ଦଣ୍ଡଯାତ୍ରା ସମ୍ପନ୍ନ : ନିଆଁ ରେ ଚାଲିଲେ ଭଗତା

ରଣପୁର (ଓଡ଼ିଶା ତାଜା ନ୍ୟୂଜ୍) (ନିପ୍ର ) :- ଦଣ୍ଡଯାତ୍ରାର ଶେଷ ପର୍ବ ଆଜି ପାଳିତ ହୋଇଛି । ଦୀର୍ଘ ୧୭ ଦିନ ଧରି ଠାକୁରଙ୍କ ପାଣିତୋଳା ପରେ ଭକ୍ତମାନଙ୍କୁ ଆଶୀର୍ବାଦ ଦେଇଆସୁଥିଲେ । ପ୍ରତିଦିନ ଅପରାହ୍ନରେ ଠାକୁରଙ୍କ ସ୍ନାନ ପରେ ମାନସିକ ଧାରୀ ଭକ୍ତମାନଙ୍କ ଦୁଆରକୁ ଯାଇ ଭୋଗ ଗ୍ରହଣ କରନ୍ତି ।

ସନ୍ଧ୍ୟାବେଳେ କାମନା ମନ୍ଦିରରେ ପଣା ସାରିବା ପରେ ରାତିରେ ସମସ୍ତ ଭଗତା ଉଜାଗର ରହି ପୁଣି ମାନସିକ ଧାରୀ ଭକ୍ତମାନଙ୍କ ଦୁଆରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରନ୍ତି । ଏହିଭଳି ଭାବରେ ରଣପୁର ଅଞ୍ଚଳରେ ପ୍ରାୟ ୧୭ରୁ ଅଧିକ କୋଠୀରେ ଏହି ନୀତି ପାଳନ ହୋଇଆସୁଛି ।

ମହା ବିଷୁବ ସଂକ୍ରାନ୍ତି ଶେଷ ପର୍ବରେ ଭଗତାମାନେ ନିଆଁରେ ଚାଲିଥିଲେ । ପ୍ରଥମେ ଆଜି ସକାଳେ ରଣପୁରର ଆରାଧ୍ୟ ଦେବତା ସ୍ୱପ୍ନେଶ୍ୱରଙ୍କ ଭଗତାମାନେ ନିଆଁରେ ଚାଲିଥିଲେ । ଚାଲିବା ପୂର୍ବରୁ ଭଗତାମାନେ ମନ୍ଦିର ନିକଟସ୍ଥ ପୋଖରୀରେ ସ୍ନାନ କରି ଏକ ଶୋଭାଯାତ୍ରାରେ ଆସିଥିଲେ ।

ପରେ ସେମାନେ ନିଆଁରେ ଚାଲିଥିଲେ । ସେହିପରି ରଣପୁରର ଚଣ୍ଡେଶ୍ୱର ଦେବଙ୍କ ଝାମୁଯାତ୍ରା ବଡଦାଣ୍ଡରେ ମହା ସାରୋହରେ ପାଳିତ ହୋଇଛି । ଏହାସହିତ ରଣପୁର ଅଞ୍ଚଳର ପ୍ରତ୍ୟେକ କୋଠୀରେ ମଧ୍ୟ ଝାମୁଯାତ୍ରା ପାଳିତ ହୋଇଛି ।

ବିଶେଷକରି କଙ୍କିଆ, ଲେମ୍ବୁଡି, ବରମୁଳ, ଗୋପାଳପୁର, ମଝିଆଖଣ୍ଡ, ନନ୍ଦପୁର, ଯଶୋଦାପୁର, କଣ୍ଡାରାସିଂ, ବାସୁଦିଆ, ସୁରକାବାଡି, ସାରଙ୍ଗଧରପୁର, ଲତାର ଓ ବାଙ୍କପୁର ଆଦି ଅଞ୍ଚଳରେ ଝାମୁଯାତ୍ରା ପାଳିତ ହୋଇଥିଲା । ମଣିଆ ମା ଙ୍କୁ ଶୁଦ୍ଧ କରି ଦଣ୍ଡୁଆ ମାନେ ପବିତ୍ର ହୋଇଛନ୍ତି ।

Exit mobile version