କିଟ୍‍ ରେ ଫେମିନା ମିସ୍ ଇଣ୍ଡିଆ ୨୦୨୬ ପ୍ରତିଯୋଗୀ ପାଳନ କଲେ ଓଡ଼ିଆ ନବବର୍ଷ

ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୂଜ୍) (ନିପ୍ର ) :- କିଟ୍‍ ପରିସରରେ ଓଡ଼ିଆ ନୂଆବର୍ଷ ଆଜି ମହା ସମାରୋହରେ ପାଳିତ ହୋଇଯାଇଛି । ଏଥିରେ ଯୋଗଦେଇଥିଲେ ୬୧ତମ ଫେମିନା ମିସ୍ ଇଣ୍ଡିଆ ପ୍ରତିଯୋଗିତାର ୩୦ ଜଣ ରାଜ୍ୟ ପ୍ରତିଯୋଗୀ । ବିଭିନ୍ନ ରାଜ୍ୟରୁ ଆସିଥିବା ଏହି ପ୍ରତିଯୋଗୀମାନେ ଖୁବ୍‍ ଧୁମ୍‍ଧାମ୍‍ ରେ ଉତ୍ସାହର ସହ ଓଡ଼ିଆ ନୂଆବର୍ଷ ପାଳନ କରିଥିଲେ । ଓଡ଼ିଶାର ପ୍ରସିଦ୍ଧ ପାଟ ଶାଢ଼ି ପିନ୍ଧି ଓଡ଼ିଆ ଖାଦ୍ୟ ସାଙ୍ଗକୁ ଓଡ଼ିଶାର ପାରମ୍ପରିକ ମିଠା ଛେନାପୋଡ଼ର ମଜା ନେଇଥିଲେ ।

ସମ୍ପୂର୍ଣ୍ଣ ଓଡ଼ିଆ ଢ଼ାଞ୍ଚାରେ ପ୍ରସ୍ତୁତ ଓଡ଼ିଆ ଖାଦ୍ୟ ଖାଇ ସେମାନେ ଓଡ଼ିଶାର ସଂସ୍କୃତି ଓ ପରମ୍ପରାର ଉଚ୍ଚ ପ୍ରଶଂସା କରିଥିଲେ । ଓଡ଼ିଶାର ଉଚ୍ଚକୋଟୀର ସଂସ୍କୃତି ଓ ପରମ୍ପରାକୁ ସମଗ୍ର ଦେଶରେ ପହଞ୍ଚାଇବା ପାଇଁ ସେମାନେ ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ । ଏପ୍ରିଲ ୧୮ତାରିଖରେ କିଟ୍‍ରେ ଅନୁଷ୍ଠିତ ହେବାକୁ ଥିବା ୬୧ତମ ଫେମିନା ମିସ୍ ଇଣ୍ଡିଆ ଇଭେଣ୍ଟ ପାଇଁ ଯୋଗ୍ୟତା ଅର୍ଜନ କରିଥିବା ୩୦ ଜଣ ରାଜ୍ୟ ବିଜେତା କିଟ୍‍ କ୍ୟାମ୍ପସରେ ରହୁଛନ୍ତି । ସେମାନଙ୍କ ସହ ସାମିଲ ହୋଇଥିଲେ ଫେମିନା ମିସ୍‍ ଇଣ୍ଡିଆ ୨୦୨୪ ନିକିତା ପରୱାଲ୍‍ ।

ଓଡ଼ିଶା ପର୍ଯ୍ୟଟନ ବିଭାଗ ସହମତି କ୍ରମେ ଓଡ଼ିଶାର କଳା, ସଂସ୍କୃତି ଓ ଐତିହ୍ୟର ପ୍ରଚାର ପ୍ରସାର ପାଇଁ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ସମସ୍ତ ଆୟୋଜନ କରିଛନ୍ତି । ଫେମିନା ମିସ୍‍ ଇଣ୍ଡିଆ ପ୍ରତିଯୋଗିତା ଭାରତରେ ଆୟୋଜିତ ହେଉଥିବା ପ୍ରସିଦ୍ଧ ସୁନ୍ଦରୀ ପ୍ରତିଯୋଗିତା ମଧ୍ୟରୁ ଅନ୍ୟତମ । ଏହି ପ୍ରତିଯୋଗିତା ନିଜ ନିଜ ରାଜ୍ୟରେ କରାଇବା ପାଇଁ ବିଭିନ୍ନ ରାଜ୍ୟ ପ୍ରତିଦ୍ୱନ୍ଦ୍ୱିତା କରିଥାନ୍ତି ।

ଖୁସିର କଥା ପ୍ରଥମ ଥର ପାଇଁ ଏହି ପ୍ରତିଯୋଗିତା ଓଡ଼ିଶା ଆସିଛି । ଏହି ପ୍ରତିଯୋଗିତା ଜରିଆରେ ଓଡ଼ିଶାର କଳା, ସଂସ୍କୃତି ଓ ଐତିହ୍ୟର ପ୍ରଚାର ପ୍ରସାର ପାଇଁ ସୁବନ୍ଦୋବସ୍ତ କରାଯାଇଛି । ଏହା ବ୍ୟତୀତ ସେମାନେ ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ଐତିହ୍ୟକୁ ଅନୁଭବ କରିବା ପାଇଁ ପୁରୀ, କୋଣାର୍କ ସୂର୍ଯ୍ୟ ମନ୍ଦିର ଏବଂ ଚନ୍ଦ୍ରଭାଗା ବେଳାଭୂମି ମଧ୍ୟ ପରିଦର୍ଶନ କରିବେ। ପୁରୀ ବେଳାଭୂମି ଓ ଭୁବନେଶ୍ୱରର ମୁକ୍ତେଶ୍ୱର ମନ୍ଦିରରେ ସେମାନେ ହେରିଟେଜ୍‍ ୱାକ୍‍ କରିବେ ।

Exit mobile version