୯୩ତମ ସଂସ୍କୃତି ଚର୍ଚ୍ଚା ସମାରୋହ : ସ୍ୱାଧୀନତା ସଂଗ୍ରାମରେ ଓଡ଼ିଶାର ମହିଳାଙ୍କ ଯୋଗଦାନ

ଓଡ଼ିଶା ରାଜ୍ୟ ଅଭିଲେଖାଗାର, ଭୁବନେଶ୍ୱର

ଭୁବନେଶ୍ୱର  (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :-  ଓଡ଼ିଶା ରାଜ୍ୟ ଅଭିଲେଖାଗାରରେ ୯୩ତମ ସଂସ୍କୃତି ଚର୍ଚ୍ଚା ସମ୍ପାନ ସମାରୋହ ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ଉତ୍ସବରେ ମୁଖ୍ୟ ବକ୍ତା ଭାବରେ ଯୋଗଦାନ କରିଥିଲେ ବିଶିଷ୍ଟ ଲେଖକ, ଗବେଷକ ଓ ପ୍ରାକ୍ତନ ପ୍ରଶାସକ ଶ୍ରୀଯୁକ୍ତ ଜୟନ୍ତ କୁମାର ଦାସ । ମୁଖ୍ୟ ଅତିଥିଭାବରେ ଯୋଗଦାନ କରିଥିଲେ ବିଭାଗୀୟ ସ୍ୱତନ୍ତ୍ର ଶାସନ ସଚିବ, ଶ୍ରୀଯୁକ୍ତ ଦେବ ପ୍ରସାଦ ଦାଶ, ସମ୍ପାନରେ ସ୍ୱାଗତ ଭାଷଣ ଦେଇଥିଲେ ଓଡ଼ିଶା ରାଜ୍ୟ ଅଭିଲେଖାଗାରର ଯୁଗ୍ମ ନିର୍ଦ୍ଦେଶକ ତଥା ଅଧୀକ୍ଷକ ଡ. ଶେଖ୍ ସୋଲେମାନ ଅଲ୍ଲୀ ଏବଂ ଧନ୍ୟବାଦ ଅର୍ପଣ କରିଥିଲେ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅନୁଶାସନ ସଚିବ ତଥା ସ୍ୱତନ୍ତ୍ର କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀମତୀ ବନାନୀ ମହାପାତ୍ର ।

ସମ୍ପାନର ମୁଖ୍ୟ ବକ୍ତା ଶ୍ରୀଯୁକ୍ତ ଜୟନ୍ତ କୁମାର ଦାସ କହିଥିଲେ ଯେ ମୁଷ୍ଟିମେୟ କେତେଜଣ ସଂକଳ୍ପବଧ ସାଧକ ଯଦି ସେମାନଙ୍କ ଆଦର୍ଶରେ ଅବିଚଳିତ ବିଶ୍ୱାସ ରଖନ୍ତି ତା’ହେଲେ ସେମାନେ ଇତିହାସର ମୋଡ଼ ବଦଳାଇ ଦେଇ ପାରିବେ- ଏହି ମହାମନ୍ତ୍ରରେ ଅଭିହିତ ହୋଇ ପରାଧୀନ ଭାରତ ତଥା ଆମ ରାଜ୍ୟର ଅଗଣିତ ମହିଳା ତତ୍‌କାଳୀନ ସାମାଜିକ ପ୍ରଥାକୁ ଆଡ଼େଇ ଦେଇ ସ୍ୱଇଚ୍ଛାରେ ପୁରୁଷମାନଙ୍କ ସହ ସ୍ୱାଧୀନତା ଯୁଦ୍ଧରେ ନିଜକୁ ସାମିଲ୍ କରିଦେଇଥିଲେ ସବୁ ସୁଖ ସ୍ୱାଚ୍ଛନ୍ଦ୍ୟକୁ ଜଳାଞ୍ଜଳି ଦେଇ ।

