ଖଣି ବର୍ଜ୍ୟକୁ ନେଇ ଆଇଏମ୍‌ଏମ୍‌ଟି ବିଶେଷଜ୍ଞଙ୍କ ସଫଳ ପ୍ରୟୋଗ : ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ

ଏମ୍‌ଏସ୍ ଉତ୍କଳ ଭ୍ୟାନ୍‌ଗାର୍ଡ ଇଞ୍ଜିନିୟରିଂ ଆଣ୍ଡ୍ କନଷ୍ଟ୍ରକ୍‌ସନ୍ ପ୍ରାଇଭେଟ୍ ଲିମିଟେଡ୍ ସହ ଚୁକ୍ତି ସମୟରେ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ

ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ମାଇନିଂ ୱେଷ୍ଟ୍ (ବର୍ଜ୍ୟ) ବା ଖଣି ଖୋଳା ପରେ ଯେଉଁ ଅନାବଶ୍ୟକ ବସ୍ତୁ ରହିଯାଏ, ତାହା ପରିବେଶ ଉପରେ ଗଭୀର ପ୍ରଭାବ ପକାଇଥାଏ । ଖଣିଜ ପଦାର୍ଥ ଉତ୍ତୋଳନ ହେବା ପରେ ବାକି ରହିଥିବା ବାଲି ବା ଚୂର୍ଣ୍ଣ ପରି ପାଉଡର୍ ବାୟୁ ପ୍ରଦୂଷଣ ସୃଷ୍ଟି କରିବା ସହିତ ପାଣିକୁ ମଧ୍ୟ ଦୂଷିତ କରିଥାଏ। ବିଶ୍ୱରେ ପ୍ରତିବର୍ଷ ଶତାଧିକ ବିଲିୟନ୍ ଟନ୍ ଏହି ୱେଷ୍ଟ୍ ଉତ୍ପନ୍ନ ହୁଏ, ଯାହା ପୃଥିବୀର ସବୁଠାରୁ ବଡ଼ ୱେଷ୍ଟ୍ ଷ୍ଟ୍ରିମ୍‌ମାନଙ୍କ ମଧ୍ୟରୁ ଅନ୍ୟତମ।

ଭାରତରେ ବିଶେଷ କରି ଓଡ଼ିଶା, ଝାଡଖଣ୍ଡ, ଛତିଶଗଡ଼ ଓ ଗୋଆ ଭଳି ଅଞ୍ଚଳରେ ଏହି ସମସ୍ୟା ଅଧିକ ଚିନ୍ତାଜନକ ହୋଇପଡ଼ିଛି । ଏଭଳି ସ୍ଥିତିରେ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମିନେରାଲ୍ସ ଆଣ୍ଡ୍ ମାଟେରିଆଲ୍ସ ଟେକ୍ନୋଲୋଜି (ଆଇଏମ୍‌ଏମ୍‌ଟି) ର ବିଶେଷଜ୍ଞମାନେ ଏହାର ଏକ ନୂତନ ଉପାୟ ଆବିଷ୍କାର କରିଛନ୍ତି। ଏହି ଜ୍ଞାନକୌଶଳର ବିକାଶରେ ଡ଼l. ସତ୍ୟlଶିଷ ରାଉତ, ଡ଼l. ସି. ଇଶ୍ୱର୍ୟାଙ୍କ ସମେତ ଅନ୍ୟ ସହଯୋଗୀମାନେ ପ୍ରମୁଖ ଭୂମିକା ନିର୍ବାହ କରିଛନ୍ତି ।

