ଖୋର୍ଦ୍ଧାରୋଡ୍ ରେଳଷ୍ଟେସନ ଓ ମଣ୍ଡଳ ଚିକିତ୍ସାଳୟରେ ଯକ୍ଷ୍ମାରୋଗ (ଟିବି) ନିରାକରଣ ସଚେତନତା ଅଭିଯାନ ଅନୁଷ୍ଠିତ

ଖୋରଧା ଜଟଣୀ  (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର :- ଖୋର୍ଦ୍ଧାରୋଡ୍ ମଣ୍ଡଳର ଚିକିତ୍ସା ବିଭାଗ ପକ୍ଷରୁ ଯକ୍ଷ୍ମାରୋଗ (ଟି ବି) ନିରାକରଣ ପାଇଁ ଭାରତ ସରକାରଙ୍କ ୧୦୦ ଦିନିଆ’ତୀବ୍ର ଅଭିଯାନ’ର ଅଂଶ ସ୍ୱରୂପ ଖୋର୍ଦ୍ଧାରୋଡ୍ ରେଳ ଷ୍ଟେସନଠାରେ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଦେଶର ସାମୁଦାୟିକ ସ୍ୱାସ୍ଥ୍ୟରେ ସୁଧାର ଆଣିବା ଏବଂ ଯକ୍ଷ୍ମାରୋଗ ମୁକ୍ତ ଭାରତ ଗଠନର ପ୍ରତିବଦ୍ଧତା ନେଇ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ଏହି ଅବସରରେ ଖୋର୍ଦ୍ଧାରୋଡ଼ ରେଳ ମଣ୍ଡଳର ମଣ୍ଡଳ ରେଳବାଇ ପ୍ରବନ୍ଧକ ଶ୍ରୀ ଡ଼ି ସୁନୀଲ, ରେଳ ମଣ୍ଡଳର ଅତରିକ୍ତ ମଣ୍ଡଳ ରେଳବାଇ ପ୍ରବନ୍ଧକ ଶ୍ରୀ ପି.କେ.ବେହେରା ଓ ଶୁଭ୍ରଜ୍ୟୋତି ମଣ୍ଡଳ,ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ସବିତା ସତପଥୀଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀ ମାନେ,ରେଳ ଚିକିତ୍ସା ଅଧିକାରୀ, ପାରା ମେଡିକାଲ କର୍ମଚାରୀ ଏବଂ ସ୍କାଉଟ୍ସ ଏଣ୍ଡ ଗାଇଡ୍ସର ସଦସ୍ୟ ମାନେ ଉପସ୍ଥିତ ଥିଲେ।

ମଣ୍ଡଳ ରେଳବାଇ ପ୍ରବନ୍ଧକ ଶ୍ରୀ ଡ଼ି ସୁନୀଲ ନିଜ ଅଭିଭାଷଣରେ ସମସ୍ତ କର୍ମଚାରୀ ଓ ସେବାମୂଳକ ସଦସ୍ୟମାନଙ୍କୁ ଯକ୍ଷ୍ମାରୋଗ ନିରାକରଣ ଦିଗରେ କାର୍ଯ୍ୟ କରିବାକୁ ଉତ୍ସାହିତ କରିଥିଲେ। ସୂଚନାଯୋଗ୍ୟ ଯେ,ଯକ୍ଷ୍ମାରୋଗ ମାଇକୋ ବ୍ୟାକ ଟେରିଅମ୍ ଟୁବେର କୁଲୋ ଶିସ୍ ନାମକ ଜୀବାଣୁ ଦ୍ୱାରା ସୃଷ୍ଟି ହେଉଥିବା ଏକ ସଂକ୍ରାମକ ରୋଗ।

୨୦୧୫ ମସିହା ପରଠାରୁ ଦେଶରେ ଟିବି ସଂକ୍ରମଣ ଓ ମୃତ୍ୟୁ ହାର ହ୍ରାସ ପାଇଥିଲେ ହେଁ ସାମାଜିକ ବାସନ୍ଦ ବା ଅପବାଦ (ଷ୍ଟିଗ୍ମା)ସଠିକ୍ ସମୟରେ ରୋଗ ଚିହ୍ନଟ ନ’ହେବା ଏବଂ ପୋଷଣର ଅଭାବ ଏବେ ମଧ୍ୟ ଏକ ଆହ୍ୱାନ ହୋଇ ରହିଛି। ଏହି ଅଭିଯାନ ଅନ୍ତର୍ଗତ ଖୋର୍ଦ୍ଧାରୋଡ୍ ସ୍କାଉଟ୍ସ ଏଣ୍ଡ ଗାଇଡ୍ସ ପକ୍ଷରୁ ରେଳ ଷ୍ଟେସନ ଏବଂ ରେଳ ଚିକିତ୍ସାଳୟର ଓପିଡି ପରିସରରେ ଏକ’ନୁକୁଡ଼ ନାଟକ’ ପ୍ରଦର୍ଶନ କରାଯାଇଥିଲା।

ଏହି ନାଟକ ମାଧ୍ୟମରେ ଯାତ୍ରୀ ଓ କର୍ମଚାରୀ ମାନଙ୍କୁ ଟିବିର ଲକ୍ଷଣ,ସଠିକ୍ ସମୟରେ ଚିକିତ୍ସା ଏବଂ ନିୟମିତ ଫଲୋ-ଅପର ଆବଶ୍ୟକତା ବିଷୟରେ ସଚେତନ କରାଯାଇଥିଲା। ଏଥିସହ ଟିବି ପ୍ରତିରୋଧକ ଚିକିତ୍ସା ଓ ଟୀକାକରଣ ଉପରେ ଗୁରୁତ୍ୱ ଦିଆଯିବା ସହ ସଚେତନତା ପୁସ୍ତିକା (ପାମ୍ପଫ୍ଲେଟ) ବଣ୍ଟନ କରାଯାଇଥିଲା।

କାର୍ଯ୍ୟକ୍ରମର ଶେଷରେ ରେଳ ଚିକିତ୍ସା ଅଧିକାରୀ ଓ ପାରା ମେଡିକାଲ କର୍ମଚାରୀମାନଙ୍କ ପାଇଁ ଏକ ସିଏମଇ କଣ୍ଟିନୁଇଙ୍ଗ ମେଡିକାଲ ଏଜୁକେଶନ କର୍ମଶାଳା ଅନୁଷ୍ଠିତ ହୋଇଥିଲା। ଏଥିରେ ପ୍ରସିଦ୍ଧ ଫୁସଫୁସ ରୋଗ ବିଶେଷଜ୍ଞ ଡାକ୍ତର ସୁଭାସିସ ଜାମୁଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଯକ୍ଷ୍ମା ରୋଗର ନୂତନ ଚିକିତ୍ସା ପ୍ରଣାଳୀ ବିଷୟରେ ସବିଶେଷ ସୂଚନା ପ୍ରଦାନ କରିଥିଲେ।

Exit mobile version