କୋରାଇରେ ମାଟି ମାଫିଆଙ୍କ ଦୌରାତ୍ମ ତହସିଲଦାରଙ୍କ ଉପରେ ଟ୍ରାକ୍ଟର ଚଢ଼ାଇ ହତ୍ୟା ଉଦ୍ୟମ ୫ଟ୍ରାକ୍ଟର ଓ ୨ଟି ଜେସିବି ଜବତ

କୋରାଇ (ଓଡ଼ିଶା ତାଜା ନ୍ୟୂଜ୍) (ନିପ୍ର ) :- କୋରାଇ ଥାନା ଅନ୍ତର୍ଗତ ଫାଜଲପୁର ମୌକାର ଏକ ପୋଖରୀରୁ ବେଆଇନ ଭାବେ ମାଟି ଉତ୍ତୋଳନ ହେଉଥିବା ଖବର ପାଇ ଶନିବାର ପୂର୍ବାହ୍ନରେ ବ୍ୟାସନଗର ତହସିଲଦାର ପ୍ରଶାନ୍ତ କୁମାର ପଣ୍ଡା, ତୁଳତି ଆରଆଇଙ୍କ ସମେତ ତାଙ୍କ ଟିମ ଚଢ଼ାଉ କରିଥିଲେ । ଏହି ସମୟରେ ମୀନାବଜାର ନିକଟରେ ସେଠାରୁ ମାଟି ନେଇ ଆସୁଥ‌ିବା ଏକ ଟ୍ରାକ୍ଟର ଦେଖଖି ତହସିଲଦାର ଶ୍ରୀ ପଣ୍ଡା ତାକୁ ଅଟଳାଇବାକୁ ଉଦ୍ୟମ କଲାବେଳେ ଚାଳକ ତାଙ୍କୁ ଧକ୍କା ଦେଇଥିଲା । ଯାହା ଫଳରେ ସେ ତଳେ ପଡି ଯାଇଥିଲେ । ଏହି ସମୟରେ ଟ୍ରାକ୍ଟର ଚକା ତାଙ୍କ ଗୋଡ଼ରେ ଚଢି ଯାଇଥିଲା ।

ଗୋଡ଼ରେ ବିରାଟ ଏବଂ ଗଭୀର କ୍ଷତ ସୃଷ୍ଟି ହେବା କାରଣରୁ ସେ ଗୁରୁତର ହୋଇ ପଡ଼ିଥିଲେ । ସ୍ଥାନୀୟଲୋକେ ଗୁରୁତର ଆହତ ଅବସ୍ଥାରେ ତାଙ୍କୁ ନିକଟସ୍ଥ କୋରାଇ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ । ଖବରପାଇ କୋରାଇ ଥାନା ଅଧିକାରୀ ରାକେଶ କୁମାର ତ୍ରିପାଠୀ, କଳିଙ୍ଗନଗର ଅତିରିକ୍ତ ଜିଲାପାଳ ସପନ କୁମାର ନନ୍ଦ ଓ ଅତିରିକ୍ତ ତହସିଲଦାର ପ୍ରଶାନ୍ତ କୁମାର ପୁହାଣ ପହଂଚି ତହସିଲଦାର ଶ୍ରୀ ପଣ୍ଡାଙ୍କୁ ପ୍ରାଥମିକ ଚିକିତ୍ସା କରାଇଥିଲେ । ଅବସ୍ଥା ଗୁରୁତରେ ହେବାରୁ ଡାକ୍ତରଙ୍କ ପରାମର୍ଶକ୍ରମେ ତାଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଛି ।

ଅନ୍ୟପକ୍ଷରେ ଟ୍ରାକ୍ଟର ଚାଳକ ଘଟଣା ସ୍ଥଳରୁ ଫେରାର ହୋଇ ଯାଇଥିଲାହେଁ ବେଆଇନ ମାଟି ଖୋଳାରେ ଦୁଇଟି ଜେସିବି ଓ ୫ଟି ଟ୍ରାକ୍ଟର ନିୟୋଜିତ ଥିବା ଜଣାପଡିଥିଲା । ଘଟଣାକୁ ଥାନା ଅଧିକାରୀ ଶ୍ରୀ ତ୍ରିପାଠୀ ଓ କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନନ୍ଦ ଉଭୟେ ତଦନ୍ତ ପୂର୍ବକ ଅତ୍ୟନ୍ତ ସମ୍ବେଦନଶୀଳ ଘଟଣା ବୋଲି କହିଛନ୍ତି । ମାଫିଆଙ୍କ ଦ୍ଵାରା ତହସିଲଦାରଙ୍କ ଉପରେ ଟ୍ରାକ୍ଟର ବଢ଼ାଇ ହତ୍ୟା ଉଦ୍ୟମ କରାଯାଇଛି । ସମଗ୍ର ଜିଲ୍ଲାରେ ଯେଉଁଠି ବେଆଇନ ଭାବେ ଲଘୁ ଖଣିଜ ସମ୍ପଦ ଲୁଟ ହେଉଛି, ସଂପୃକ୍ତ ମାଫିଆଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଇବା ସହ ଏହାକୁ ରୋକିବା ଦିଗରେ ସବୁ ପ୍ରକାର ଉଦ୍ୟମ କରାଯିବ ।