ମାଇନିଂ ୱେଷ୍ଟ୍ ବା ଖଣିରୁ ବାହାରୁଥିବା ଅନାବଶ୍ୟକ ସାମଗ୍ରୀକୁ ବ୍ୟବହାର କରି ସେମାନେ ଏକ ନୂତନ ବସ୍ତୁ ନିର୍ମାଣ କରିଛନ୍ତି। ଏହା ଦେଖିବାକୁ ଇଟ ଭଳି ହେଲେ ମଧ୍ୟ ଏହାର ଗୁଣବତ୍ତା ଶିଳ୍ପ କ୍ଷେତ୍ରରେ ଏକ ବିପ୍ଲବ ଆଣିପାରିବ ବୋଲି ଆଶା କରାଯାଉଛି । ବକ୍ସାଇଟ୍ ୱେଷ୍ଟ୍ ରୁ ପ୍ରସ୍ତୁତ ଏହି ବସ୍ତୁ ଉଚ୍ଚ ତାପ ସହନ କରିପାରେ ଏବଂ ଶିଳ୍ପ କ୍ଷେତ୍ରରେ ଏକ ସହଜ ଓ ସୁଲଭ ବିକଳ୍ପ ବୋଲି ଆଇଏମ୍‌ଏମ୍‌ଟି ପକ୍ଷରୁ କୁହାଯାଇଛି ।

ଶିଳ୍ପ ସଂସ୍ଥାନମାନେ ଏହାକୁ ବ୍ୟବହାର କରି ଉତ୍ପାଦନ କ୍ଷମତା ବଢାଇବାରେ ସାହାଯ୍ୟ ପାଇପାରିବେ । ଆଇଏମ୍‌ଏମ୍‌ଟିର ଏହି ବୈଷୟିକ ଜ୍ଞାନକୌଶଳ ବ୍ୟବହାର କରିବା ପାଇଁ ଆଇଏମ୍‌ଏମ୍‌ଟି ସହ ଏମ୍‌ଏସ୍ ଉତ୍କଳ ଭ୍ୟାନ୍‌ଗାର୍ଡ ଇଞ୍ଜିନିୟରିଂ ଆଣ୍ଡ୍ କନଷ୍ଟ୍ରକ୍‌ସନ୍ ପ୍ରାଇଭେଟ୍ ଲିମିଟେଡ୍ ଚୁକ୍ତି କରିଛି। ୧୭ ତାରିଖରେ ଭୁବନେଶ୍ୱରସ୍ଥିତ ସିଏସଆଇଆର୍–ଆଇଏମ୍‌ଏମ୍‌ଟି ପରିସରରେ ଏହି ଚୁକ୍ତି ସ୍ୱାକ୍ଷରିତ ହୋଇଛି।

ମୁଖ୍ୟ ଅତିଥି ଭାବେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କାର୍ଯ୍ୟକ୍ରମରେ ଯୋଗଦେଇ ଆଇଏମ୍‌ଏମ୍‌ଟି ବିଶେଷଜ୍ଞଙ୍କୁ ଅଭିନନ୍ଦନ ଜଣାଇଥିଲେ। ସେ କହିଥିଲେ ଯେ ଏଭଳି ବୈଷୟିକ ଆବିଷ୍କାର ଓଡ଼ିଶାକୁ ଭାରତରେ ବୈଜ୍ଞାନିକ ଗବେଷଣା ଓ ପ୍ରଯୁକ୍ତିଗତ ଉନ୍ନତିର ଏକ ପ୍ରମୁଖ କେନ୍ଦ୍ର ଭାବେ ଉଭା କରୁଛି।

ସେ ଆହୁରି କହିଥିଲେ ଯେ ଆଇଏମ୍‌ଏମ୍‌ଟି ଆଗାମୀ ଦିନରେ ଏଭଳି ନୂତନ ଜ୍ଞାନକୌଶଳ ଉନ୍ନତି କରି ଦେଶର ଶିଳ୍ପ ଓ ପରିବେଶ ସୁରକ୍ଷାରେ ଅଧିକ ଅବଦାନ ରଖିବ। ଏହି କାର୍ଯ୍ୟକ୍ରମରେ ବରିଷ୍ଠ ଅଧିକାରୀ ହେମନ୍ତ ଶର୍ମା, ଆଇଏମ୍‌ଏମ୍‌ଟି ନିର୍ଦ୍ଦେଶକ ରାମାନୁଜ ନାରାୟଣଙ୍କ ସହ ଅନ୍ୟ ଅନେକ ବୈଜ୍ଞାନିକ ଓ ଶିଳ୍ପ ପ୍ରତିନିଧିମାନେ ଉପସ୍ଥିତ ଥିଲେ।

Exit mobile version