଚଳନ୍ତି ପ୍ରତିମା ରୂପା ପିଙ୍ଗଣରେ ଥିବା ସୁବାସିତ ଜଳରେ ପଦଧୌତ କରାଯାଇଥିଲା । ଚାପ ନୌକାରେ ରୂପା କାରୁକାର୍ଯ୍ୟପୂର୍ଣ୍ଣ ଝଲସୁଥିଲା । ନନ୍ଦା ଚାପ ନୌକାରେ ମଦନମୋହନ ଶ୍ରୀଦେବୀ ଭୂଦେବୀ, ବଳରାମ ଓ କୃଷ୍ଣ ଉପବେସନ କରିଥିଲେ । ଭଦ୍ରା ଚାପ ନୌକାରେ ପଞ୍ଚ ମହାଦେବ ଉପବେସନ କରିଥିଲେ । ବୈଜୟନ୍ତ ଚାପ ନୌକାରେ ମହାପ୍ରଭୁଙ୍କ ଘଣ୍ଟୁଆ, କାହାଳୀଆ ଓ ତେଲିଙ୍ଗି ବାଜା ବାହକ ବାଜା ବଜାଇ ଆଗେ ଆଗେ ଯିବା ଦୃଶ୍ଯ ଭକ୍ତଙ୍କୁ ଆନନ୍ଦିତ କରିଥିଲା । ପରେ ପରେ ନନ୍ଦା ଓ ଭଦ୍ରା ନୌବିହାର କରିଥିଲେ ।
