୧୧୩ଟି ଜନକଲ୍ୟାଣକାରୀ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କଲେ ଉପମୁଖ୍ୟମନ୍ତ୍ରୀ

ଗୋପ (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଆଜି ଗୋପ ପଞ୍ଚାୟତ ସମିତି କାର୍ଯ୍ୟାଳୟଠାରେ ୧୧୩ଟି ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ମୋଟ ୭.୦୬ କୋଟି ଟଙ୍କା ବ୍ୟୟରେ କାର୍ଯ୍ୟକାରୀ ହେବାକୁ ଥିବା ପ୍ରକଳ୍ପଗୁଡ଼ିକ ଅଧୀନରେ, ଭିତ୍ତିଭୂମି, ଗମନାଗମନ ଏବଂ ଶିକ୍ଷାନୁଷ୍ଠାନର ଉନ୍ନତିକରଣ କରାଯିବ ବୋଲି ସେ କହିଛନ୍ତି । ଗୋପ ବ୍ଲକ୍‌ ଅନ୍ତର୍ଗତ ବିଭିନ୍ନ ପଞ୍ଚାୟତରେ ନିର୍ମିତ ହେବାକୁ ଥିବା କମ୍ୟୁନିଟି ସେଣ୍ଟର ଏବଂ ବିଭିନ୍ନ ଧାର୍ମିକ ଅନୁଷ୍ଠାନର ଉନ୍ନତିକରଣ ପାଇଁ ମଧ୍ୟ ଆଜି ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି ।

ଏହି ପ୍ରକଳ୍ପଗୁଡ଼ିକ ନିମାପଡ଼ା-ଗୋପ ନିର୍ବାଚନମଣ୍ଡଳୀର ବିକାଶ ପ୍ରକ୍ରିୟାକୁ ଆହୁରି ତ୍ୱରାନ୍ୱିତ କରିବ ବୋଲି ଉପମୁଖ୍ୟମନ୍ତ୍ରୀ ଏହି ଅବସରରେ କହିଛନ୍ତି । ଏହି ଅବସରରେ ସେ ୨୦,୨୬,୧୧୨ ଟଙ୍କା ବ୍ୟୟରେ ନିମାପଡ଼ା ପଞ୍ଚାୟତ ସମିତି ଅଧିନସ୍ଥ ଡେଣୁଅଁ ଉଚ୍ଚ ବିଦ୍ୟାଳୟ ନିକଟରେ ଡେଣୁଅଁଠାରୁ ଡିହବାରୀ ନାଳ ଉପରେ ଗ୍ରାମ୍ୟ ସଡ଼କ ପୋଲ ନିର୍ମାଣ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଯୋଗଦେବା ପୂର୍ବରୁ ପଞ୍ଚାୟତ ସମିତି କାର୍ଯ୍ୟାଳୟ ନିକଟରେ ବିଶୁଦ୍ଧ ଓ ଥଣ୍ଡା ପାନୀୟ ଜଳ ବ୍ୟବସ୍ଥାର ଶୁଭ ଉଦଘାଟନରେ ଯୋଗଦେଇଥିଲେ । ଏହି ପ୍ରୟାସ ପଞ୍ଚାୟତ ସମିତିକୁ ବିଭିନ୍ନ ସ୍ଥାନରୁ ଆସୁଥିବା ଜନସାଧାରଣଙ୍କ ପାନୀୟ ଜଳ ଆବଶ୍ୟକତା ପୂରଣରେ ସହାୟକ ହେବ ବୋଲି ସେ କହିଥିଲେ ।

ଏହାପରେ ସେ ଶ୍ରୀରାମ ନବମୀ ଅବସରରେ ଅଗଣିତ ରାମଭକ୍ତଙ୍କ ଗହଣରେ ନିମାପଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦଠାରେ ଆୟୋଜିତ ‘ରାମନବମୀ ମହୋତ୍ସବ’ ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ସେ ଏହି ଅବସରରେ କହିଥିଲେ, “ରାମନବମୀର ଏହି ସାଂସ୍କୃତିକ ଉତ୍ସବରେ ଆମ ମା’ ଓ ଭଉଣୀମାନଙ୍କର ବିପୁଳ ସଂଖ୍ୟାରେ ସକ୍ରିୟ ଅଂଶଗ୍ରହଣ ଉତ୍ସାହଜନକ ଓ ପ୍ରେରଣାଦାୟକ ।”

Exit mobile version