ପୁରୀ (ଓଡ଼ିଶା ତାଜା ନ୍ୟୂଜ୍) (ନିପ୍ର ) :- ପୁରୀ ଜିଲ୍ଲା ସ୍ତରୀୟ ପ୍ରବେଶ ଉତ୍ସବ ଓ ଖଡି ଛୁଆଁ ଦିବସ ଆଜି ପୂର୍ବାହ୍ନରେ ଜିଲ୍ଲା ସ୍କୁଲରେ ଅନୁଷ୍ଠିତ ହୋଇଥିଲା। ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ଏଥିରେ ଯୋଗଦେଇ “ସମସ୍ତ ପିଲା ପଢନ୍ତୁ ଓ ସମସ୍ତ ପିଲାଙ୍କ ସାମଗ୍ରିକ ବିକାଶ ଘଟିଲେ ସମାଜ ସୁନ୍ଦର ଓ ଶୃଙ୍ଖଳିତ ହେବ” ବୋଲି କହିଥିଲେ।ସରକାର ଏହା ପାଇଁ ପିଲା ଓ ଅଭିଭାବକଙ୍କୁ ଉତ୍ସାହିତ କରିବା ଲକ୍ଷ୍ୟରେ ପ୍ରବେଶ ଉତ୍ସବ ସହ ଖଡି ଛୁଆଁ କାର୍ଯ୍ୟକ୍ରମ ପାଳନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲାରେ ଚଳିତ ବର୍ଷ ପ୍ରାୟ ୧୯ ହଜାରରୁ ଅଧିକ ପିଲାଙ୍କ ନାମଲେଖାର ଲକ୍ଷ୍ୟ ରଖାଯାଇଛି ବୋଲି ସୂଚନା ଦେଇ, ସେ ଶିକ୍ଷା ସଚେତନତା ରଥର ଶୁଭାରମ୍ଭ କରିଥିଲେ ।
ଏହି ରଥ ଜିଲ୍ଲାର ବିଭିନ୍ନ ଅଞ୍ଚଳ ପରିଭ୍ରମଣ କରି ଶିକ୍ଷା ପ୍ରତି ପିଲାମାନଙ୍କୁ ଆକୃଷ୍ଟ କରିବା ସହ ଡ୍ରପ୍ଆଉଟ୍ ସଂଖ୍ୟାକୁ ଶୂନ କରିବା ଲକ୍ଷ୍ୟରେ ସଚେତନତା ସୃଷ୍ଟି କରିବ ବୋଲି ଜିଲ୍ଲାପାଳ ଶ୍ରୀ ପରିଡା କହିଥିଲେ। ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ବେହେରା କହିଥିଲେ ଯେ ପ୍ରବେଶ ଉତ୍ସବ ଓ ଖଡି ଛୁଆଁ ବ୍ୟବସ୍ଥା ଏକ ସୁନ୍ଦର ପଦକ୍ଷେପ । ଏହା ଦ୍ୱାରା ପିଲା ଓ ଅଭିଭାବକ ମାନେ ସୁଖଦ ଅନୁଭୂତି ପାଇବା ସହ ପାଠ ପ୍ରତି ଆଗ୍ରହୀ ହେବେ । ଜିଲ୍ଲା ଶିକ୍ଷା ଅଧିକାରୀ ଦୀପକ କୁମାର ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ଡିଆଇଇଟିର ଅଧ୍ୟକ୍ଷ ସନ୍ତୋଷ କୁମାର ପରିଡା ,
ସୂଚନା ଓ ଲୋକସମ୍ପର୍କ ଉପନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଦ୍ୱିତୀକାନ୍ତ ପ୍ରଧାନ, ଗୋବିନ୍ଦ ହେମ୍ରମ, ଆଲୁମିନି ସମ୍ପାଦକ ରାଜ କିଶୋର ପାତ୍ର ଓ ଜିଲ୍ଲା ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ମଞ୍ଜୁଲତା ସାମନ୍ତରାୟ ପ୍ରମୁଖ ଯୋଗଦେଇଥିଲେ । ପ୍ରାରମ୍ଭରେ “ବନ୍ଦେ ମାତରମ୍” ସଙ୍ଗୀତ ପରିବେଷଣ ସହ ନୂତନ ଛାତ୍ରଛାତ୍ରୀମାନଙ୍କ ପାଇଁ ପୂଜାର୍ଚ୍ଚନା କରାଯାଇଥିଲା ଏବଂ ପାଠ୍ୟ ଉପକରଣ ବଣ୍ଟନ କରାଯାଇଥିଲା । ବିଭିନ୍ନ ଶିକ୍ଷା ପ୍ରଣାଳୀ ପ୍ରଦର୍ଶନ ଓ ପିଲାମାନଙ୍କୁ ବିଦ୍ୟାଳୟ ପ୍ରତି ଆକୃଷ୍ଟ କରିବା ଲକ୍ଷ୍ୟରେ ଏକ ପ୍ରଦର୍ଶନୀ ଆୟୋଜନ କରାଯାଇଥିଲା । ଏହି ଉତ୍ସବରେ ଶିକ୍ଷକ, ଶିକ୍ଷୟିତ୍ରୀ, ଅଭିଭାବକ ଓ ଛାତ୍ରଛାତ୍ରୀମାନେ ବହୁ ସଂଖ୍ୟାରେ ଉପସ୍ଥିତ ଥିଲେ ।
