ଖୋର୍ଦ୍ଧା ରୋଡ୍ ମଣ୍ଡଳର ୨୦୨୫–୨୬ ଆର୍ଥିକ ବର୍ଷରେ ଉଲ୍ଲେଖନୀୟ ସଫଳତା

ଖୋର୍ଦ୍ଧା ରୋଡ୍ (ଓଡ଼ିଶା ତାଜା ନ୍ୟୂଜ୍) (ନିପ୍ର) :- ଖୋର୍ଦ୍ଧା ରୋଡ୍ ମଣ୍ଡଳ ଅସାଧାରଣ କାର୍ଯ୍ୟଦକ୍ଷତା ପ୍ରଦର୍ଶନ କରି ସର୍ବକାଳୀନ ସର୍ବାଧିକ ୩୨୨.୭୩ ନିୟୁତ ଟନ୍‌ ସମୁଦାୟ ଟ୍ରାଫିକ୍ ଏବଂ ୧୭୬.୧୧ ନିୟୁତ ଟନ୍‌ ପଣ୍ୟ ପରିବହନ କରିଛି, ଯାହା ପୂର୍ବବର୍ଷ ତୁଳନାରେ ୭.୫ ଶତକଡା ବୃଦ୍ଧିକୁ ସୂଚିତ କରେ। ମଣ୍ଡଳର ମୂଳ ଆୟ ୧୫,୯୪୧ କୋଟି ଟଙ୍କା ହୋଇଥିବା ବେଳେ, ଯାତ୍ରୀ ପରିବହନରେ ୫୨.୮୨ ମିଲିୟନ୍ ଯାତ୍ରୀ ଯାତାୟାତ ଏବଂ ୧,୩୭୧.୯୭ କୋଟି ଟଙ୍କା ଆୟ କରି ରେକର୍ଡ କରିଛି ।

ଏହି ଆର୍ଥିକ ବର୍ଷ ଅବଧିରେ ୬୦ କି.ମି. ନୂତନ ରେଳପଥ/ଟ୍ରାକ୍ କମିଶନିଂ କରାଯାଇଥିବାବେଳେ, ୧୫୦ କି.ମି. ରୁଟରେ ଟ୍ରେନ୍ ଗତି ୧୧୦ କି.ମି. ପ୍ରତି ଘଣ୍ଟା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଏହାସହ ୨ଟି ରୋଡ୍ ଓଭର ବ୍ରିଜ୍ (ROB) କମିଶନିଂ ହୋଇଥିବା ସହ ୨୧୯ କି.ମି. ସୁରକ୍ଷା ବାଡ଼ (Safety Fencing) କାମ ସମାପ୍ତ ହୋଇଛି ।

୧୮ଟି ଲେଭେଲ୍ କ୍ରସିଂ ଗେଟ୍‌ରେ ଆଧୁନିକ ଆଧୁନିକ ଇଣ୍ଟରଲକିଂ ଓ ସିଗ୍ନାଲିଂ ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଇଛି ଯାହାଫଳରେ ପରିଚାଳନାଗତ ନିର୍ଭରଯୋଗ୍ୟତା ବୃଦ୍ଧି ପାଇଛି ଏବଂ ବିଫଳତା ହାର ୩୦ ପ୍ରତିଶତ କମିଛି । ଯାତ୍ରୀ ସୁବିଧାକୁ ଆହୁରି ସୁଦୃଢ କରିବା ପାଇଁ ଲିଫ୍ଟ, ଏସ୍କେଲେଟର, ସ୍ୱୟଂଚାଳିତ ଟିକେଟ୍ ବିକ୍ରୟ ଯନ୍ତ୍ର (ATVM) ସୁବିଧା ପ୍ରଦାନ କରାଯାଇଥିବା ସହ ମୋବାଇଲ୍ ଟିକେଟିଂ ବ୍ୟବସ୍ଥାକୁ ବିସ୍ତାର କରାଯାଇଛି । ଏହାସହ ଯାତ୍ରୀ ଅଭିଯୋଗଗୁଡ଼ିକର ୧୦୦ ଶତାଂଶ ସମାଧାନ ସୁନିଶ୍ଚିତ କରାଯାଇଛି ।

ରୋଲିଂ ଷ୍ଟକ୍‌ର ସୁରକ୍ଷା ଓ ରକ୍ଷାବେକ୍ଷଣକୁ ଆହୁରି ସକ୍ତିଶାଳୀ କରିବା ପାଇଁ ହଟ୍ ଏକ୍ସେଲ୍ ଡିଟେକ୍ସନ୍ ସିଷ୍ଟମ୍, ହ୍ୱିଲ୍ ଇମ୍ପାକ୍ଟ ଲୋଡ୍ ଡିଟେକ୍ଟର୍ ଏବଂ ଅଗ୍ନି ଚିହ୍ନଟ ଓ ନିରୋଧକ ବ୍ୟବସ୍ଥା ସ୍ଥାପନ କରାଯାଇଛି । ପୁରୀ କୋଚିଂ ଡିପୋ ଏବଂ ଅନୁଗୁଳ ROH ଡିପୋର କ୍ଷମତା ବୃଦ୍ଧି ପାଇଁ ମଧ୍ୟ ପଦକ୍ଷେପ ଗ୍ରହଣ କରାଯାଇଛି । ଏହାସହ ମଣ୍ଡଳ ପକ୍ଷରୁ ୧୪.୭ ମେଗାୱାଟ୍ ସୌର ଶକ୍ତି କ୍ଷମତା ଯୋଡ଼ାଯାଇଥିବା ସହ ପରିବେଶ ସୁରକ୍ଷା ଓ ସ୍ୱଚ୍ଛତା ସମ୍ବନ୍ଧୀୟ ବିଭିନ୍ନ ପଦକ୍ଷେପ ମଧ୍ୟ ଗ୍ରହଣ କରାଯାଇଛି ।

ଖୋର୍ଦ୍ଧା ରୋଡ୍ ମଣ୍ଡଳର ମଣ୍ଡଳ ରେଳ ପ୍ରବନ୍ଧକ ଶ୍ରୀ ଡି. ସୁନିଲ୍ କହିଛନ୍ତି ଯେ, ଭିତ୍ତିଭୂମିକୁ ସୁଦୃଢ଼ କରିବା, ସୁରକ୍ଷାମୂଳକ ପଦକ୍ଷେପ ଓ ଆଧୁନିକୀକରଣ ମାଧ୍ୟମରେ ମଣ୍ଡଳ ଉଲ୍ଲେଖନୀୟ ଅଗ୍ରଗତି ହାସଲ କରିଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ପରିଚାଳନାଗତ ଦକ୍ଷତା ଓ ଯାତ୍ରୀ ସେବାକୁ ଆହୁରି ଉନ୍ନତ କରିବା ପାଇଁ ମଣ୍ଡଳ ସଦା ସର୍ବଦା ପ୍ରତିବଦ୍ଧ ରହିଛି ।

Exit mobile version