ମୋହନା ବିଧାୟକ କ୍ରସ ଭୋଟିଂ ପରେ ଗଜପତି କଂଗ୍ରେସ ପ୍ରେମୀଙ୍କ ଠାରେ ତୀବ୍ର ଅସନ୍ତୋଷ ଓ ପ୍ରତିବାଦ ଗଜପତି ଜିଲ୍ଲାର ବିଭିନ୍ନ ସ୍ଥାନରେ କୁଶପୁତ୍ତଳିକା ଦାହ

ପାରଳାଖେମୁଣ୍ଡି (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :-  ଗଜପତି ଜିଲ୍ଲା କଂଗ୍ରେସ ସଭାପତି ତଥା ମୋହନା ବିଧାୟକ ଦାଶରଥି ଗମାଙ୍ଗ ରାଜ୍ୟସଭା ନିର୍ବାଚନରେ କ୍ରସ ଭୋଟିଂ କରିଥିଲେ । ଯାହା ଫଳରେ ପ୍ରଦେଶ କଂଗ୍ରେସ ପକ୍ଷରୁ ତାଙ୍କୁ ଦଳରୁ ନିଲମ୍ବିତ କରାଯାଇଛି । ଏହି ପରିପେକ୍ଷୀରେ ଗଜପତି ଜିଲ୍ଲାରେ କଂଗ୍ରେସ ପ୍ରେମୀଙ୍କ ଠାରେ ଗଭୀର ଉଦବେଗ ପ୍ରକାଶ ପାଇବା ସହ ମୋହନା ଓ ରାୟଗଡା ଆଦି ଅଞ୍ଚଳରେ ବିଧାୟକ ଦାଶରଥିଙ୍କ କୁଶ ପୁତ୍ତଳିକାକୁ ଦାହ କରାଯାଇଥିଲା l

କଂଗ୍ରେସର ଦୁର୍ଗ ଭାବେ ପରିଚିତ ଗଜପତି ଜିଲ୍ଲାର ମୋହନା ବିଧାନସଭା ଆସନରେ କଂଗ୍ରେସ ଦଳର ଯେପରି କୌଣସି କ୍ଷୟକ୍ଷତି ନ ଘଟେ ସେଥିପାଇଁ ପର୍ଯ୍ୟବେକ୍ଷକ ଭାବେ ଗୁଣୁପୁର ବିଧାୟକ ସତ୍ୟଜିତ ଗମାଙ୍ଗ, ରାୟଗଡ଼ ଜିଲ୍ଲା ପଦ୍ମପୁର ବ୍ଳକର ପୂର୍ବତନ ଅଧ୍ୟକ୍ଷ ରମାକାନ୍ତ ମାଝୀ ମୋହନାରେ ପହଞ୍ଚି ଜିଲ୍ଲା ଓ ବ୍ଲକରେ ନୂତନ କର୍ମକର୍ତ୍ତା ଚୟନ ପାଇଁ ବୈଠକ ଅନୁଷ୍ଠିତ କରିଥିଲେ । ବୈଠକରେ ବ୍ଲକର ବରିଷ୍ଠ ନେତା ଓ କର୍ମୀମାନେ ଉପସ୍ଥିତ ରହିଥିଲେ ।

ଆଗାମୀ ଦିନରେ କିଭଳି ଭାବେ ଗଜପତି ଜିଲ୍ଲାରେ କଂଗ୍ରେସ ଦୃଢ଼ ସଙ୍ଗଠନ କରିବା ସହିତ ଦଳକୁ ମଜବୁତ କରିବ ତାହା ଉପରେ ଆଲୋଚନା କରାଯାଇଥିଲା । ଏମିତି କି ଜିଲ୍ଲାର ପ୍ରତ୍ୟେକ ବ୍ଲକରେ ବିଧାୟକ ଦାଶରଥି ଗମାଙ୍ଗଙ୍କ କୁଶପୁତ୍ତଳିକା ଦାହ କରିବା ପାଇଁ ବୈଠକରେ ନିଷ୍ପତି ହୋଇଥିଲା । ମୋହନା ପୂର୍ତ୍ତ ବିଭାଗ ଡ଼ାକ ବଙ୍ଗଳା ସମ୍ମୁଖ ଜାତୀୟ ରାଜପଥ ପାର୍ଶ୍ଵରେ ବ୍ଲକର ସମସ୍ତ କାର୍ଯ୍ୟକର୍ତ୍ତା ଓ କର୍ମୀ ମାନଙ୍କ ଉପସ୍ଥିତିରେ ବିଧାୟକ ଦାଶରଥି ଗମାଙ୍ଗଙ୍କ କୁଶ ପୁତ୍ତଳିକା ଦାହ କରାଯାଇଥିଲା ।

Exit mobile version