ଏହି ଘଟଣାରେ ସମ୍ପୃକ୍ତ ଦୋଷୀଙ୍କ ବିରୋଧରେ ମଧ୍ୟ ଆଇନ ଅନୁଯାୟୀ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ଓ ତହସିଲଦାରଙ୍କ ଅବସ୍ଥା ଗୁରୁତର ଥିଲେ ମଧ୍ୟ ସେ ବିପଦା ମୁକ୍ତ ଅଛନ୍ତି ବୋଲି ଅତିରିକ୍ତ ଜିଲାପାଳ ଶ୍ରୀ ନନ୍ଦ ଗଣମାଧ୍ୟମକୁ କହିଛନ୍ତି । ଅନ୍ୟପକ୍ଷରେ ଜଣେ ପ୍ରଶାସନିକ ଅଧିକାରୀଙ୍କ ଉପରେ ଗାଡି ଚଢାଇ ମାରି ଦେବା ଉଦ୍ୟମ କୋରାରରେ ଏହା ପ୍ରଥମ ବୋଲି କୁହାଯାଇପାରେ । କୋଗାଇରେ ଦୀର୍ଘ ଦିନ ହେଲା ଲଘୁ ଖଣିଜ ସମ୍ପଦ ବାଲି, ମାଟି ଓ ମୋରମା ବେଆଇନି ଭାବେ ପରିବହନ ହେବାରେ ଲାଗିଛି ।

ଏହାର ପରିବହନ ଗାଡି ଦୁର୍ଘଟଣାରେ ଦୈନଦିନ ଅଂଚଳବାସୀଙ୍କ ଅନେକ ଧନଜୀବନ ନଷ୍ଟହେଉଛି । ସାଧାରଣ ଲୋକେ ମଧ୍ୟ ଏହା ବିରୋଧରେ ବାରମ୍ବାର ସ୍ଵର ଉଠାଇଛନ୍ତି । କିନ୍ତୁ ପୁଲିସ ଓ ପ୍ରଶାସନର ସଠିକ ପଦକ୍ଷପ ଅଭାବରୁ ମାଫିଆଙ୍କ ଲୁଟତରାଜ ଜାରି ରହିଥିଲା । ଏବେ ଜଣେ ପ୍ରଶାସନିକ ଅଧିକାରୀ ମାଫିଆଙ୍କ ଦ୍ଵାରା ଶିକାର ହୋଇଛନ୍ତି । ଯାହାକି ପ୍ରଶାସନର ନିଦ ହଜିଯାଇଥିବା କୁହାଯାଉଛି ।

ଏହି ଘଟଣାକୁ ସାଧାରଣରେ ନିନ୍ଦା କରାଯାଇଛି । କୋରାଇ ପୁଲିସ ଘଟଣାକୁ ଗୁରୂତରେ ସହ ନେଇ ଏହାର ତଦନ୍ତ ଜାରି ରଖୁଛି । ସଂନ୍ଧ୍ୟା ସୁଦ୍ଧା ଏଥ‌ିରେ ବ୍ୟବହୃତ ୫ଟି ଟ୍ରାକ୍ଟର ଓ ୨ଟି ଜେସିବି ଜବତ କରାଯାଇଥିଲା ବେଳେ ଖୁବଶିଘ୍ର ଅଭିଯୁକ୍ତଙ୍କୁ ଧରାଯିବ ବୋଲି ଥାନା ଅଧିକାରୀ ଶ୍ରୀ ତ୍ରିପାଠୀ ସୂଚନା ଦେଇଥାଏ । ଆହତ ତହସିଲଦାର ଚିକିତ୍ସା ହେଉଥିବା କଟକର ଅଶ୍ୱିନୀ ହସ୍ପିଟାଲରେ କୋରାଇ ବିଧାୟକ ଆକାଶ ଦାସନାୟକ ପହଂଚି ସ୍ଵାସ୍ଥ୍ୟ ଅବସ୍ଥା ପଚାରି ବୁଝିଛନ୍ତି l

Exit mobile version