ଅଙ୍ଗନୱାଡି କର୍ମୀ ସଂଘର ଜିଲ୍ଲାପାଳ ଅଫିସ ଘେରାଉ

ପୁରୀ (ଓଡ଼ିଶା ତାଜା ନ୍ୟୂଜ୍) (ନିପ୍ର ) :- ସର୍ବଭାରତୀୟ ଶ୍ରମିକ ସଂଗଠନ ଏଆଇଟିୟୁସି (AITUC) ସହଯୋଗୀ ନିଖିଳ ଓଡ଼ିଶା ଅଙ୍ଗନୱାଡି କର୍ମୀ ସଂଘର ପକ୍ଷରୁ ୧୨ ଦଫା ଦାବି ନେଇ ଏପ୍ରିଲ ୨ ତାରିଖରେ ପୁରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା । ଶ୍ରମିକ ବିରୋଧୀ କେନ୍ଦ୍ର ସରକାରଙ୍କ ୪ଟି ଶ୍ରମ କୋଡ୍‌କୁ ବାତିଲ କରିବା, ଅଙ୍ଗନୱାଡି କର୍ମୀ ଓ ସହାୟିକାଙ୍କୁ ମାସିକ ସର୍ବନିମ୍ନ ୨୬ ହଜାର ଟଙ୍କା ଭତା ପ୍ରଦାନ, ଅବସରକାଳୀନ ସହାୟତା ତୁରନ୍ତ ଦେବା, ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ବୈଠକ ପାଇଁ ଭତା ପ୍ରଦାନ, ସତ୍ୟବାଦୀ ବ୍ଲକର ବାଘସାହି ଓ ଗୋପ ବ୍ଲକର ତାଳକପାର କର୍ମୀମାନଙ୍କ ଉପରେ ଆକ୍ରୋଶମୂଳକ କାର୍ଯ୍ୟାନୁଷ୍ଠାନ ବାତିଲ କରିବା ଇତ୍ୟାଦି ୧୨ ଦଫା ଦାବି ରହିଥିଲା ।ଏହି ଦାବିଗୁଡ଼ିକ ନେଇ ଅଙ୍ଗନୱାଡି କର୍ମୀ ସଂଘର ଶତାଧିକ କର୍ମୀ ଓ ସହାୟିକାମାନେ ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟ ଛକରୁ ଏକ ବିଶାଳ ପଟୁଆରରେ ବାହାରି ପୁରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ଓ ପ୍ରତିବାଦ ସଭା କରିଥିଲେ । ପ୍ରତିବାଦ ସଭାରେ କର୍ମୀ ସଂଘର ରାଜ୍ୟ ସାଧାରଣ ସମ୍ପାଦିକା ହରପ୍ରିୟା ସ୍ୱାଇଁ, ଜିଲ୍ଲା ନେତୃତ୍ୱ ଲକ୍ଷ୍ମୀପ୍ରିୟା ମହାପାତ୍ର, ସ୍ୱର୍ଣ୍ଣଲତା ପ୍ରଧାନ, ମାନସୀ ପ୍ରଧାନ, ଅହଲ୍ୟା କାଣ୍ଡି, କବିତା ବିଶ୍ୱାଳ, ସସ୍ମିତା ଶତପଥୀ, ରୋଜାଲିନ ମିଶ୍ର, ଜୟନ୍ତୀ ମଲ୍ଲିକ ଓ ଏଆଇଟିୟୁସିର ଶ୍ରମିକ ନେତା ବ୍ରଜବନ୍ଧୁ ପ୍ରଧାନ, ମନୋରଞ୍ଜନ ପରିଡା, ହରିହର ସେନାପତି, ବନମାଳୀ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ଏବଂ କର୍ମୀ ସଂଘର ଦାବିଗୁଡ଼ିକୁ ତୁରନ୍ତ ପୂରଣ କରିବାକୁ ଦାବି କରିଥିଲେ। ପରେ, ୧୨ ଦଫା ସମ୍ବଳିତ ଦାବିପତ୍ର ପୁରୀ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଥିଲା ।

Exit mobile version