ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) (ନିପ୍ର ) :- ଗତ ତିନିଦିନ ଧରି କାଳବୈଶାଖୀର ପ୍ରଭାବରେ ପୁରୀରେ ଝଡ଼ବର୍ଷା ଲାଗି ରହିଥିବାବେଳେ ବଡଦାଣ୍ଡରେ ସୁରକ୍ଷା ବ୍ୟବସ୍ଥା ଏବେ ଗୁରୁତର ପ୍ରଶ୍ନର ସମ୍ମୁଖୀନ ହୋଇଛି। ବଡଦାଣ୍ଡ ମଝିରେ ରଖାଯାଇଥିବା ଲୁହା ବ୍ୟାରିକେଡ ଜୋର ବାତାସରେ ସଂପୂର୍ଣ୍ଣ ଭାବେ ଲେଉଟି ପଡୁଥିବାରୁ ସାଧାରଣ ଲୋକଙ୍କ ଜୀବନ ଉପରେ ବିପଦ ମଣ୍ଡରାଉଛି। ବିଶେଷକରି ପର୍ଯ୍ୟଟକ, ତୀର୍ଥଯାତ୍ରୀ ଓ ଦୈନିକ ଯାତାୟାତ କରୁଥିବା ବାଇକ ଆରୋହୀ ମାନେ ଏହି ଅସୁରକ୍ଷିତ ପରିସ୍ଥିତିରେ ବଡ ଚିନ୍ତାରେ ପଡୁଛନ୍ତି।
କାର ଓ ଅଟୋ ଚାଳକ ମାନେ ବ୍ୟାରିକେଡ ମଧ୍ୟରେ ଥିବା ଖାଲି ସ୍ଥାନ ଦେଇ ଯିବା ବେଳେ ହଠାତ୍ ବ୍ୟାରିକେଡ ପଡିଯାଇ ଅନେକ ଦୁର୍ଘଟଣା ଘଟୁଥିବା ଅଭିଯୋଗ ଆସୁଛି। ସ୍ଥାନୀୟ ଲୋକମାନଙ୍କ ମତାନୁସାରେ, ଏଭଳି ଅବ୍ୟବସ୍ଥିତ ଭାବେ ଲୁହା ବ୍ୟାରିକେଡ ରଖିବା ମାନେ ମଣିଷର ଜୀବନ ସହ ଖେଳ କରିବା ସମାନ। ଯଦି କୌଣସି ଗୁରୁତର ଦୁର୍ଘଟଣା ଘଟି ଜୀବହାନି ହୁଏ, ତେବେ ଏଥିପାଇଁ କିଏ ଦାୟୀ ହେବ ? ଏନେଇ ସହର ଭରି ଚର୍ଚ୍ଚା ଜୋର ଧରିଛି । ପ୍ରଶାସନଙ୍କ ଅବହେଳା ନା କୌଣସି ଯଥାଚିତ୍ ପରିକଳ୍ପନାର ଅଭାବ – ଏହି ପ୍ରଶ୍ନ ଏବେ ସାଧାରଣ ଲୋକଙ୍କ ମନରେ ଉଠୁଛି । ତୁରନ୍ତ ଏହାର ସ୍ଥାୟୀ ସମାଧାନ ନ କରାଗଲେ, ଏହି ବ୍ୟାରିକେଡ କେବେ ବଡ ଦୁର୍ଘଟଣାର କାରଣ ହେବ କହିବା କଠିନ।