ଗୋପାଳ କୃଷ୍ଣ ଗୋଖେଲଙ୍କ ଆହ୍ୱାନରେ ଗାନ୍ଧିଜୀ ଦକ୍ଷିଣ ଆଫ୍ରିକା ଛାଡ଼ି ଭାରତ ମାଟିରେ ପାଦ ଦେଲାପରେ ସ୍ୱାଧୀନତା ସଂଗ୍ରାମର ବିଗୁଲ ବାଜିବା ଆରମ୍ଭ ହେଲା ଓ ସ୍ୱତଃପ୍ରବୃତ୍ତ ଭାବେ ଚାରିଆଡେ ଉତ୍ସାହ ଓ ଉଦ୍ଦୀପନା ଖେଳିଗଲା । ସେତେବେଳେ ରକ୍ଷଣଶୀଳ ସମାଜରେ ଘର ଭିତରେ ଆବଦ୍ଧ ରହି ରୋଷେଇବାସଠୁ ଯାବତୀୟ କାମ ନାରୀମାନଙ୍କୁ କରିବାକୁ ପଡ଼ୁଥିଲା । ପର୍ଦ୍ଦାପଥା, କୁସଂସ୍କାର, ଅନ୍ଧବିଶ୍ୱାସ, ବାଲ୍ୟବିବାହ ସମାଜରେ ଅବିଚ୍ଛେଦ୍ୟ ଅଙ୍ଗ ଥିଲା । ନାରୀମାନଙ୍କର ସ୍ୱତନ୍ତ୍ର ପରିଚୟ ବୋଲି କିଛି ନଥିଲା । ଘରର ଏରୁଣ୍ଡିବନ୍ଧ ଡେଇଁବା ମହିଳମାନଙ୍କ ପାଇଁ ସାତ ସ୍ୱପ୍ନ ଥିଲା ।

ସାମ୍ପ୍ରତିକ ପରିସ୍ଥିତିରେ ନାରୀମାନଙ୍କର ଅଦମ୍ୟ ସାହସ ଓ ନିର୍ଭୀକତା ସେମାନଙ୍କୁ ଲକ୍ଷ୍ୟସ୍ଥଳରେ ପହଞ୍ଚାଇ ପାରିଥିଲା । ଓଡ଼ିଶାର ପ୍ରଖ୍ୟାତ ମହିଳା ସ୍ୱାଧୀନତା ସଂଗ୍ରାମୀଙ୍କ ମଧ୍ୟରେ ଥିଲେ ମା’ସାରଳା ଦେବୀ, ମାଳତୀ ଚୌଧୁରୀ, ଶଶିବାଳା କାନୁନଗୋ, ପ୍ରଭାବତୀ ଦେବୀ, ଜାହ୍ନବୀ ଦେବୀ, କୋକିଳା ଦେବୀ ପ୍ରମୁଖ । ସାହିତ୍ୟ ମାଧ୍ୟମରେ ନାରୀ ଜାଗରଣ ସୃଷ୍ଟି କରିବାରେ କୁନ୍ତଳା କୁମାରୀ ସାବତଙ୍କ ଅବଦାନ ସର୍ବଦା ଚିରସ୍ମରଣୀୟ ।

ସତ୍ୟ, ଅହିଂସା ଓ ପ୍ରେମ ବଳରେ ଅସମ୍ଭବ ବି ସମ୍ଭବ ହୋଇପାରେ, ଏହାକୁ ପ୍ରମାଣ କରି ଦେଖାଇଥିଲେ ଓଡ଼ିଶାର ମହିଳାଗଣ, ପାଠ ବଳ ନଥାଇ ଗୁଣ ବଳରେ ମଧ୍ୟ ଦେଶସେବା କରିହେବ ଏହାର ଜ୍ୱଳନ୍ତ ଉଦାହରଣ ଥିଲେ ଏହି ମହିୟସୀ ମଳିଳାମାନେ, ପରାଧୀନ ଭାରତକୁ ବ୍ରିଟିଶ କବଳରୁ ମୁକ୍ତ କରିବା ପାଇଁ ସେମାନଙ୍କର ଥିଲା ଅହର୍ନିଶି ଉଦ୍ୟମ । ନାରୀ ସଶକ୍ତିକରଣର ମୂଳଦୂଆ ପଡ଼ିଥିଲା । ଏହି ପ୍ରାକ୍ ସ୍ୱାଧୀନତା ସମୟରେ ଅନେକ ରୋମାଞ୍ଚକର ଘଟଣା ଆଲୋଚନାର ବିଷୟ । ଯାବତୀୟ ଝଡଝଞ୍ଜା ସହି ଦେଶ ମାତୃକା ସେବାରେ ଏହି ବୀର ରମଣୀମାନେ ନାନା ବାଧା ବିଘ୍ନ ସତ୍ତ୍ୱେ ପଚ୍ଛଘୁଞ୍ଚା ଦେଇନଥିଲେ ।

ବିଭାଗୀୟ ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀଯୁକ୍ତ ଦେବ ପ୍ରସାଦ ଦାଶ କହିଥିଲେ ଯେ ଯଦିଓ ବ୍ରିଟିଶରମାନେ ୧୬୦୦ ମସିହାରେ ଭାରତରେ ପଦାର୍ପଣ କରିଥିଲେ, ଓଡ଼ିଶା ସର୍ବଶେଷରେ ୧୮୦୩ ମସିହାରେ ବ୍ରିଟିଶ ଶାସନକୁ ଆସିଥିଲା । ଓଡ଼ିଶାରେ ବ୍ରିଟିଶ୍ ଶାସନକୁ ପ୍ରଥମେ ଜୟୀ ରାଜଗୁରୁ ୧୮୦୪ ମସିହାରେ ବିରୋଧ କରିଥିଲେ । ଓଡ଼ିଶାର ଜନଜାତିମାନେ ପ୍ରଥମେ ସାମୁହିକ ଭାବରେ ବିରୋଧ କରିଥିଲେ । ସାଧାରଣତଃ ଯେତେବେଳେ ସ୍ୱାଧୀନତା ସଂଗାମ କଥା କୁହାଯାଏ ସେତେବେଳେ ପୁରୁଷମାନେ ଅଗ୍ରଧାବକ ଥିଲେ ମାତ୍ର ମହିଳା ସ୍ୱାଧୀନତା ସଂଗ୍ରାମୀମାନେ ସେ ସମୟର ସାମାଜିକ ଅବଗୁଣ୍ଠନ ସତ୍ତ୍ୱେ ବହୁ ସଂଖ୍ୟାରେ ସ୍ୱାଧୀନତା ସଂଗ୍ରାମରେ ଝାସ ଦେଇଥିଲେ ।

ସାଧାରଣତଃ ଯେଉଁ ପରିବାର ପ୍ରୋଗ୍ରେସିଭ ଥିଲେ, ଯେମିତିକି ମଧୁବାବୁ ଏବଂ ଚୌଧୁରୀ ପରିବାରର ମହିଳାମାନେ ସର୍ବପ୍ରଥମେ ଓଡ଼ିଶାର ସ୍ୱାଧୀନତା ସଂଗ୍ରାମରେ ଯୋଗଦେବା ଆରମ୍ଭ କରିଥିଲେ । ସେମାନଙ୍କ ମଧ୍ୟରେ ରମାଦେବୀ, ମାଳତୀ ଚୌଧୁରୀ, ଅନ୍ନପୂର୍ଣ୍ଣା ମହାରଣା, ପାର୍ବତୀ ଗିରି, ଶ୍ରୀମତୀ ଲକ୍ଷ୍ମୀ ଇନ୍ଦିରା ପଣ୍ଡା, କୁନ୍ତଳା କୁମାରୀ ସାବତ ଏବଂ ପରବର୍ତ୍ତୀ ସମୟରେ ଯେଉଁ ମହିଳା ସ୍ୱାଧୀନତା ସଂଗ୍ରାମୀମାନେ ଯୋଗଦାନ କରିଥିଲେ ସେମାନଙ୍କ ମଧ୍ୟରେ ମଙ୍ଗଳା ଦେବୀ,

ସୂର୍ଯ୍ୟମଣି ଦେବୀ, ଚମ୍ପା ଦେବୀ, ପ୍ରଭାବତୀ ଦେବୀ, ସୀତା ଦେବୀ ଖାଡଙ୍ଗା ଏବଂ ଭାରତର ପ୍ରଥମ ମହିଳା ସହିଦ (ଇରମରେ ସହୀଦ ହୋଇଥିବା) ପରି ବେୱା ଅନ୍ୟତମ । ଆଲୋଚନାଚକ୍ରରେ ଓଡିଶାର ଅନେକ ଗବେଷକ, ଐତିହାସିକ, ବୁଦ୍ଧିଜୀବି, ବିଶ୍ୱବିଦ୍ୟାଳୟର ଅଧ୍ୟାପକ, ପ୍ରାଧ୍ୟାପକ, ଲେଖକ, କବି, ଛାତ୍ରଛାତ୍ରୀ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ଓ ପରିଶେଷରେ ବିଷୟ ସମ୍ବନ୍ଧୀୟ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ କରାଯାଇଥିଲା ।

Exit mobile version